ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠାରୁ ଆରମ୍ଭ ହୋଇଛି ପଞ୍ଚକ ବ୍ରତ। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି। ପଞ୍ଚକରେ ଶ୍ରୀଜିଉଙ୍କ ସ୍ଵତନ୍ତ୍ର ବେଶ ଅନୁଷ୍ଠିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସବୁ ପ୍ରସ୍ତୁତି କରାଯାଇଛି। 

କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନ ପଞ୍ଚକ ବ୍ରତ ପାଳନ କରାଯାଏ। ପଞ୍ଚକ ପାଞ୍ଚ ଦିନରେ ଶ୍ରୀଜିଉ ଭକ୍ତଙ୍କୁ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଇଥା’ନ୍ତି। ଏହି ସମୟରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି।

ତେବେ ଚଳିତବର୍ଷ ୫ ଦିନ ପରିବର୍ତ୍ତେ ୪ ଦିନ ପାଳନ ହେବ ପଞ୍ଚକ। ଚତୁର୍ଦ୍ଦଶୀରେ ତିଥୀ କ୍ଷୟ ଯୋଗୁଁ ଏଥର ଲକ୍ଷ୍ନୀ ନୃସିଂହ ବେଶ ହେବ ନାହିଁ। ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ପଞ୍ଚକ ନେଇ ଶ୍ରୀମନ୍ଦିରରେ ନୀତିକାନ୍ତି ଚୂଡ଼ାନ୍ତ ହୋଇଛି।

ମଙ୍ଗଳବାର ପଞ୍ଚକର ପ୍ରଥମ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହୋଇଛି। ସେହିପରି ୧୩ ତାରିଖରେ ବାଙ୍କଚୂଡ଼ା ବେଶ, ୧୪ ତାରିଖରେ ତ୍ରିବିକ୍ରମ ବେଶ ଓ ୧୫ ତାରିଖ ଶେଷ ଦିନରେ ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ବା ସୁନାବେଶ ଅନୁଷ୍ଠିତ ହେବ।

ପଞ୍ଚକରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି। ମରିଚିକୋଟ ଛକରୁ ଭକ୍ତଙ୍କ ପାଇଁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି। କେବଳ ସିଂହଦ୍ୱାର ଦେଇ ଭକ୍ତ ପ୍ରବେଶ କରୁଥିବା ବେଳେ ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି। 

ସେହିପରି ପୁରୀରେ ସୁରକ୍ଷା ପାଇଁ ୫ ଜଣ ଅତିରିକ୍ତ ଏସପି, ୧୪ ଜଣ ଡିଏସପି, ୨୬ ଜଣ ଇନ୍ସପେକ୍ଟରଙ୍କ ସହ ୩୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

Tags: #PanchakBrata #KartikMonth #Culture #Srimandir #Puri

LEAVE A REPLY

Please enter your comment!
Please enter your name here