ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପି-ବିଜେଡି ବିବାଦ ଭିତରେ ଛନ୍ଦି ହୋଇଛି ଯାଜପୁରର ମା’ ବିରଜା ହାଟ, ଚାଷୀ ପରିବା କେଉଁଠି ବିକିବେ ଫିଟୁନି ବାଟ।
ଯାଜପୁର ଜିଲ୍ଲାର ମା’ ବିରଜା ହାଟକୁ ନେଇ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଛି। ଏହାରି ମଧ୍ୟରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ଘଟଣାକୁ ନେଇ ସରଗରମ ହୋଇଛି ଯାଜପୁର ରାଜନୀତି। ଏହି ଘଟଣା ପରେ ପରସ୍ପରକୁ ଆକ୍ଷେପ କରୁଛନ୍ତି ଧର୍ମଶାଳା ବିଧାୟକ ଏବଂ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ। ଆକ୍ରମଣ ପାଇଁ ବିଧାୟକ ହିମାଂଶୁ ଶେଖର ସିଧାସଳଖ ବବି ଦାସ ଓ ତାଙ୍କ ଭବ ପ୍ରକାଶ ଦାସଙ୍କୁ ଆକ୍ଷେପ କରିଥିବା ବେଳେ ବିଧାୟକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପ୍ରଣବ ପ୍ରକାଶ ଦାସ।
ଆକ୍ରମଣ ଘଟଣାକୁ ନେଇ ବିଧାୟକ ହିମାଂଶୁ ସାହୁଙ୍କ ପକ୍ଷରୁ ଯାଜପୁର ଟାଉନ ଥାନାରେ ଅଭିଯୋଗ କରାଯାଇଥିଲା। ଏହି ଘଟଣାରେ ପୂର୍ବରୁ ୧୦ ଜଣଙ୍କୁ ଗିରଫ କରାଯାଇଛି। ତେବେ ଜଣେ ବ୍ୟବସାୟୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରକାଶ ଦାସଙ୍କୁ ଗିରଫ କରିଛି ଯାଜପୁର ଟାଉନ ଥାନା ପୋଲିସ।
ଟାଉନ ଥାନାରେ ଭବ ପ୍ରକାଶ ଦାସ, ଯାଜପୁର ପୌରଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକଙ୍କ ସମେତ ୪୮ ଜଣଙ୍କ ବିରୋଧରେ ପୃଥକ ପୃଥକ ୪ଟି ମାମଲା ରୁଜୁ ହୋଇଛି।
କ’ଣ ରହିଛି ବିବାଦର ମୂଳ କାରଣ?
ଯାଜପୁରରେ ରହିଛି ଦୁଇ ଶହ ବର୍ଷର ପୁରୁଣା ବିରଜା ହାଟ। ପ୍ରତି ଗୁରୁବାର ଓ ରବିବାର ଏହି ହାଟ ବସିଥାଏ। ଗତବର୍ଷ ଜାନୁଆରି ମାସରୁ ଏହି ହାଟକୁ ସନ୍ଥମାଧବ ଅଞ୍ଚଳକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ହାଟକୁ ପୁରୁଣା ଜାଗାରେ ପୁଣି ବସାଇବା ପାଇଁ କିଛି ଲୋକ ଦାବି କରିଥିଲେ। ଏ ନେଇ ସେମାନେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ।
କିନ୍ତୁ ଏ ଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇନଥିଲା। ଏହାକୁ ନେଇ ମୁହାଁମୁହିଁ ହୋଇଥିଲେ ଦୁଇଗୋଷ୍ଠୀ। ପ୍ରଶାସନର ଅନୁମତି ପରେ ପୁନଃ ପୁରୁଣା ସ୍ଥାନରେ ହାଟ ବସିଥିଲା। ଏହାକୁ ନେଇ ଗୋଟିଏ ଗୋଷ୍ଠୀ ବିରୋଧ କରିବାରୁ ଉତ୍ତେଜନା ଦେଖା ଦେଇଥିଲା। ଏପରିକି ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।
ପ୍ରଶାସନ ଅନୁମତି ପରେ ମଧ୍ୟ ହାଟରେ ଅଚଳାବସ୍ଥା ଲାଗି ରହିବାରୁ ଏହାର ବିରୋଧ କରି ଚାଷୀମାନେ ରାସ୍ତାରୋକ ଆନ୍ଦୋଳନ କରିଥିଲେ। ପରିସ୍ଥିତି ବିଗିଡ଼ିରୁ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ପୁରୁଣା ସ୍ଥାନରେ ବସିଥିବା ହାଟକୁ ସାମୟିକ ଭାବେ ସ୍ଥଗିତ କରିଥିଲେ। ଏବେ କେଉଁଠି ପରିବା ବିକିବେ ଚିନ୍ତାରେ ପଡ଼ିଛନ୍ତି ଚାଷୀ।
ବିଧାୟକଙ୍କୁ ଆକ୍ରମଣ କଲା କିଏ?
ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ କହିବା ଅନୁଯାୟୀ, ହାଟ ବିବାଦକୁ ନେଇ ବୁଢ଼ାପୋଲ ନିକଟରେ ଗୋଟିଏ ଗୋଷ୍ଠୀ ରାସ୍ତାରୋକ କରିଥିଲେ। ଏହି ସମୟରେ ସେହି ବାଟ ଦେଇ ସେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। କିନ୍ତୁ ରାସ୍ତାରୋକ ଯୋଗୁଁ ତାଙ୍କ ଗାଡ଼ି ସେଠାରେ ଅଟକି ଯାଇଥିଲା। ଏହି ସମୟରେ କିଛି ଲୋକ ତାଙ୍କ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ। ଏପରିକି ବିଧାୟକଙ୍କ ପିଏସଓଙ୍କୁ ମାଡ଼ ମାରାଯାଇଥିଲା। ପ୍ରଣବ ପ୍ରକାଶ ଦାସଙ୍କ ଅମର୍ଥକ ଏହି ଅକ୍ରମଣ କରିଥିବା ଅଭିଯୋଗ କରିଥିଲେ ବିଧାୟକ ହିମାଂଶୁ ଶେଖର ସାହୁ।
ଅକ୍ରମଣ ଅଭିଯୋଗକୁ ଖଣ୍ଡନ କଲେ ବିବି
ବିଧାୟକ ହିମାଂସୁ ଶେଖର ସାହୁଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ କୌଣସି ସମ୍ପୃକ୍ତି ନଥିବା କହିଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ। ବବି କହିଛନ୍ତି, ବିରଜା ପ୍ରକଳ୍ପକୁ ନେଇ ଆନ୍ଦୋଳନ ଚାଲିଥିବା ବେଳେ ଧର୍ମଶାଳା ବିଧାୟକ ସେଠାକୁ ଯାଇଥିଲେ। ଆନ୍ଦୋଳନକାରୀଙ୍କୁ ଆକ୍ରୋଶମୂଳକ ଭାବେ କହିବାରୁ ସେମାନେ କ୍ଷୁବ୍ଧ ହୋଇ ବିଧାୟକଙ୍କ ଉପରକୁ ଆକ୍ରମଣ କରିଥିଲେ।
ପ୍ରବଣ ପ୍ରକାଶ ଦାସ ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ କହିଛନ୍ତି, “ବିଜେଡି ହିଂସାକୁ ପ୍ରଶ୍ରୟ ଦିଏ ନାହିଁ। ଯିଏ ଦୋଷୀ ଦଣ୍ଡ ମିଳିବା ଦରକାର।”
ଏହି ଘଟଣାରେ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରବଣ କହିଛନ୍ତି।
ହାଟର ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ନେଇ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରକାଶ ଦାସଙ୍କ ବିରୋଧରେ ଏତଲା ଦିଆଯାଇଥିଲା। ଭବ ପ୍ରକାଶ ଦାସଙ୍କ ସହଯୋଗୀ ଧମକ ଚମକ ଦେବା ସହ ମାଡ଼ ମାରି ଟଙ୍କା ନେଇଯାଇଥିବା ବ୍ୟବସାୟୀ ଜଣକ ଏତଲାରେ ଦର୍ଶାଇଥିଲେ। ଅଭିଯୋଗ ପରେ ଶନିବାର ଦିନ ଭବ ପ୍ରକାଶ ଦାସଙ୍କୁ ଗିରଫ କରିଥିଲା ଯାଜପୁର ଟାଉନ ଥାନା ପୋଲିସ।
Tags: #Politics #JajpurPolitics #BirajaHaat #Conflict #BJD #BJP