ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଚାଲିଛି ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୪। ନଭେମ୍ବର ୧୪ ତାରିଖରୁ ଆରମ୍ଭ ହୋଇଥିବା ଏହି ବିଶାଳ ବାଣିଜ୍ୟ ମେଳାର ପ୍ରମୁଖ ଆକର୍ଷଣ ପାଲଟିଛି ସ୍ୱତନ୍ତ୍ର ‘ଓଡ଼ିଶା ମଣ୍ଡପ’। ‘ବିକଶିତ ଭାରତ ବିକଶିତ ଓଡ଼ିଶା’ ଥିମରେ ପ୍ରସ୍ତୁତ ହୋଇଛି ଓଡ଼ିଶା ମଣ୍ଡପର ଡିଜାଇନ।

ନଭେମ୍ବର ୨୭ ତାରିଖ ଯାଏଁ ଚାଲିବାକୁ ଥିବା ଏହି ମେଳାରେ ଆକର୍ଷଣ ସାଜିଛି ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଖୋଲାଯାଇଥିବା ୨୫ଟି ସ୍ୱତନ୍ତ୍ର ଷ୍ଟଲ୍। ଏଥିରେ ଓଡ଼ିଶାର କଳା କାରିଗରି, ହସ୍ତତନ୍ତ, ହସ୍ତଶିଳ୍ପ ସାମଗ୍ରୀ ସହିତ ଜନଜାତି ସଂସ୍କୃତି ଓ କଳାକୃତି ସ୍ଥାନ ପାଇଛି। ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ସହିତ ବିଭିନ୍ନ ଗ୍ରାମୀଣ ଉତ୍ପାଦ କିଣିବାକୁ ଲୋକଙ୍କ ଭିଡ଼ ଜମୁଛି।

‘ଓଡ଼ିଶା ମଣ୍ଡପ’ର ଆଉ ଏକ ଆକର୍ଷଣ ହେଉଛି ରାଜ୍ୟର ଅନନ୍ୟ ହସ୍ତକଳା ଓ ହସ୍ତଶିଳ୍ପ ସାମଗ୍ରୀର ଲାଇଭ୍ ଡେମନଷ୍ଟ୍ରେସନ। ଏଠାରେ ଓଡ଼ିଶାର କାରିଗରମାନେ ପଟ୍ଟଚିତ୍ର, ରୁପା ତାରକସି ଓ ସବାଇ ଘାସରୁ ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରୁଛନ୍ତି।

ଅହିଂସା ଉପାୟରେ ପ୍ରସ୍ତୁତ ‘କରୁଣା ସିଲ୍କ’ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏଣ୍ଡିପୋକ ଖୋସାରୁ ଅହିଂସା ଉପାୟରେ ପ୍ରସ୍ତୁତ ‘କରୁଣା ସିଲ୍କ’କୁ ଓଡ଼ିଶାର କାରିଗର ବସି ବୁଣୁଥିବାର ଦୃଶ୍ୟ ଦର୍ଶକଙ୍କ ପାଇଁ ଆଗ୍ରହର ବିଷୟ ପାଲଟିଛି। କରୁଣା ସିଲ୍କରୁ ଶ୍ରୀମନ୍ଦିର ପାଇଁ ପ୍ରସିଦ୍ଧ ଖଣ୍ଡୁଆ ପାଟ ପ୍ରସ୍ତୁତ କରାଯାଉଛି।

ବାଣିଜ୍ୟ ମେଳାରେ ଓଡ଼ିଶାର ସ୍ୱତନ୍ତ୍ର ଖାଦ୍ୟରୁଚି ଉପରେ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶା ମଣ୍ଡପରେ ଥିବା ଫୁଡ୍ ଜୋନରେ ଓଡ଼ିଶା ପ୍ରସିଦ୍ଧ ରସଗୋଲା ସହ କଟକ ଦହିବରା, ନିମାପଡ଼ା ଛେନାଝିଲ୍ଲି ଏବଂ ନୟାଗଡ଼ ଛେନାପୋଡ଼ ପ୍ରଗତି ମଇଦାନରେ ଓଡ଼ିଶାର ସୁଆଦ ପରିବେଷଣ କରୁଛି।

Tags: #IndiaInternationalTradeFair2024 #Odishapavilion #CultureandTraditionofOdisha #NewDelhi #OdishaMandapa #Delhi

Comment