ଓଡ଼ିଶାଲାଇଭ୍ ବ୍ୟୁରୋ
- ‘ଓଡ଼ିଶା ମଣ୍ଡପ’ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
- ଏଥରର ଥିମ୍: ‘ବିକଶିତ ଭାରତ ବିକଶିତ ଓଡ଼ିଶା’
- ଓଡ଼ିଶା ମଣ୍ଡପ ଡିଜାଇନରେ ପ୍ରତିଫଳିତ ‘ପ୍ରାଚୀନରୁ ବିଜ୍ଞାନ’
- ମିଳୁଛି ଓଡ଼ିଶା ପ୍ରସିଦ୍ଧ ରସଗୋଲା, ଦହିବରା, ଛେନାଝିଲ୍ଲି ଓ ଛେନାପୋଡ଼
(ନୂଆଦିଲ୍ଲୀ/ଭୁବନେଶ୍ୱର): ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଗୁରୁବାରଠାରୁ ଆରମ୍ଭ ହୋଇଛି ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୪। ଏଥିରେ ଏକ ଆକର୍ଷଣ ପାଲଟିବାକୁ ଯାଉଛି ‘ଓଡ଼ିଶା ମଣ୍ଡପ’। ଓଡ଼ିଶା ସରକାରଙ୍କ ଏହି ସ୍ୱତନ୍ତ୍ର ପାଭିଲିୟନକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦଘାଟନ କରିଛନ୍ତି।
‘‘ଓଡ଼ିଶାର ଅନନ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀର ଦେଶ ବିଦେଶରେ ବିଶେଷ ପରିଚୟ ରହିଛି। ସେହିପରି ଆମ ମିଲେଟ୍ ମିଶନ ସାରା ଦେଶରେ ନାଁ କରିଛି। ମାଣ୍ଡିଆ ଓ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ଏବଂ ମିଶନ ଶକ୍ତିର ମହିଳାମାନଙ୍କ ହାତ ତିଆରି ଜିନିଷ ଆଜି ସବୁଠି ଆଦୃତ ହେଉଛି। ଏହାକୁ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ପ୍ରଦର୍ଶନ କରାଯାଉଛି,’’ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମଠାରେ ନଭେମ୍ବର ୧୪ରୁ ୨୭ ତାରିଖ ଯାଏଁ ଚାଲିବ ଏହି କାର୍ଯ୍ୟକ୍ରମ। ଏହାର ହଲ୍ ନମ୍ବର ୨ରେ ସ୍ଥାନ ପାଇଛି ‘ଓଡ଼ିଶା ମଣ୍ଡପ’। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ବିଭିନ୍ନ ବିଭାଗ ପକ୍ଷରୁ ମୋଟ ୨୫ଟି ଷ୍ଟଲ ଖୋଲାଯାଇଛି।
ମୁଖ୍ୟତଃ ‘ବିକଶିତ ଭାରତ ବିକଶିତ ଓଡ଼ିଶା’ ଥିମରେ ପ୍ରସ୍ତୁତ ହୋଇଛି ‘ଓଡ଼ିଶା ମଣ୍ଡପ’। ଓଡ଼ିଶାର ସମୃଦ୍ଧ ମନ୍ଦିର ଭାସ୍କର୍ଯ୍ୟ କୋଣାର୍କଠାରୁ ଆରମ୍ଭ କରି ଅତ୍ୟାଧୁନିକ ବୁଲେଟ୍ ଟ୍ରେନ ଏବଂ ରତ୍ନଗିରିର ବୌଦ୍ଧ କୀର୍ତ୍ତିରାଜିରୁ ନେଇ ସେମିକଣ୍ଡକ୍ଟର ଶିଳ୍ପ ପର୍ଯ୍ୟନ୍ତ ପ୍ରାଚୀନରୁ ବିଜ୍ଞାନ ଏହି ପାଭିଲିୟନର ଡିଜାଇନରେ ପ୍ରତିଫଳିତ ହୋଇଛି। ପ୍ରବେଶ ପଥରେ ମୁକ୍ତେଶ୍ୱର ମନ୍ଦିରର ପ୍ରସିଦ୍ଧ ତୋରଣର ମଡେଲ ଶୋଭା ପାଉଛି।
ଏହି ବାର୍ଷିକ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶାର ଅନନ୍ୟ କଳା କାରିଗରି, ହସ୍ତତନ୍ତ, ହସ୍ତଶିଳ୍ପ ଓ ହସ୍ତକଳା ସାମଗ୍ରୀ, ଜନଜାତି ସଂସ୍କୃତି ଓ ସେମାନଙ୍କ ହାତ ତିଆରି ବିଭିନ୍ନ ସାମଗ୍ରୀ ଏବଂ ଓରମାସ୍ ପ୍ରସ୍ତୁତ ବିବିଧ ଗ୍ରାମୀଣ ଉତ୍ପାଦ ସହ ମିଶନ ଶକ୍ତିର ଏସଏଚଜି ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ଜିନିଷ ଏଠାରେ ପ୍ରଦର୍ଶନ ଓ ବିକ୍ରି କରାଯାଉଛି। ସେହିପରି ଓଡ଼ିଶାର ପ୍ରସିଦ୍ଧ ତାଳଗୁଡ଼, କୋରାପୁଟ କଫି ଏବଂ ମାଣ୍ଡିଆ ଓ ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ଦିଲ୍ଲୀ ଗ୍ରାହକଙ୍କ ପସନ୍ଦ ପାଲଟିଛି।
ଚଳିତବର୍ଷ ଓଡ଼ିଶା ମଣ୍ଡପରେ ବିଭିନ୍ନ ହସ୍ତକଳା ଓ ହସ୍ତଶିଳ୍ପ ସାମଗ୍ରୀର ଲାଇଭ ଡେମନଷ୍ଟ୍ରେସନ ଦେଶ ବିଦେଶରୁ ଆସୁଥିବା ଦର୍ଶକମାନଙ୍କ ପାଇଁ ଆକର୍ଷଣ ହେବ। ସେହିପରି ଏଣ୍ଡିପୋକ ଖୋସାରୁ ଅହିଂସା ଉପାୟରେ ପ୍ରସ୍ତୁତ ‘କରୁଣା ସିଲ୍କ’କୁ ଓଡ଼ିଶାର କାରିଗର ବସି ବୁଣୁଥିବାର ଦୃଶ୍ୟ ଦର୍ଶକଙ୍କ ପାଇଁ ଆଗ୍ରହର ବିଷୟ ପାଲଟିଛି। କରୁଣା ସିଲ୍କରୁ ଶ୍ରୀମନ୍ଦିର ପାଇଁ ପ୍ରସିଦ୍ଧ ଖଣ୍ଡୁଆ ପାଟ ପ୍ରସ୍ତୁତ କରାଯାଉଛି।
ଚଳିତବର୍ଷ ବାଣିଜ୍ୟ ମେଳାରେ ଓଡ଼ିଶାର ସ୍ୱତନ୍ତ୍ର ଖାଦ୍ୟରୁଚି ଉପରେ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶା ମଣ୍ଡପରେ ଥିବା ଫୁଡ୍ ଜୋନରେ ଓଡ଼ିଶା ପ୍ରସିଦ୍ଧ ରସଗୋଲା ସହ କଟକ ଦହିବରା, ନିମାପଡ଼ା ଛେନାଝିଲ୍ଲି ଏବଂ ନୟାଗଡ଼ ଛେନାପୋଡ଼ ପ୍ରଗତି ମଇଦାନରେ ଓଡ଼ିଶାର ସୁଆଦ ପରିବେଷଣ କରିବ।
ଉଦଘାଟନୀ କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂ, ବିଭାଗୀୟ ନିର୍ଦ୍ଦେଶକ ସରୋଜ କୁମାର ସାମଲ, ନୂଆଦିଲ୍ଲୀରେ ଅବସ୍ଥାପିତ ସ୍ୱତନ୍ତ୍ର ଆବାସିକ ଆୟୁକ୍ତ ରିତୁ ଅରୋରା, ପ୍ରମୁଖ ଆବାସିକ ଆୟୁକ୍ତ ବିଶାଲ ଗଗନ, ହସ୍ତତନ୍ତ ବିଭାଗର ନିର୍ଦ୍ଦେଶକ ତଥା ବୟନିକାର ପରିଚାଳନା ନିର୍ଦ୍ଦେଶକ ପ୍ରଣତୀ ଛୋଟରାୟ, ସେରିଫେଡର ସଭାପତି ଭାଗିରଥି ନନ୍ଦ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।
Tags: #IndiaInternationalTradeFair2024 #Odishapavilion #CultureandTraditionofOdisha #NewDelhi