ପୁଷ୍ପମିତ୍ର ମହାନ୍ତି
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱରେ ନବଗଠିତ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ବୋର୍ଡ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର ଏବଂ ଆଧ୍ୟାତ୍ମିକ ସହର ତିରୁମାଲାର ଉନ୍ନତି ପାଇଁ ଅନେକ ପରିବର୍ତ୍ତନମୂଳକ ପଦକ୍ଷେପ ଗ୍ରହଣ କରିଛି।
ତିରୁପତି ମନ୍ଦିରର ଲଡ଼ୁ ପ୍ରସାଦର ଶୁଦ୍ଧତା ଓ ଗୁଣବତ୍ତାକୁ ନେଇ ବିବାଦ ଦେଖାଦେଲା ପରେ ଏହାକୁ ନେଇ ତତ୍ପରତା ଦେଖାଇଥିଲେ ଆନ୍ଧ୍ରପ୍ରଦେଶ ସରକାର। ଉଚ୍ଚ ମାନର ଘିଅ ଚୟନର ତଦାରଖ କରିବା ଏବଂ କଠୋର ଗୁଣବତ୍ତା ନିୟନ୍ତ୍ରଣ ସୁନିଶ୍ଚିତ କରିବା ପାଇଁ ୯୦ ଲକ୍ଷ ଟଙ୍କାର ଅତ୍ୟାଧୁନିକ ପରୀକ୍ଷାଗାର ପ୍ରତିଷ୍ଠା ପାଇଁ ଏକ ବିଶେଷଜ୍ଞ କମିଟି ନିଯୁକ୍ତ କରିବାକୁ ଟିଟିଡି ଅଧ୍ୟକ୍ଷ ବିଆର୍ ନାଇଡୁ ଘୋଷଣା କରିଛନ୍ତି।
ସେ କହିଛନ୍ତି, “ମନ୍ଦିର ପ୍ରସାଦର ପବିତ୍ରତା ବଜାୟ ରଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କାରଣ ପ୍ରସାଦର ଶୁଦ୍ଧତା ଉପରେ ଭକ୍ତମାନେ ଅତୁଟ ବିଶ୍ୱାସ ରଖନ୍ତି।”
ଏହା ବ୍ୟତୀତ ମାଗଣା ଦର୍ଶନ (‘ସର୍ବ ଦର୍ଶନମ୍’) ପାଇଁ ଅପେକ୍ଷା ସମୟ କମାଇବାକୁ ଟିଟିଡି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭିତ୍ତିକ ଧାଡ଼ି ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ କରିବ। ପର୍ବପର୍ବାଣୀ ସମୟରେ ଅପେକ୍ଷା ସମୟକୁ ୧୨ ଘଣ୍ଟାରୁ କମାଇ ମାତ୍ର ୩ ଘଣ୍ଟା କରିବାକୁ ଲକ୍ଷ୍ୟ ରଖାଯାଇଛି। ବିଆର୍ ନାଇଡୁ କହିଛନ୍ତି, ଧାଡ଼ି ପରିଚାଳନା ଜଟିଳ, କିନ୍ତୁ ଆମର ପ୍ରାଥମିକତା ଭକ୍ତଙ୍କ ସୁବିଧା ବୃଦ୍ଧି କରିବା।
ଅଣହିନ୍ଦୁ କର୍ମଚାରୀଙ୍କୁ ମନ୍ଦିର ଦାୟିତ୍ୱରୁ ଅନ୍ୟ ସରକାରୀ ବିଭାଗକୁ ବଦଳି କରିବା କିମ୍ବା ସେମାନଙ୍କୁ ସ୍ଵେଚ୍ଛାକୃତ ଅବସର ପ୍ରଦାନ କରିବାକୁ ବୋର୍ଡ ଏକ ସମ୍ବେଦନଶୀଳ ନିଷ୍ପତ୍ତି ନେଇଛି। ଏହି ପଦକ୍ଷେପ ଟିଟିଡିର ୭,୦୦୦ ସ୍ଥାୟୀ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୩୦୦ ଜଣଙ୍କୁ ପ୍ରଭାବିତ କରିବ।
ବୋର୍ଡ ତିରୁମାଲାରେ ଅଣହିନ୍ଦୁ ଧର୍ମର ପ୍ରଚାର ବିରୋଧରେ ନିଜର ଆଭିମୁଖ୍ୟକୁ ମଧ୍ୟ ସ୍ପଷ୍ଟ କରିଛି ଏବଂ ପବିତ୍ର ପାହାଡ଼ରେ ରାଜନୈତିକ ଭାବରେ ମନ୍ତବ୍ୟ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିଷ୍ପତ୍ତି ନେଇଛି।
ଶ୍ରୀନିବାସ ସେତୁରୁ ତିରୁପତି ଫ୍ଲାଏ ଓଭରର ନାମ ପରିବର୍ତ୍ତନ କରି ଗରୁଡ଼ ବରାଧି କରିବା ସମେତ ପୂର୍ବ ୱାଇଏସଆର କଂଗ୍ରେସ ପାର୍ଟି ସରକାର ସମୟରେ ନିଆଯାଇଥିବା ଅନେକ ନିଷ୍ପତ୍ତିକୁ ଟିଟିଡି ପ୍ରତ୍ୟାହାର କରିଛି। ହିନ୍ଦୁଧର୍ମକୁ ପ୍ରୋତ୍ସାହିତ କରିବା ଏବଂ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ଯୋଗାଇବାକୁ ୨୦୧୯ରେ ସ୍ଥାପିତ ଶ୍ରୀ ଭେଙ୍କଟେଶ୍ୱର ଅଳୟ ନିର୍ମାଣମ (ଶ୍ରୀବାଣୀ) ଟ୍ରଷ୍ଟକୁ ମଧ୍ୟ ଏହା ଭାଙ୍ଗି ଦେଇଛି।
ଭିଆଇପି ଦର୍ଶନ ସୁବିଧା ସହ ଜଡ଼ିତ ୧,୦୮୬ କୋଟିରୁ ଅଧିକ ଚାନ୍ଦା ଆଦାୟ କରିଥିବା ଟ୍ରଷ୍ଟକୁ ଅନିୟମିତତା ଅଭିଯୋଗ ହୋଇଥିଲା। ଟିଟିଡି ଟ୍ରଷ୍ଟର ପାଣ୍ଠିକୁ ଏହାର ପ୍ରାଥମିକ ଆକାଉଣ୍ଟରେ ମିଶ୍ରଣ କରିବ ଏବଂ ଅଭିଯୋଗର ତଦନ୍ତ ଆରମ୍ଭ କରିବ।
ଦର୍ଶନ ଟିକେଟର ଅପବ୍ୟବହାର ରୋକିବା ପାଇଁ ବୋର୍ଡ ପକ୍ଷରୁ ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ନିଗମକୁ ଦର୍ଶନ କୋଟା ଆବଣ୍ଟନ ପ୍ରଥାକୁ ବନ୍ଦ କରାଯାଇଛି। ଭିଜିଲାନ୍ସ ତଦନ୍ତରୁ ବ୍ୟବସ୍ଥାରେ ବ୍ୟାପକ ଅନିୟମିତତା ପଦାକୁ ଆସିଛି। ପ୍ରତି ମାସର ପ୍ରଥମ ମଙ୍ଗଳବାର ଦିନ ତିରୁପତି ବାସିନ୍ଦାଙ୍କ ଦର୍ଶନ ମଧ୍ୟ ପୁନରୁଦ୍ଧାର କରାଯାଇଛି, ଯାହା ଫଳରେ ମନ୍ଦିରକୁ ସ୍ଥାନୀୟ ପ୍ରବେଶ ବୃଦ୍ଧି ପାଇଛି।
ବିଶାଖା ସାରଦା ପୀଠ ନିର୍ମାଣରେ ନିୟମ ଉଲ୍ଲଂଘନ ହୋଇଥିବା ଦର୍ଶାଇ ଟିଟିଡି ବୋର୍ଡ ଏକ ବିବାଦୀୟ ପଦକ୍ଷେପ ଗ୍ରହଣ କରି ବିଶାଖା ସାରଦା ପୀଠମକୁ ଲିଜରେ ଦିଆଯାଇଥିବା ଜମି ପୁନରୁଦ୍ଧାର କରିବାକୁ ନିଷ୍ପତ୍ତି ନେଇଛି। ଏହି ଢାଞ୍ଚାକୁ ଭାଙ୍ଗି ଭଙ୍ଗାଯିବ ଏବଂ ଜମିକୁ ଟିଟିଡି ନିୟନ୍ତ୍ରଣକୁ ଅଣାଯିବ। ଏକ ପଞ୍ଚତାରକା ହୋଟେଲ ଲାଗି ଜମି ଆବଣ୍ଟନ ପାଇଁ ପୂର୍ବ ନିଷ୍ପତ୍ତିକୁ ପ୍ରତ୍ୟାହାର କରି ଦେବ ଲୋକମ୍ ପ୍ରକଳ୍ପକୁ ପୁନରୁଦ୍ଧାର କରିବାକୁ ବୋର୍ଡ ଲକ୍ଷ୍ୟ ରଖିଛି।
ଏହା ବ୍ୟତୀତ ଟିଟିଡି ତିରୁମାଲାର ଆଧ୍ୟାତ୍ମିକ ପରିବେଶକୁ ଉନ୍ନତ କରିବା ପାଇଁ ଯୋଜନା କରିଛି, ଯେଉଁଥିରେ ବର୍ତ୍ତମାନର ଦାତା କଟେଜଗୁଡ଼ିକୁ ଦିବ୍ୟ ନାମରେ ନାମିତ କରାଯାଇଛି। ଏହି ଯୋଜନା ଆଧାରରେ ବର୍ଷ ବର୍ଷ ଧରି ଜମା ହୋଇଥିବା ଐତିହାସିକ ବର୍ଜ୍ୟବସ୍ତୁକୁ ସଫା କରାଯିବ। ଟିଟିଡିର କାର୍ଯ୍ୟନିର୍ବାହୀ ଅଧିକାରୀ ଜେ ଶ୍ୟାମଲା ରାଓ କହିଛନ୍ତି, ତିରୁମାଲାର ପ୍ରତିଟି ସ୍ଥାନ ଏହାର ଆଧ୍ୟାତ୍ମିକ ମହତ୍ତ୍ୱକୁ ପ୍ରତିଫଳିତ କରିବା ଉଚିତ।
ଏହି ବ୍ୟାପକ ସଂସ୍କାର ସହିତ ଅଧ୍ୟକ୍ଷ ନାଇଡୁ ତିରୁମାଲା ଭାରତରେ ସବୁଠାରୁ ଅଧିକ ଦର୍ଶନୀୟ ଏବଂ ଆଧ୍ୟାତ୍ମିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଉପାସନାସ୍ଥଳୀ ଭାବରେ ନିଜର ମାନ୍ୟତା ବଜାୟ ରଖିବା ଉପରେ ବିଶ୍ୱାସ ବ୍ୟକ୍ତ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ମନ୍ଦିରର ପବିତ୍ରତା ବଜାୟ ରଖିବା ଏବଂ ଶ୍ରଦ୍ଧାଳୁଙ୍କ ଅଭିଜ୍ଞତାକୁ ବଢ଼ାଇବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି।
Tags: #TirupatiTemple #TTD #AndhraPradesh #Reforms