ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନ ଲାଗି ଆସନ୍ତା ଡିସେମ୍ବର ୨୦ ତାରିଖରେ ହେବ ଉପନିର୍ବାଚନ। ଓଡ଼ିଶା ସମେତ ଦେଶର ୪ଟି ରାଜ୍ୟର ମୋଟ ୬ଟି ଆସନ ଲାଗି ଉପନିର୍ବାଚନ ହେବ। ଏ ନେଇ ମଙ୍ଗଳବାର ଦିନ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଓଡ଼ିଶାରେ ଗୋଟିଏ ରାଜ୍ୟସଭା ଆସନ ଖାଲି ପଡ଼ିଥିବାବେଳେ ଆନ୍ଧ୍ରପ୍ରଦେଶରେ ୩ଟି ଆସନ ଖାଲି ରହିଛି। ସେହିପରି ପଶ୍ଚିମବଙ୍ଗରେ ଗୋଟିଏ ଓ ହରିଆଣାରେ ଗୋଟିଏ ରାଜ୍ୟସଭା ଆସନ ଖାଲି ପଡ଼ିଛି। ଖାଲିଥିବା ଏହି ଆସନଗୁଡ଼ିକ ଲାଗି ଆସନ୍ତା ଡିସେମ୍ବର ୨୦ ତାରିଖରେ ଉପନିର୍ବାଚନ ହେବ।
ଉପନିର୍ବାଚନ ପାଇଁ ଆସନ୍ତା ଡିସେମ୍ବର ୩ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯିବ। ଡିସେମ୍ବର ୧୦ ତାରିଖରେ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ସେହିପରି ଡିସେମ୍ବର ୧୧ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ ଏବଂ ୧୩ ତାରିଖରେ ପ୍ରାଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି।
ଗତ ସେପ୍ଟେମ୍ବର ୬ ତାରିଖରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ସୁଜିତ କୁମାର। ବିଜେଡି ଟିକେଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ସୁଜିତ କୁମାର କାର୍ଯ୍ୟକାଳ ସରିବାର ୨ ବର୍ଷ ପୂର୍ବରୁ ଇସ୍ତଫା ଦେଇଥିଲେ।
ଏହା ପୂର୍ବରୁ ଗତ ଜୁଲାଇ ୩୧ ତାରିଖରେ ରାଜ୍ୟସଭା ସାଂସଦ ପଦ ସହ ବିଜେଡିରୁ ମମତା ମହାନ୍ତ ଇସ୍ତଫା ଦେଇଥିଲେ। କାର୍ଯ୍ୟକାଳ ଶେଷ ହେବାର ୨୧ ମାସ ପୂର୍ବରୁ ମମତା ମହାନ୍ତ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ। ବିଜେଡିରୁ ଇସ୍ତଫା ଦେବା ପରେ ବିଜେପିରେ ସାମିଲ ହୋଇ ପୁଣି ରାଜ୍ୟସଭାକୁ ଯାଇଛନ୍ତି ମମତା।
ମମତା ମହାନ୍ତଙ୍କ ପରି ସୁଜିତ କୁମାରଙ୍କୁ ବିଜେପି ପୁଣି ରାଜ୍ୟସଭାକୁ ପଠାଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।
Tags: #Politics #OdishaPolitics #RajyaSabhaByeElection #SujitKumar #Odisha #ElectionCommissionOfIndia