ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରପ୍ରଦେଶର ଆଧ୍ୟତ୍ମିକ ନଗରୀ ବାରାଣାସୀରେ ପ୍ରବାସୀ ଓଡ଼ିଆମାନଙ୍କ ଦ୍ଵାରା ପାଳିତ ହୋଇଛି କାର୍ତ୍ତିକ ପୂର୍ଣ୍ଣିମା। ବାରାଣାସୀ ଉତ୍କଳ ସମାଜ ପକ୍ଷରୁ ଓଡ଼ିଶାର ଗୌରବମୟ ଇତିହାସ ଓ ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ମୂକସାକ୍ଷୀ ବୋଇତ ବନ୍ଦାଣ ଉତ୍ସବକୁ ଉତ୍ସାହପୂର୍ଣ୍ଣ ଭାବେ ପାଳନ କରାଯାଇଛି। ଶୁକ୍ରବାର ସକାଳେ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟ (ବିଏଚୟୁ) ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି ବୋଇତ ବନ୍ଦାଣ ଉତ୍ସବରେ ବିଏଚୟୁର ଛାତ୍ରଛାତ୍ରୀ ଓ ବାରାଣସୀ ଉତ୍କଳ ସମାଜର ସଦସ୍ୟମାନେ ସାମିଲ ହୋଇଥିଲେ। ସମସ୍ତେ ଏକାଠି ହୋଇ ତୁଳସୀ ଚଉଁରା ସାମ୍ନାରେ ସୁନ୍ଦର ରଙ୍ଗୋଲି ବନେଇବା ସହିତ ପାରମ୍ପାରିକ ରୀତିରେ ପୂଜାର୍ଚ୍ଚନା କରିଥିଲେ।

ଏହାପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ସୁସଜ୍ଜିତ ବୋଇତକୁ ବନ୍ଦାପନା କରି ବିଏଚୟୁର କୃଷିବିଜ୍ଞାନ ଗବେଷଣା କେନ୍ଦ୍ରର ପୁଷ୍କରିଣୀରେ ଭସାଯାଇଥିଲା। ଡଙ୍ଗା ଭସେଇ ସମସ୍ତେ ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଇତିହାସକୁ ସ୍ମରଣ କରିଥିଲେ।

ଏହି ଉତ୍ସବରେ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଓଡ଼ିଆ ଅଧ୍ୟାପକମାନେ ନିଜ ପରିବାରବର୍ଗଙ୍କ ସହ ଯୋଗ ଦେଇଥିଲେ।

Tags: #KartikaPurnima #Boitabandan #Festival #BHU #VaranasiUtkalSamaj #UttarPradesh

Comment