ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପବିତ୍ର କାର୍ତ୍ତିକ ଶୁକ୍ଳ ଦ୍ଵାଦଶୀ। ପଞ୍ଚକର ଦ୍ୱିତୀୟ ଦିନରେ ଶ୍ରୀମନ୍ଦିରରେ ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି।
ବୁଧବାର ସକାଳୁ ଅବକାଶ ନୀତି ପରେ ଖୁଣ୍ଟିଆ, ମେକାପ ଓ ପୁଷ୍ପାଳକ ସେବାୟତମାନେ ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ ନୀତି ସମ୍ପନ୍ନ କରିଥିଲେ। ଏହି ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କ ଶ୍ରୀମସ୍ତକରେ ଚନ୍ଦ୍ରିକା ଚୂଳ ସହିତ ଦକ୍ଷିଣ ଦିଗକୁ ଆଡ଼ ଖୋସା ପଡ଼େ ଏବଂ ଏହି ଖୋସାର ଅଗ୍ର ଗଣ୍ଠିରେ ଏକ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥାଏ। ଏକ ଛୋଟ ସ୍ୱର୍ଣ୍ଣ କିରିଟ ଠାକୁରମାନଙ୍କ କପାଳର ଶୀର୍ଷ ଭାଗରେ ଶୋଭାପାଇଥାଏ।
ପୌରାଣିକ କଥାବସ୍ତୁ ଅନୁଯାୟୀ, ଯେତେବେଳେ ଅକ୍ରୂର ଭଗବାନ ଶ୍ରୀକୃଷ୍ଣଙ୍କୁ ମଥୁରା ନେବା ପାଇଁ ଗୋପପୁରକୁ ଆସିଥିଲେ, ସେତେବେଳେ ଶ୍ରୀକୃଷ୍ଣ ତାଙ୍କୁ ଏହି ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଇଥିଲେ। ସେଥିପାଇଁ ଶ୍ରୀମନ୍ଦିରରେ ଏହି ବେଶ ପାଳିତ ହୋଇଆସୁଛି।
କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନ ପଞ୍ଚକ ବ୍ରତ ପାଳନ କରାଯାଏ। ପଞ୍ଚକ ପାଞ୍ଚ ଦିନରେ ଶ୍ରୀଜିଉ ଭକ୍ତଙ୍କୁ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଇଥା’ନ୍ତି। ଏହି ସମୟରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି।
ମଙ୍ଗଳବାର ପଞ୍ଚକର ପ୍ରଥମ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହୋଇଥିଲା। ସେହିପରି ବୁଧବାର ବାଙ୍କଚୂଡ଼ା ବେଶ ହେଉଥିବାବେଳେ ନଭେମ୍ବର ୧୪ ତାରିଖରେ ତ୍ରିବିକ୍ରମ ବେଶ ଓ ୧୫ ତାରିଖ ଶେଷ ଦିନରେ ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ବା ସୁନାବେଶ ଅନୁଷ୍ଠିତ ହେବ।
Tags: #PanchakBrata #KartikMonth #Culture #Srimandir #Puri