ଓଡ଼ିଶାଲାଇଭ୍ ବ୍ୟୁରୋ

ରିଲିଜ୍ ହୋଇଛି ଫିଲ୍ମ ‘ଦ ସାବରତମତୀ ରିପୋର୍ଟ’। ୨୦୦୨ ଫେବ୍ରୁଆରି ୨୭ ତାରିଖରେ ଗୁଜରାଟର ଗୋଧରା ଷ୍ଟେସନରେ ସାବରମତୀ ଏକ୍ସପ୍ରେସ ଟ୍ରେନ ପୋଡ଼ି ଭଳି ଏକ ହୃଦୟ ବିଦାରକ ଘଟଣା ଫିଲ୍ମର ପୃଷ୍ଠଭୂମି। ଏହି ଘଟଣା ପଛର ସତକୁ ସାମ୍ନାକୁ ଆଣିବାକୁ ଚେଷ୍ଟା କରିଛନ୍ତି ଫିଲ୍ମର ନିର୍ମାତା। ସାବରମତୀ ରିପୋର୍ଟର ଟିଜର ଆଉ ଟ୍ରେଲର ରିଲିଜ ହେବା ପରେ ସମସ୍ତେ ଫିଲ୍ମକୁ ଦେଖିବା ପାଇଁ ଚାହିଁ ବସିଥିଲେ 

ଫିଲ୍ମର ମୁଖ୍ୟ ଅଭ୍ୟନ୍ତ ବିକ୍ରାନ୍ତ ମ୍ୟାସି ଜଣେ ହିନ୍ଦୀ ଭିଡିଓ ଜର୍ଣ୍ଣାଲିଷ୍ଟର ଭୂମିକାରେ ନଜର ଆସିଛନ୍ତି। ଇଂରାଜୀରେ ଦକ୍ଷତା ନାହିଁ। ହେଲେ ହିନ୍ଦୀ ଭାଷାରେ ଦମ ଅଛି । ଏହି ସମୟରେ ଘଟିଛି ଗୋଧରା ଟ୍ରେନ ପୋଡି ଘଟଣା। ସାବରମତୀ ଏକ୍ସପ୍ରେସର ଯେଉଁ ୨ଟି ବଗିରେ ଅଯୋଧ୍ୟାର କରସେବକମାନେ ଥିଲେ ସେହି ବଗିରେ ନିଆଁ ଲାଗି ଯାଇଛି। ଏଥିରେ ୫୯ ଜଣ ଯାତ୍ରୀ ଜୀବନ୍ତ ଜଳି ଯାଇଥିଲେ। ବିକ୍ରମ ମ୍ୟାସି ଓରଫ ସମର କୁମାର ଗ୍ରାଉଣ୍ଡ ଜିରୋ ରିପୋର୍ଟିଂ ପାଇଁ ଯାଇଛନ୍ତି ଗୋଧରା। ସମରଙ୍କ ସହ ଯାଇଛନ୍ତି ଇଂରାଜୀ ସାମ୍ବାଦିକା ମନିକା ରାଜପୁରୋହିତଙ୍କ ଭୂମିକାରେ ଥିବା ଅଭିନେତ୍ରୀ ରିଧି ଡୋଗରା। ଇଂରାଜୀ ଆଉ ହିନ୍ଦୀ ସାମ୍ବାଦିକଙ୍କ ମଧ୍ୟରେ ଥିବା ଭେଦଭାବ, ହୀନମନ୍ୟତା ଭାବ ଫିଲ୍ମର ଆରମ୍ଭରୁ ଦେଖିବାକୁ ମିଳିଛି।

ଗୋଧରାରେ ପହଞ୍ଚି ଗ୍ରାଉଣ୍ଡ ରିପୋର୍ଟିଂ କରିବା ପରେ ଉଭୟେ ମନିକା ଏବଂ ସମର ଜାଣି ପାରିଛନ୍ତି ଯେ ଟ୍ରେନରେ ନିଆଁ ଲାଗିନଥିଲା ବରଂ ଲଗାଇ ଦିଆଯାଇଥିଲା। ହେଲେ ମନିକା ତାଙ୍କ ରିପୋର୍ଟିଂରେ ସତକୁ ଲୁଚାଇଛନ୍ତି ଆଉ ଏହା ଏକ ଦୁର୍ଘଟଣା ବୋଲି କହିଛନ୍ତି। ଏପରି ରିପୋର୍ଟିଂ କ୍ଷୁବ୍ଧ କରିଛି ସମରଙ୍କୁ। ସେ ନିଜେ ସଂଗ୍ରହ କରିଥିବା କିଛି ଭିଡିଓ କ୍ଲିପ ନିଜ ବସଙ୍କୁ ଦେଖାଇଛନ୍ତି। ବସ୍ ଏହାକୁ ଦେଖି ସମରଙ୍କୁ ପ୍ରଶଂସା କରୁଛନ୍ତି କିନ୍ତୁ ତାଙ୍କ ରିପୋର୍ଟକୁ ଚାପି ଦେଉଛନ୍ତି। ସେତିକି ନୁହେଁ, ସମରଙ୍କୁ ମିଛ କେସରେ ପକାଇ ଦେଉଛନ୍ତି।

ଏହି ଘଟଣା ଜଣେ ସଚ୍ଚୋଟ ସାମ୍ବାଦିକର ଜୀବନକୁ ମାଟିରେ ମିଶେଇ ଦେଇଛି। ଆଉ ଗୋଟିଏ ଟିଭି ଚ୍ୟାନେଲକୁ ଆକାଶକୁ ଉଠେଇ ଦେଇଥିଲା। ହେଲେ ଯେତେ ଡେରିହେଉ ପଛେ ଏ ଘଟଣା ପଛର ସତ ସାମ୍ନାକୁ ଆସିବ –ଏମିତି ବିଶ୍ୱାସ ଥିଲା ଅନ୍ୟ ଜଣେ ସାମ୍ବାଦିକାଙ୍କ। ଆଉ ସତରେ ମଧ୍ୟ ସେଇଆ ହୋଇଛି। ଗାୟତ୍ରୀ ଗିଲା ଓରଫ ରାଶି ଖାନ୍ନା ଓ ସମର ମିଶି ଏହି ଘଟଣାର ପଛର ସତ ବାହାର କରିଛନ୍ତି। କେମିତି ବାହାର କରିଛନ୍ତି ତାହା ହିଁ ଦର୍ଶକଙ୍କୁ ବାନ୍ଧି ରଖିଛି।

ଫିଲ୍ମରେ ବିକ୍ରାନ୍ତ ମ୍ୟାସିଙ୍କ ରିଧି ଡୋଗରା ଏବଂ ରାଶି ଖନ୍ନାଙ୍କ ଅଭିନୟ ଚମତ୍କାର ହୋଇଛି। ହେଲେ ଟିଜର ଆଉ ଟ୍ରେଲରକୁ ଦେଖି ଦର୍ଶକ ଯେଉଁ ଆଶା ରଖିଥିଲେ ବୋଧହୁଏ ତାଙ୍କୁ ହତାଶ ହେବାକୁ ପଡ଼ିବ। ‘ଦ କଶ୍ମୀର ଫାଇଲ’ ପରି ଫିଲ୍ମରେ ସେନ୍ସେସନ ଦେବାକୁ ମେକର୍ସ ଚେଷ୍ଟା କରିଥିଲେ। ହେଲେ କଶ୍ମୀର ଫାଇଲ ଯେପରି ଆରମ୍ଭରୁ ଶେଷ ଯାଏ ଦର୍ଶକଙ୍କୁ ବାନ୍ଧି ରଖିଥିଲା ସେମିତି କରିପାରିନି ସାବରମତୀ ରିପୋର୍ଟ। ଥିଏଟରରୁ ବାହାରି ଆସିବା ପରେ କଶ୍ମୀର ଫାଇଲ ଯେପରି ମନକୁ ଛୁଇଁ ପାରିଥିଲା ତାହା କରିପାରିନି ସାବରମତୀ ରିପୋର୍ଟ।

ଫିଲ୍ମରେ ଗୋଧରା ଟ୍ରେନ ପୋଡ଼ି ଘଟଣାର ସତ୍ୟକୁ ଦର୍ଶକଙ୍କ ସାମ୍ନାରେ ରଖିପାରି ନାହାନ୍ତି ନିର୍ମାତା। ଗୋଟିଏ କାହାଣୀ ଦେଖାଇବାକୁ ଯାଇ ଅନେକ ଦିଗକୁ ଛୁଇଁବାକୁ ଏଥିରେ ଚେଷ୍ଟା କରାଯାଇଛି। ଯେମିତି ଇଂରାଜୀ ଆଉ ହିନ୍ଦୀ ସମ୍ବାଦିକଙ୍କ ମଧ୍ୟରେ ଥିବା ବିଭେଦ। ଟ୍ରେନ ପୋଡ଼ି ପଛର କାରଣ ଫିଲ୍ମର ଏକଦମ ଶେଷ ମୂହୁର୍ତ୍ତରେ ଦେଖାଯାଇଛି, ହେଲେ ପୀଡିତଙ୍କୁ ନ୍ୟାୟ ନ ମିଳିବା ଉପରେ ଅଧିକ ଫୋକସ କରାଯାଇଛି।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ଉପରେ ବି ଫିଲ୍ମରେ ଫୋକସ ରହିଛି ତାହା ହେଉଛି ଆଜିର ଜର୍ଣ୍ଣାଲିଜିମ ଏଥିକ୍ସ। ଆଜିର ଗଣମାଧ୍ୟମ କେମିତି କାହା ନିର୍ଦ୍ଦେଶରେ ଚାଲିଛି ତାହା ମଧ୍ୟ ଫିଲ୍ମରେ ଦେଖାଇବାକୁ ଚେଷ୍ଟା କରାଯାଇଛି। କହିବାକୁ ଗଲେ, ଏମିତି ଏକାଧିକ ଦିଗକୁ ଦେଖାଇବାକୁ ଯାଇ ମୁଖ୍ୟ କଥାକୁ ଠିକ ଭାବେ ଦେଖାଇ ପାରିନାହାଁନ୍ତି ନିର୍ମାତା। ସ୍କ୍ରିପ୍ଟିଂରେ ମଧ୍ୟ ସେତେଟା ଦମ ଥିବା ପରି ଲାଗୁ ନ ଥିଲା। ମୋଟ ଉପରେ କହିବାକୁ ଗଲେ ଏତେ ବଡ଼ ଘଟଣାକୁ ନେଇ ତିଆରି ହୋଇଥିବା ଫିଲ୍ମରେ ଯେଉଁ ଗାମ୍ଭୀର୍ଯ୍ୟ, ଦମଦାର ସଂଳାପ ରହିବା କଥା ତାହା ଏଥିରେ ନଥିଲା। ଫିଲ୍ମଟି ସମ୍ପୂର୍ଣ୍ଣ ଦେଖିଲା ପରେ ବି ଅନେକ କିଛି ରହିଗଲା ପରି ଲାଗୁଛି।

ତେବେ ଫିଲ୍ମରେ ‘ନଏ ଖୁନ ହେ ନଏ ଉମଙ୍ଗେ…ଅବ ହେ ନଇ ଯବାନୀ..ହମ ହେ ହିନ୍ଦୁସ୍ଥାନୀ’ ଗୀତ ମନଛୁଆଁ ହୋଇପାରିଛି। ତେବେ କାହାଣୀକୁ ବାଦଦେଲେ ଏକତା କପୁର, ଶୋଭା କପୁର ନିର୍ମିତ ଏବଂ ଧୀରଜ ସରନାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ହଲରେ ଦର୍ଶକଙ୍କ ମନୋରଞ୍ଜନ କରାଇପାରିଛି।

Tags: #TheSabarmatiReport #Film #Entertainment #India

LEAVE A REPLY

Please enter your comment!
Please enter your name here