ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଚଳଚଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର ପୁରୀ। ପଞ୍ଚକର ଶେଷ ଦିନରେ ଶ୍ରୀମନ୍ଦିରରେ ରାଜରାଜେଶ୍ଵର ବା ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଏନେଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଲାଗି ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗିଛି। ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି।
ଶୁକ୍ରବାର ସକାଳୁ ଅବକାଶ ନୀତି ପରେ ଖୁଣ୍ଟିଆ, ମେକାପ ଓ ପୁଷ୍ପାଳକ ସେବାୟତମାନେ ମହାପ୍ରଭୁଙ୍କ ସୁନାବେଶ ନୀତି ସମ୍ପନ୍ନ କରିଥିଲେ। ଶ୍ରୀବିଗ୍ରହମାନଙ୍କୁ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ କରାଯାଇଛି।
କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନ ପଞ୍ଚକ ବ୍ରତ ପାଳନ କରାଯାଏ। ପଞ୍ଚକ ପାଞ୍ଚ ଦିନରେ ଶ୍ରୀଜିଉ ଭକ୍ତଙ୍କୁ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଇଥା’ନ୍ତି। ଏହି ସମୟରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି।
ମଙ୍ଗଳବାର ପଞ୍ଚକର ପ୍ରଥମ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହୋଇଥିଲା। ସେହିପରି ବୁଧବାର ବାଙ୍କଚୂଡ଼ା ବେଶ ହୋଇଥିବାବେଳେ ଗୁରୁବାର ତ୍ରିବିକ୍ରମ ବେଶ ହୋଇଥିଲା। ଶୁକ୍ରବାର ପଞ୍ଚକର ଶେଷ ଦିନରେ ମହାପ୍ରଭୁ ରାଜରାଜେଶ୍ୱର ବେଶ ବା ସୁନାବେଶରେ ଦର୍ଶନ ଦେଉଛନ୍ତି।
ତେବେ ଚଳିତବର୍ଷ ୫ ଦିନ ପରିବର୍ତ୍ତେ ୪ ଦିନ ପାଳନ ହେଉଛି ପଞ୍ଚକ। ଚତୁର୍ଦ୍ଦଶୀରେ ତିଥୀ କ୍ଷୟ ଯୋଗୁଁ ଏଥର ଲକ୍ଷ୍ନୀ ନୃସିଂହ ବେଶ ହେବ ନାହିଁ। ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ପଞ୍ଚକ ନେଇ ଶ୍ରୀମନ୍ଦିରରେ ନୀତିକାନ୍ତି ଚୂଡ଼ାନ୍ତ ହୋଇଥିଲା।
ଶ୍ରୀକ୍ଷେତ୍ରରେ ବର୍ଷକୁ ମହାପ୍ରଭୁଙ୍କର ସର୍ବମୋଟ୍ ୬ ଥର ସୁନାବେଶ ହୋଇଥାଏ। ବର୍ଷସାରା କରାଯାଉଥିବା ସୁନାବେଶ ମଧ୍ୟରୁ ରଥ ଉପରେ ହେଉଥିବା ସୁନାବେଶ ସବୁଠୁ ବଡ଼ ଏବଂ ବ୍ୟାପକ। ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ଶ୍ରୀବିଗ୍ରହମାନେ କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ମାଘ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ଅବସରରେ ସୁନାବେଶ ବେଶରେ ସଜ୍ଜିତ ହୁଅନ୍ତି।
Tags: #KartikaPurnima #PanchakBrata #SunaBesa #Culture #Srimandir #Puri