ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆଦିଲ୍ଲୀର ହାଉଜଖାସ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ଉତ୍ସବ ମହା ସମାରୋହରେ ପାଳିତ ହୋଇଛି। ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବା ସଂଘ ଦ୍ୱାରା ଆୟୋଜିତ ଏହି ଉତ୍ସବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦୁଳା ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ରର ଶତାଧିକ ଓଡ଼ିଆ ଓ ଅଣଓଡ଼ିଆ ଲୋକ ସେମାନଙ୍କର ପରିବାର ବର୍ଗ ଓ ବନ୍ଧୁ ପରିଜନଙ୍କ ବୋଇତ ବନ୍ଦାଣ ଉତ୍ସବରେ ସାମିଲ ହୋଇଥିଲେ।

ବୋଇତ ବନ୍ଦାଣ ପାଇଁ ମନ୍ଦିର ପାର୍ଶ୍ୱବର୍ତ୍ତୀ ଫୁଆରାର ଚାରିପଟ ଏବଂ ସମ୍ପୂର୍ଣ୍ଣ ମନ୍ଦିର ବେଢ଼ାକୁ ଖୁବ ସୁନ୍ଦର ଭାବେ ସଜାଯାଇଥିଲା। ଭକ୍ତମାନଙ୍କ ମଧ୍ୟରେ ବୋଇତ ଭସାକୁ ନେଇ ବିଶେଷ ଆନନ୍ଦ, ଉତ୍ସାହ ଦେଖିବାକୁ ମିଳିଥିଲା।

ମୁଖ୍ୟ ମନ୍ଦିରରେ ଭୋରରୁ ପୂଜାରୀମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ। ଏହାପରେ ଫୁଆରାର ପୋଖରୀ କୂଳରେ ଭାସମାନ ଥିବା ସୁନ୍ଦର ଓ ସୁସଜ୍ଜିତ ବୋଇତଟିକୁ ପୂଜା କରାଯାଇଥିଲା। ଉପସ୍ଥିତ ମହିଳାମାନେ ବୋଇତର ବନ୍ଦାପନା କାର୍ଯ୍ୟ ସମ୍ପନ୍ନ କରିଥିଲେ।

ପାରମ୍ପରିକ ଢଙ୍ଗରେ ‘ଆ-କା-ମା-ବୈ’ ଧ୍ୱନିରେ ବୋଇତଟିକୁ ଭସା ଯାଇଥିଲା। ହରିବୋଲ, ହୁଳହୁଳି ଏବଂ ଶଙ୍ଖ ଧ୍ଵନି ତଥା ଭଜନ-କୀର୍ତ୍ତନରେ ମନ୍ଦିର ପରିସର ପ୍ରକମ୍ପିତ ହୋଇ ଉଠିଥିଲା। ଏହି ଅବସରରେ ଭକ୍ତମାନଙ୍କୁ ମନ୍ଦିର ତରଫରୁ ସ୍ୱାଦିଷ୍ଟ ହବିଷ ପ୍ରସାଦ ପରଷା ଯାଇଥିଲା।

ମଥୁରାରୁ ଆସିଥିବା ବିଶିଷ୍ଟ ଗାୟକ ଜେ.ଏସ୍.ଆର. ମଧୁକର ଓ ସାଥୀଙ୍କର ସୁମଧୁର ଭଜନ ପରିବେଷଣ ଏହି ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା। ଉଦୀୟମାନ କଣ୍ଠଶିଳ୍ପୀ ପ୍ରିୟାଂଶୀ ଜେନାଙ୍କର ସଙ୍ଗୀତ ଗାୟନ ମଧ୍ୟ ଉଚ୍ଚକୋଟୀର ଥିଲା। ସୁନାମଧନ୍ୟ ଓଡ଼ିଶୀ ଗୁରୁ ନିତ୍ୟାନନ୍ଦ ଦାସଙ୍କର ଶିଷ୍ୟମାନଙ୍କ ଦ୍ୱାରା କାର୍ତ୍ତିକ ପୂର୍ଣ୍ଣିମାକୁ ଆଧାର କରି ମଞ୍ଚସ୍ଥ ନୃତ୍ୟ ଅଭିନୟ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା।

ଏହି କାର୍ଯ୍ୟକ୍ରମରେ ଶ୍ରୀ ନୀଳାଚଳ ସେବା ସଂଘର ସଭାପତି ବିଘ୍ନେଶ୍ୱର ରାଉତ, ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ।

Tags: #KarttikPurnima #Boitabandana #SriJagannathTemple #Hauzkhas #NewDelhi

LEAVE A REPLY

Please enter your comment!
Please enter your name here