ପୁଷ୍ପମିତ୍ର ମହାନ୍ତି

ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିରର ଅଣହିନ୍ଦୁ କର୍ମଚାରୀଙ୍କୁ ନେଇ ବଡ଼ ପ୍ରସ୍ତାବ ଦିଆଯାଇଛି। ତିରୁମାଲା ତିରୁପତି ଦେବସ୍ଥାନମ୍‌ ବୋର୍ଡ (ଟିଟିଡି) ମନ୍ଦିରରେ କାର୍ଯ୍ୟରତ ଅଣହିନ୍ଦୁ କର୍ମଚାରୀଙ୍କୁ ସ୍ଵେଚ୍ଛାକୃତ ଅବସର ନେବାକୁ କିମ୍ବା ଅନ୍ୟ ସରକାରୀ ବିଭାଗକୁ ସ୍ଥାନାନ୍ତର କରିବାକୁ ଚାହୁଁଛି। ଏନେଇ ଟିଟିଡିର ଅଧ୍ୟକ୍ଷ ବି ଆର୍‌ ନାଇଡୁ ଘୋଷଣା କରିଛନ୍ତି।

ଟିଟିଡି ବୋର୍ଡ ଦ୍ୱାରା ଏକ ସଂକଳ୍ପ ପାରିତ ହୋଇଛି। ଏଥିରେ ତିରୁପତି ମନ୍ଦିରର ଅଣହିନ୍ଦୁ କର୍ମଚାରୀମାନଙ୍କୁ ଆନ୍ଧ୍ରପ୍ରଦେଶର ସରକାର ଅନ୍ୟତ୍ର ନିୟୋଜିତ କରିବାକୁ ପ୍ରସ୍ତାବ ଦିଆଯାଇଛି।

ମଙ୍ଗଳବାର ଗଣମାଧ୍ୟମକୁ ବିଆର୍‌ ନାଇଡୁ କହିଛନ୍ତି, “ ଟିଟିଡି ବୋର୍ଡ ସର୍ବସମ୍ମତିକ୍ରମେ ଏହି ସଂକଳ୍ପ ପାରିତ କରିଛି। ‘ଆମେ ଟିଟିଡିରେ କାର୍ଯ୍ୟରତ ଥିବା କିଛି ଅଣହିନ୍ଦୁ ଲୋକଙ୍କୁ ଚିହ୍ନଟ କରିଛୁ। ମୁଁ ବ୍ୟକ୍ତିଗତ ଭାବେ ଏହି କର୍ମଚାରୀମାନଙ୍କୁ ଭେଟି ସେମାନଙ୍କୁ ସ୍ଵେଚ୍ଛାକୃତ ଅବସର ନେବାକୁ ଅନୁରୋଧ କରିବାକୁ ଚାହୁଁଛି। ସେମାନେ ଇଚ୍ଛୁକ ନହେଲେ, ଆମେ ସେମାନଙ୍କୁ ମନ୍ଦିରରୁ ଅନ୍ୟତ୍ର ବଦଳି କରିବୁ। ସେମାନଙ୍କୁ ରାଜସ୍ୱ, ପୌରପାଳିକା କିମ୍ବା ଅନ୍ୟ ସରକାରୀ ବିଭାଗକୁ ଡେପୁଟେସନ୍‌ରେ ପଠାଇବାକୁ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଅନୁରୋଧ କରିବୁ।”

ତିରୁପତିର ପ୍ରସିଦ୍ଧ ଶ୍ରୀ ଭେଙ୍କଟେଶ୍ୱର ମନ୍ଦିର ପରିଚାଳନା କରୁଥିବା ଟିଟିଡି ଭାରତର ଅନ୍ୟତମ ଧନୀ ଏବଂ ପ୍ରଭାବଶାଳୀ ଧାର୍ମିକ ଅନୁଷ୍ଠାନ ଭାବେ ବିବେଚନା କରାଯାଉଥିବାରୁ ନାଇଡୁଙ୍କ ଏହି ବୟାନ ଯଥେଷ୍ଟ ଗୁରୁତ୍ୱ ବହନ କରୁଛି। ଯଦିଓ ନାଇଡୁ ଏହି ନିଷ୍ପତ୍ତି ଦ୍ୱାରା ପ୍ରଭାବିତ ହେଉଥିବା ଅଣହିନ୍ଦୁ କର୍ମଚାରୀଙ୍କ ସଂଖ୍ୟା ସ୍ପଷ୍ଟ କରିନାହାନ୍ତି। ତେବେ ଅନୁଷ୍ଠାନର ଧାର୍ମିକ ଏବଂ ସାଂସ୍କୃତିକ ମୂଲ୍ୟବୋଧକୁ ସୁନିଶ୍ଚିତ କରିବା ପାଇଁ ଟିଟିଡି କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ବିବାଦୀୟ ଜମି ଆବଣ୍ଟନ

ଅନ୍ୟ ଏକ ବିବାଦୀୟ ପଦକ୍ଷେପରେ ଟିଟିଡି ଅଧ୍ୟକ୍ଷ ମନ୍ଦିର ନିକଟରେ ସରକାରୀ ଜମି ଆବଣ୍ଟନ ସମ୍ପର୍କିତ ଏକ ମାମଲାର ମଧ୍ୟ ସମାଧାନ କରିଛନ୍ତି। ବୋର୍ଡ ପକ୍ଷରୁ ଏକ ସଂକଳ୍ପ ପାରିତ କରି ରାଜ୍ୟ ସରକାରଙ୍କୁ ଆଲିପିରି ନିକଟରେ ୨୦ ଏକର ଜମି ଆବଣ୍ଟନ ବାତିଲ କରିବାକୁ ଅନୁରୋଧ କରାଯାଇଥିଲା, ଯାହା ମୂଳତଃ ମୁମତାଜ ହୋଟେଲ ନିର୍ମାଣ ପାଇଁ ଉଦ୍ଦିଷ୍ଟ ଥିଲା। ତେବେ ଏହି ଜମି ପବିତ୍ର ମନ୍ଦିର ନିକଟରେ ଥିବାରୁ ଏହାକୁ କେନ୍ଦ୍ର କରି ଆପତ୍ତି ଉଠିଥିଲା।

ଏହି ବିବାଦୀୟ ହୋଟେଲ ପ୍ରକଳ୍ପ ପ୍ରଥମେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ପୂର୍ବ କାର୍ଯ୍ୟକାଳ ସମୟରେ ପରିକଳ୍ପନା କରାଯାଇଥିଲା। ସେହି ସମୟରେ ଧାର୍ମିକ ଓ ସାଂସ୍କୃତିକ ପର୍ଯ୍ୟଟନ କାର୍ଯ୍ୟକ୍ରମ ‘ଦେବଲୋକମ୍‌’ ପ୍ରକଳ୍ପର ବିକାଶ ପାଇଁ ସରକାର ପର୍ଯ୍ୟଟନ ବିଭାଗକୁ ଜମି ଆବଣ୍ଟନ କରିଥିଲେ। ଯାହାକୁ ପରବର୍ତ୍ତୀ ସମୟରେ ସ୍ଥଗିତ ରଖା ଯାଇଥିଲା।

ତେବେ ସରକାର ବଦଳିବା ପରେ ମୁମତାଜ ହୋଟେଲ ପାଇଁ ଏହି ପ୍ଲଟକୁ ପୁନଃ ପ୍ରସ୍ତୁତ କରାଯାଇଥିଲା, ଯାହାକୁ ନେଇ ଟିଟିଡି ସହ ଜଡିତ ଧାର୍ମିକ ଗୋଷ୍ଠୀ ଏବଂ ଅଂଶୀଦାରମାନେ ତୀବ୍ର ଆପତ୍ତି ଉଠାଇଥିଲେ।

ବି ଆର୍ ନାଇଡ଼ୁ ଏହି ପ୍ରସଙ୍ଗର ସମ୍ବେଦନଶୀଳତା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି, “ଯେତେବେଳେ ମୂଳ ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା, ଏହା ଧାର୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ଥିଲା। କିନ୍ତୁ ସରକାର ପରିବର୍ତ୍ତନ ଯୋଗୁଁ ଏକ ହୋଟେଲ ପାଇଁ ସଂପୃକ୍ତ ଜମିକୁ ଆବଣ୍ଟନ କରାଯାଇଥିଲା, ଯାହା ହିନ୍ଦୁମାନଙ୍କ ପାଇଁ ଅତ୍ୟନ୍ତ ଆପତ୍ତିଜନକ ଥିଲା। ତେଣୁ ଟିଟିଡି ବୋର୍ଡ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେଇ ରାଜ୍ୟ ସରକାରଙ୍କୁ ଲିଜ୍‌ ପ୍ରତ୍ୟାହାର କରି ମନ୍ଦିର ସମ୍ବନ୍ଧୀୟ ବିକାଶ ପାଇଁ ମନ୍ଦିରକୁ ଜମି ଫେରସ୍ତ କରିବାକୁ ଅନୁରୋଧ କରିଛି।”

ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଏଆଇ

ତିରୁପତି ମନ୍ଦିରରେ ଦର୍ଶନ ଉଦେଶ୍ୟରେ ଲାଗୁଥିବା ଲମ୍ବା ଧାଡ଼ିକୁ ଶୃଙ୍ଖଳିତ କରିବା ପାଇଁ ଆଟିର୍ଫିସିଆଲ ଇଣ୍ଟେଲିଜେନ୍‌ସ (ଏଆଇ) ଟେକେ୍ନାଲୋଜିକୁ କାର୍ଯ୍ୟକାରୀ କରିବା ପାଇଁ ବୋର୍ଡର ଯୋଜନା ସମ୍ପର୍କରେ ଟିଟିଡି ଅଧ୍ୟକ୍ଷ ବି ଆର୍ ନାଇଡୁ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି, “ବେଳେବେଳେ ଭଗବାନ ଭେଙ୍କଟେଶ୍ୱରଙ୍କ ଦିବ୍ୟ ଦର୍ଶନ ପାଇଁ ଅପେକ୍ଷା ସମୟ ୩୦ ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ। ଗୋଟିଏ ପଟେ ଏହା ମାନବାଧିକାର ଉଲ୍ଲଂଘନ। ଏହି ସମସ୍ୟାର କିପରି ସମାଧାନ କରାଯିବ ସେ ନେଇ ମୁଁ ଗମ୍ଭୀରତାର ସହ ଚିନ୍ତା କରୁଛି। ଏପରି ସ୍ଥିତିକୁ ସୁଧାରିବା ପାଇଁ ଟିଟିଡି ଚେହେରା ଚିହ୍ନଟ ପ୍ରଯୁକ୍ତିର ବ୍ୟବହାର ଉପରେ ବିଚାର କରୁଛି।”

ଏହି ବ୍ୟବସ୍ଥା ଅନୁଯାୟୀ ଭକ୍ତମାନେ ମନ୍ଦିରକୁ ଯିବା ପୂର୍ବରୁ ମୁହଁର ଫଟୋ ଉଠାଇବାକୁ ପଡ଼ିବ। ଏହାପରେ ଏଆଇ ସିଷ୍ଟମ ସ୍ୱତଃସ୍ପୃତ ଭାବେ ସେମାନଙ୍କ ଦର୍ଶନ ପାଇଁ ଏକ ଟାଇମ୍‌ ସ୍ଲଟ୍‌ ଆବଣ୍ଟନ କରିବ, ଯାହା ଦ୍ୱାରା ଅଧିକ ସଂଗଠିତ ଏବଂ ଦକ୍ଷ ଧାଡ଼ି ବ୍ୟବସ୍ଥା ହୋଇପାରିବ।

ବି ଆର୍ ନାଇଡୁଙ୍କ ମନ୍ତବ୍ୟରୁ ଜଣାପଡୁଛି ଯେ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ଭିଡ ଓ ଗହଳିକୁ ନିୟନ୍ତ୍ରଣ କରିବା ପାଇଁ ଟିଟିଡି ଆଧୁନିକ ସମାଧାନ ଗ୍ରହଣ କରିବାକୁ ଆଗ୍ରହୀ, ଯାହା ଦର୍ଶକଙ୍କ ପାଇଁ ଅନୁଭୂତିକୁ ଅଧିକ ଦକ୍ଷ ଏବଂ ଆରାମଦାୟକ କରିବ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ମତାମତ ବ୍ୟକ୍ତିଗତ।)

Tags: #TirupatiTemple #NonHinduEmployees #VRS #TTD #AndhraPradesh

LEAVE A REPLY

Please enter your comment!
Please enter your name here