ଓଡ଼ିଶାଲାଇଭ୍ ବ୍ୟୁରୋ
- ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୪ରେ ‘ଓଡ଼ିଶା ମଣ୍ଡପ’ କୁ ରୌପ୍ୟ ପଦକ
- କ୍ରମାଗତ ଭାବେ ତୄତୀୟ ଥର ପାଇଁ ପୁରସ୍କୃତ ହେଲା ଓଡ଼ିଶା
(ନୂଆଦିଲ୍ଲୀ/ଭୁବନେଶ୍ୱର): ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ ୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୪ ମଞ୍ଚରେ ପୁରସ୍କୃତ ହେଲା ଓଡ଼ିଶା। ଏହି ବିଶାଳ ବାଣିଜ୍ୟ ମେଳାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ‘ଓଡ଼ିଶା ମଣ୍ଡପ’କୁ ମିଳିଛି ରୌପ୍ୟ ପଦକ। ନୂଆଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶାର ପ୍ରମୁଖ ଆବାସିକ ଆୟୁକ୍ତ ବିଶାଲ ଗଗନ ଓଡ଼ିଶା ସରକାରଙ୍କ ତରଫରୁ ବୁଧବାର ଦିନ ଏହି ପୁରସ୍କାର ଗ୍ରହଣ କରିଛନ୍ତି।
ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଙ୍ଗଠନର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ସିଂହ ଖରୋଲା ଏହି ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ଗ୍ରହଣ ସମୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଓଡ଼ିଶା ମଣ୍ଡପର ନିର୍ଦ୍ଦେଶକ ଅଶ୍ୱିନୀ କୁମାର ଭୋଇ ଓ ପ୍ରଦର୍ଶନୀ ଅଧିକାରୀ ଦୀପକ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ନଭେମ୍ବର ୧୪ ତାରିଖଠାରୁ ଆରମ୍ଭ ହୋଇଥିବା ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ ୨୭ ତାରିଖରେ ଶେଷ ହୋଇଛି। ଚଳିତ ବର୍ଷ ଓଡ଼ିଶା ଲଗାତର ଭାବେ ତୃତୀୟ ଥର ପାଇଁ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ମଞ୍ଚରେ ପୁରସ୍କୃତ ହୋଇଛି।
‘ବିକଶିତ ଭାରତ, ବିକଶିତ ଓଡ଼ିଶା’ ଥିମରେ ଚଳିତ ବର୍ଷ ‘ଓଡ଼ିଶା ମଣ୍ଡପ’ର ଡିଜାଇନ ପ୍ରସ୍ତୁତ କରାଯାଇଥିଲା। ଏଠାରେ ରାଜ୍ୟର ପ୍ରାଚୀନ କୀର୍ତ୍ତିରାଜି ସହ ଭାରତର ଆଧୁନିକ ବିଜ୍ଞାନ ଓ କାରିଗରିର ଯାତ୍ରା ପ୍ରତିଫଳିତ ହୋଇଥିଲା।
ଓଡ଼ିଶାର ମନ୍ଦିର ଭାସ୍କର୍ଯ୍ୟର ମୁଖଶାଳା ମୁକ୍ତେଶ୍ୱର ତୋରଣ, କୋଣାର୍କ ମନ୍ଦିରର ପ୍ରତିରୂପ, ରତ୍ନଗିରିର ବୌଦ୍ଧ କୀର୍ତ୍ତିରାଜି ସହ ଅତ୍ୟାଧୁନିକ ବୁଲେଟ ଟ୍ରେନ ଓ ଶିଳ୍ପ ପ୍ରଗତିର ଚିତ୍ର ଓଡ଼ିଶା ମଣ୍ଡପକୁ ଅଧିକ ଆକର୍ଷଣୀୟ କରିଥିଲା।
ଓଡ଼ିଶା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତତ୍ତ୍ୱାବଧାନରେ ପ୍ରସ୍ତୁତ ଓଡ଼ିଶା ପାଭିଲିୟନରେ ଚଳିତ ବର୍ଷ ବିଭିନ୍ନ ବିଭାଗ ପକ୍ଷରୁ ମୋଟ ୨୫ଟି ଷ୍ଟଲ ସ୍ଥାନ ପାଇଥିଲା। ଗତ ୧୪ ଦିନ ମଧ୍ୟରେ ଓଡ଼ିଶା ମଣ୍ଡପକୁ ୫ ଲକ୍ଷରୁ ଅଧିକ ଲୋକ ଆସିଥିବା ବେଳେ ମଣ୍ଡପରେ ୫୫ ଲକ୍ଷରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିବା ଜଣାପଡ଼ିଛି।
Tags: #CultureandTraditionofOdisha #OdishaPavilionAwarded #IndiaInternationalTradeFair2024 #Odishapavilion #CultureandTraditionofOdisha #NewDelhi #OdishaMandapa #Delhi