ମିନତି ମିଶ୍ର

ଭାରତୀୟ ସିନେମା ଜଗତରେ ‘ସୋଲେ’ ଏମିତି ଏକ ଫିଲ୍ମ ଯାହାକୁ ସମୟ ଆଜି ଯାଏଁ ବାନ୍ଧି ରଖିପାରିନି। ସବୁ ପିଢ଼ିର ଦର୍ଶକଙ୍କ ମନୋରଞ୍ଜନ କରିପାରିଛି ଫିଲ୍ମ ସୋଲେ। ଏହାର ଡାଇଲଗ, ଆକ୍ସନଠାରୁ ଆରମ୍ଭ କରି ମ୍ୟୁଜିକ୍ ପର୍ଯ୍ୟନ୍ତ ସବୁ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ରମେଶ ସିପ୍ପିଙ୍କ ନିର୍ଦ୍ଦେଶିତ ଫିଲ୍ମ ସୋଲେରେ ମୁଖ୍ୟ ଭୂମିକାରେ ଥିଲେ ସଞ୍ଜୀବ କୁମାର, ଧର୍ମେନ୍ଦ୍ର, ଅମିତାଭ ବଚ୍ଚନ, ହେମାମାଳିନୀ, ଜୟା ବଚ୍ଚନ ଓ ଅମଜଦ ଖାନ। ସେମାନଙ୍କ ନିଖୁଣ ଅଭିନୟ ଏବେ ବି ସିନେପ୍ରେମୀ ଭୁଲି ନାହାନ୍ତି।

ସୋଲେ ଫିଲ୍ମ ସ୍କ୍ରିନରେ ଦର୍ଶକଙ୍କର ଯେତିକି ମନୋରଞ୍ଜନ କରିଛି ତାଠାରୁ ଅଧିକ ମନେରଞ୍ଜନ କରିଛି ଏହାର ପରଦା ପଛରେ ଥିବା କାହାଣୀ। ଏ ମଧ୍ୟରୁ ଗୋଟିଏ ହେଉଛି ଫିଲ୍ମର ଷ୍ଟାର କାଷ୍ଟଙ୍କ ଫି’। ଏହି ଫିଲ୍ମରେ ଅଭିନୟ କରିଥିବା ସୁପର ଷ୍ଟାରମାନେ କେତେ ଟଙ୍କା ନେଇଥିଲେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

୧୯୭୫ ମସିହାରେ ‘ସୋଲେ’ ଫିଲ୍ମର ବଜେଟ୍ ଥିଲା ୩ କୋଟି ଟଙ୍କା। ଧର୍ମେନ୍ଦ୍ର ଏହି ଫିଲ୍ମ ପାଇଁ ସବୁଠାରୁ ଅଧିକ ଫି’ ନେଇଥିଲେ। ତାଙ୍କ ରୋଲ ପାଇଁ ସେ ଦେଢ ଲକ୍ଷ ଟଙ୍କା ନେଇଥିଲେ। ଧର୍ମେନ୍ଦ୍ରଙ୍କ ପରେ ଦ୍ୱିତୀୟ ହାଇଏଷ୍ଟ ପେଡ ଷ୍ଟାର ଥିଲେ ସଞ୍ଜୀବ କୁମାର। ସେ ଏହି ଫିଲ୍ମରେ ରୋଲ ପାଇଁ ୧ ଲକ୍ଷ ୨୫ ହଜାର ଟଙ୍କା ନେଇଥିଲେ। ଯଦିଓ ଫିଲ୍ମରେ ଧର୍ମେନ୍ଦ୍ରଙ୍କ ପରେ ସେକେଣ୍ଡ ଲିଡ ଭୂମକା ଅମିତାଭଙ୍କର ଥିଲା ତଥାପି ସଞ୍ଜୀବ କୁମାର ଅମିତାଭଙ୍କଠାରୁ ଅଧିକ ଟଙ୍କା ନେଇଥିଲେ। ଅମିତାଭଙ୍କୁ ଏହି ଫିଲ୍ମ ପାଇଁ ସେତେବେଳେ ୧ ଲକ୍ଷ ଟଙ୍କା ଦିଆ ଯାଇଥିଲା।

ଫିମେଲ ଷ୍ଟାରମାନଙ୍କ ମଧ୍ୟରେ ହେମାମାଳିନୀ, ଯିଏ କି ଫିଲ୍ମରେ ବସନ୍ତୀ ଭୂମିକାରେ ଅଭିନୟ କରିଥିଲେ ତାଙ୍କୁ ୭୫ ହଜାର ଟଙ୍କା ଦିଆଯାଇଥିଲା। ରାଧା ଭୂମିକାମରେ ଅଭିନୟ କରିଥିବା ଜୟା ବଚ୍ଚନ ୩୫ ହଜାର ଟଙ୍କା ନେଇଥିଲେ ଯାହା କି ଷ୍ଟାରମାନଙ୍କ ମଧ୍ୟରେ ସବୁଠାରୁ କମ ଥିଲା।

ଫିଲ୍ମରେ ସାମ୍ବା ରୋଲ କରିଥିବା ମ୍ୟାକ ମୋହନ ଏକ ମିଡିଆକୁ କହିଛନ୍ତି, ତାଙ୍କୁ ଏହି ଫିଲ୍ମରେ ଅଭିନୟ କରିବା ପାଇଁ ୧୨ ହଜାର ଟଙ୍କା ଦିଆ ଯାଇଥିଲା। ସେହିପରି କାଲିଆ ରୋଲ ନିଭାଇଥିବା ବିଜୁ ଖୋଟେଙ୍କୁ ୧୦ ହଜାର, ଇମାମ ସାବ ଚରିତ୍ରରେ ଅଭିନୟ କରିଥିବା ଏ.କେ ହଙ୍ଗଲଙ୍କୁ ୮ ହଜାର ଟଙ୍କା ମିଳିଥିଲା।

ମ୍ୟୁଜିକକୁ ନେଇ ମଧ୍ୟ ସେତେବେଳେ ସୋଲେ ଖୁବ ଚର୍ଚ୍ଚାରେ ଥିଲା। ଫିଲ୍ମର ‘ମେହବୁବା ମେହବୁବା’ ଗୀତ ଆଜି ବି ତାର ସ୍ଥାନ ବଜାୟ ରଖିଛି। ସିପ୍ପି ଫିଲ୍ମ ଏବଂ ଏନଏଚ ଷ୍ଟୁଡିଓ ପ୍ରଡକ୍ସନର ଫିଲ୍ମ ସୋଲେ ସେତେବେଳେ ହାଇଏଷ୍ଟ ଗ୍ରସିଙ୍ଗ କମର୍ସିଆଲ ଫିଲ୍ମ ଥିଲା ଯାହା କି ବକ୍ସ ଅଫିସରେ ଖୁବ ହିଟ କରିଥିଲା।

Tags: #Sholay #StarCast #Bollywood #Entertainment

LEAVE A REPLY

Please enter your comment!
Please enter your name here