ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପବିତ୍ର କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ତିଥି। ପଞ୍ଚକର ତୃତୀୟ ଦିନରେ ଶ୍ରୀମନ୍ଦିରରେ ତ୍ରିବିକ୍ରମ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀରେ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗିଛି। ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି।

ବୁଧବାର ସକାଳୁ ଅବକାଶ ନୀତି ପରେ ଖୁଣ୍ଟିଆ, ମେକାପ ଓ ପୁଷ୍ପାଳକ ସେବାୟତମାନେ ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ ନୀତି ସମ୍ପନ୍ନ କରିଥିଲେ। ଏହି ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କ ଶ୍ରୀମସ୍ତକରେ ଚୂଳ ଲଗାଯାଏ। ସୋଲ, କନା, ବେତ, ଜମ୍ୱୁରା ଓ କଇଁଥ ଅଠାରେ ନିର୍ମିତ ହେବା ପରେ ଚୂଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଖୋସା ଯାଇଥାଏ। ଏହାସହ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାର ସମେତ ହଳ, ମୂଷଳ, ଶଙ୍ଖ, ଚକ୍ର ଏବଂ ପାଟ ବସ୍ତ୍ର ଇତ୍ୟାଦିରେ ବିଗ୍ରହମାନଙ୍କୁ ଭୂଷିତ କରାଯାଇଥାଏ।

କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନ ପଞ୍ଚକ ବ୍ରତ ପାଳନ କରାଯାଏ। ପଞ୍ଚକ ପାଞ୍ଚ ଦିନରେ ଶ୍ରୀଜିଉ ଭକ୍ତଙ୍କୁ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଇଥା’ନ୍ତି। ଏହି ସମୟରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି।

ମଙ୍ଗଳବାର ପଞ୍ଚକର ପ୍ରଥମ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହୋଇଥିଲା। ସେହିପରି ବୁଧବାର ବାଙ୍କଚୂଡ଼ା ବେଶ ହୋଇଥିବାବେଳେ ଗୁରୁବାର ତ୍ରିବିକ୍ରମ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଶୁକ୍ରବାର ପଞ୍ଚକର ଶେଷ ଦିନରେ ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ବା ସୁନାବେଶ ଅନୁଷ୍ଠିତ ହେବ।

Tags: #PanchakBrata #KartikMonth #Culture #Srimandir #Puri

LEAVE A REPLY

Please enter your comment!
Please enter your name here