ଓଡ଼ିଶାଲାଇଭ୍ ବ୍ୟୁରୋ
ଜୋର ଧରିଲା ଓଲିଉଡ କଳି। ମନୋଜ ମିଶ୍ରଙ୍କ ବିରୋଧରେ ଏକାଠି ହୋଇଛନ୍ତି ଓଡ଼ିଶା ଫିଲ୍ମ ଓ ଟିଭି ନିର୍ଦ୍ଦେଶକ ସଂଘର ବରିଷ୍ଠ ସଦସ୍ୟ। କଟକ ସାଇବର ଥାନାରେ ମନୋଜ ମିଶ୍ରଙ୍କ ବିରୋଧରେ ସଂଘ ଏତଲା ଦେବା ପରେ ମୁହଁ ଖୋଲିଛନ୍ତି ଅଭିନେତା ମନୋଜ ମିଶ୍ର।
ଓଲିଉଡ ସିନେ ଜଗତର ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ବସନ୍ତ ସାହୁ ତାପସ ସରଘରିଆ, ବବି ଇସଲାମଙ୍କ ସହ ଅନେକ ନିର୍ଦ୍ଦେଶକ ମଙ୍ଗଳବାର ଦିନ କଟକ ସାଇବର ଥାନାରେ ଅଭିନେତା ମନୋଜ ମିଶ୍ରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗରେ ଦର୍ଶାଯାଇଛି, ମନୋଜ ମିଶ୍ର ସୋସିଆଲ ମିଡିଆରେ ଓଡ଼ିଆ ସିନେମା ଏବଂ ଓଡ଼ିଆ ସିନେମା ନିର୍ଦ୍ଦେଶକଙ୍କ ବିଷୟରେ ଆକ୍ରୋଶମୂଳକ ଭାବେ ମନ୍ତବ୍ୟ ଦେଉଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କୁ ଦକ୍ଷତା ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରି ବାରମ୍ବାର ଅପମାନିତ କରୁଛନ୍ତି। ସେ ନିଜ ବ୍ୟକ୍ତିଗତ ସ୍ୱାର୍ଥ ଏବଂ ରାଜନୈତିକ ଉଦ୍ଦେଶ୍ୟ ରଖି ଏପରି କହୁଛନ୍ତି, ଏହାଦ୍ୱାରା ଓଡ଼ିଶା ସିନେମା ଇଣ୍ଡଷ୍ଟ୍ରି ବଦନାମ ହେଉଛି।
ବରିଷ୍ଠ ଫିଲ୍ମ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର କହିଛନ୍ତି, “ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିକୁ ଗଢ଼ିବା ପଛରେ ଅନେକ ବ୍ୟକ୍ତିଙ୍କ ତ୍ୟାଗ ରହିଛି। ଅନେକ ଏଥିପାଇଁ ସର୍ବହରା ହୋଇଛନ୍ତି। ଆଜି ଓଲିଉଡ ଇଣ୍ଡଷ୍ଟ୍ରି ଧୀରେ ଧୀରେ ଉପରକୁ ଉଠୁଛି। ଏପରି ସମୟରେ ସିନେମା, ନିର୍ଦ୍ଦେଶକ ଏବଂ କଳାକାରଙ୍କ ଉପରେ ମନୋଜ ମିଶ୍ର ବାରମ୍ବାର ଅରୁଚିକର ମନ୍ତବ୍ୟ ଦେବା ଆମକୁ କ୍ଷୁବ୍ଧ କରିଛି। ମନୋଜଙ୍କର ଏପରି ମାନସିକତାକୁ ନେଇ ମୁଁ ମର୍ମାହତ। ସେ ଏଥିରୁ ନିବୃତ୍ତ ରହିବା ଉଚିତ।”
ସେ ଆହୁରି କହିଛନ୍ତି, ମନୋଜ ମିଶ୍ର ଯେପରି ମନ୍ତବ୍ୟ ଦେଉଛନ୍ତି, ତାକୁ ନେଇ ଲୋକଙ୍କ ମନରେ ଓଡ଼ିଆ ସିନେମା ଏବଂ ନିର୍ଦ୍ଦେଶକଙ୍କୁ ନେଇ ଭ୍ରାନ୍ତ ଧାରଣା ସୃଷ୍ଟି ହେଉଛି।
ସେହିପରି ନିର୍ଦ୍ଦେଶକ ବବି ଇସଲାମ କହିଛନ୍ତି, ମନୋଜ ମିଶ୍ର ଆମ ଘରର ସଦସ୍ୟ ହୋଇ ଆମ ବିରୋଧରେ କହୁଛନ୍ତି। ସେ ନିଜ ଫେସବୁକ, ୟୁଟ୍ୟୁବରୁ ରୋଜଗାର କରିବା ପାଇଁ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିକୁ ବଦନାମ କରୁଥିବା ବବି ଅଭିଯୋଗ କରିଛନ୍ତି।
“ମନୋଜ ମିଶ୍ର ଆମକୁ ବାରମ୍ବାର ଆଘାତ ଦେଉଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅନେକ ନିର୍ଦ୍ଦେଶକ ଏବଂ କଳାକାର ଅଛନ୍ତି। ସେମାନେ ଅନେକ ସିନେମା ନିର୍ମାଣ କରି ଇଣ୍ଡଷ୍ଟ୍ରିକୁ ରୁଦ୍ଧିମନ୍ତ କରିଛନ୍ତି। ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି। ଏହା ସତ୍ତ୍ୱେ ବାରମ୍ବାର ଓଡ଼ିଆ ନିର୍ଦ୍ଦେଶକମାନେ କିଛି ଜାଣି ନାହାନ୍ତି ବୋଲି କହିବା ନିହାତି ଦୁର୍ଭାଗ୍ୟର କଥା”, କହିଛନ୍ତି ନିର୍ଦ୍ଦେଶକ ବସନ୍ତ ସାହୁ।
ଓଡ଼ିଶା ଫିଲ୍ମ ଓ ଟିଭି ନିର୍ଦ୍ଦେଶକ ସଂଘ ଏତଲା ଦେବାର ୨୪ ଘଣ୍ଟା ପରେ ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ମନୋଜ ମିଶ୍ର। ମନୋଜ କହିଛନ୍ତି ସେ ଭଲ ସିନେମାକୁ କେବେ ଖରାପ କହିନାହାନ୍ତି। ଅନେକ ଭଲ ଓଡ଼ିଆ ସିନେମାକୁ ସେ ପ୍ରଶଂସା କରିବା ସହ ସେଗୁଡ଼ିକର ପ୍ରମୋସନ କରିଛନ୍ତି। ଯଦି କୌଣସି ଓଡ଼ିଆ ସିନେମା ତାଙ୍କୁ ଭଲ ଲାଗିବ ନାହିଁ, ସେ ନିଶ୍ଚୟ ତା’ର ସମାଲୋଚନା କରିବେ ବୋଲି ମନୋଜ କହିଛନ୍ତି।
ମନୋଜ ମିଶ୍ର କହିଛନ୍ତି, “ଗୋଟିଏ ସିନେମା ସହିତ ଓଡ଼ିଆ ସଂସ୍କୃତି ଓ ଅସ୍ମିତା ଯୋଡ଼ି ହୋଇରହିଛି। ତେଣୁ ଖରାପ ସିନେମା ଆସିଲେ ମୁଁ ତା’ର ନିନ୍ଦା କରିବି ଏବଂ ଭଲ ସିନେମାର ପ୍ରଶଂସା କରିବି। ଓଡ଼ିଆ ସିନେମା ଭଲ ଚାଲିବା ଦରକାର।”
ସଂଘ ପକ୍ଷରୁ ହୋଇଥିବା ଅଭିଯୋଗକୁ ମନୋଜ ମିଶ୍ର ଖଣ୍ଡନ କରିଛନ୍ତି। ସେ କହିଛନ୍ତି “ମୁଁ ଏପରି କଥା କେବେ କେଉଁଠି କହି ନାହିଁ। ଆଜି ଆମ ପାଖରେ ଖୁବ କମ ଭଲ ନିର୍ଦ୍ଦେଶକ ଅଛନ୍ତି। ସେମାନଙ୍କ ସିନେମା ଓଡ଼ିଶା ବାହାରେ ଦର୍ଶକ ଦେଖନ୍ତି ଓ ପ୍ରଶଂସା ମଧ୍ୟ କରନ୍ତି।”
ମନୋଜ ମିଶ୍ରଙ୍କ ପ୍ରତିକ୍ରିୟା ପରେ ମନ୍ତବ୍ୟ ଦେଇଛନ୍ତି ବରିଷ୍ଠ ସିନେ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର। ସେ କହିଛନ୍ତି, “ଓଡ଼ିଆ ଫିଲ୍ମ ଉପରୁ ଏବେ ରିମେକର କଳଙ୍କ ଉଠି ଯାଇଛି। ଏବେ ଓଡ଼ିଆ ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରାକୁ ନେଇ ଭଲ ସିନେମା ତିଆରି ହେଉଛି। ଏପରି ସିନେମା ପାଇଁ ଆମେ ପରସ୍ପରକୁ ସମର୍ଥନ ଦେବା କଥା। ହେଲେ ମନୋଜ ମିଶ୍ର ଯେଉଁଭଳି ଭାବେ ସମାଲୋଚନା କରୁଛନ୍ତି ସେସବୁ ବନ୍ଦ କରିବା ଦରକାର। ସମାଲୋଚନା କରିବା ଭଲ, କିନ୍ତୁ ସେଥିରେ ଶାଳୀନତା ରହିବା ଉଚିତ।”
ସବ୍ୟସାଚୀ ମହାପାତ୍ର ଆହୁରି କହିଛନ୍ତି, ଯେତେବେଳେ ଗୋଟିଏ ବା ଦୁଇଟି ସିନେମା ହେଉଥିଲା ସେତେବେଳେ ଆମେ ସବୁଛାଡ଼ି ଏଥିରେ କ୍ୟାରିୟର କରିଛୁ। ଇଣ୍ଡଷ୍ଟ୍ରିରୁ ବହୁତ କିଛି ଶିଖିଛୁ । ତେଣୁ ମୋତେ ବା ଆଉ କାହାକୁ ମନୋଜ ମିଶ୍ର ସାର୍ଟିଫିକେଟ ଦେବା ଉଚିତ ନୁହେଁ ବୋଲି ସେ କହି କହିଛନ୍ତି।
Tags: #Ollywood #OdiaCinema #Actor #Director #ManojMishra #SabyasachiMohapatra