ଓଡ଼ିଶାଲାଇଭ୍ ବ୍ୟୁରୋ
ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ପୁଣିଥରେ ଶପଥ ନେଇଛନ୍ତି ହେମନ୍ତ ସୋରେନ। ଗୁରୁବାର ଝାଡ଼ଖଣ୍ଡର ରାଜ୍ୟପାଳ ସନ୍ତୋଷ ଗଙ୍ଗୱାର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସେ ଚତୁର୍ଥଥର ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।
ରାଞ୍ଚିରେ ହେମନ୍ତ ସୋରେନଙ୍କ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ପିଡିପି ନେତ୍ରୀ ମେହେବୁବା ମୁଫ୍ତି, କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡି କେ ଶିବକୁମାରଙ୍କ ସମେତ ଇଣ୍ଡି ମେଣ୍ଟର ଅନ୍ୟ ଦଳର ସଦସ୍ୟମାନେ ଯୋଗ ଦେଇଥିଲେ।
ତେବେ ଗୁରୁବାର କେବଳ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପରେ ଅନ୍ୟ ମନ୍ତ୍ରୀମାନେ ଶପଥ ନେବେ। ଏନେଇ ଆଗକୁ ମନ୍ତ୍ରିମଣ୍ଡଳ ଘୋଷଣା କରାଯିବ।
ତେବେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ଜେଏମଏମ ନେତୃତ୍ଵରେ ଇଣ୍ଡି ମେଣ୍ଟ ବିଜୟୀ ହୋଇଛି। ମେଣ୍ଟକୁ ଏଠାରେ ୫୬ଟି ଆସନ ମିଳିଥିବାବେଳେ ସେଥିରୁ ଜେଏମଏମ ୩୪ଟି ଓ କଂଗ୍ରେସ ୧୬ଟି ଆସନ ଅକ୍ତିଆର କରିଥିଲା। ଅନ୍ୟପଟେ ବିଜେପି ମେଣ୍ଟ ମାତ୍ର ୨୪ଟି ଆସନ ହାସଲ କରି ପଛରେ ରହିଯାଇଥିଲା।
Tags: #HemantSoren #CMofJharkhand #JMM #Congress #INDIAlliance #Politics