ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାମ ୨୦୨୭ ସୁଦ୍ଧା ସରିବ। ଏଥିରେ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୂଳିଆ ଯାଏଁ ୨୬ କିଲୋମିଟରରେ ୨୦ଟି ଷ୍ଟେସନ ରହିବ। ଶନିବାର ଏହି ମେଟ୍ରୋ ପ୍ରକଳ୍ପର ସମୀକ୍ଷା କରି ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।
“ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ଦିଲ୍ଲୀ ମେଟ୍ରୋ ସହିତ ମିଶି ରାଜ୍ୟ ସରକାର କାମ କରୁଛନ୍ତି। ନଭେମ୍ବର ୨୦୨୩ରେ ଡିପିଆର୍ ଅନୁମୋଦନ ପରେ କାମ ଆରମ୍ଭ ହୋଇଛି। ଏହାର ବଜେଟ୍ ୬ ହଜାର ୨୫୬ କୋଟି ଟଙ୍କା ରହିଛି। ୨୦୨୩ ନଭେମ୍ବରରୁ ଆଜି ପର୍ଯ୍ୟନ୍ତ ୪୬୦ କୋଟି ଟଙ୍କା ଖର୍ଚ୍ଚ ସରିଛି। ୨୦୨୭ ସୁଦ୍ଧା ଏହାର ପ୍ରଥମ ପର୍ଯ୍ୟାୟ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି”, କହିଛନ୍ତି ଅପରାଜିତା ଷଡ଼ଙ୍ଗୀ।
ସେ ଆହୁରି ମଧ୍ୟ କହିଛନ୍ତି, “ପ୍ରଥମ ପର୍ଯ୍ୟାୟରେ ୨୬ କିଲୋମିଟରରେ ମେଟ୍ରୋ କାମ ହେବ। ଏଥିରେ ହେବାକୁ ଥିବା ୨୦ଟି ଷ୍ଟେସନରେ ଓଡ଼ିଶାର କଳା, ସଂସ୍କୃତିର ଝଲକ୍ ଦେଖିବାକୁ ମିଳିବ। ୯୫ ହଜାର ଲୋକ ପ୍ରତିଦିନ ଏହାର ବ୍ୟବହାର କରିବେ। ରାଜ୍ୟ ସରକାରଙ୍କ ଅର୍ଥରେ ଏହି ମେଟ୍ରୋ କାମ ହେବ।”
ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ଏବେ ମାଟି ପରୀକ୍ଷା ଚାଲିଛି। ଭୂପୃଷ୍ଠରୁ ୫୦ରୁ ୬୦ ଫୁଟ ତଳୁ ମାଟି ନେଇ ଲ୍ୟାବରେ ପରୀକ୍ଷା ଚାଲିଛି। ମାଟି ପରୀକ୍ଷା ସରିବା ପରେ ଫାଉଣ୍ଡେସନ୍ କାମ ଆରମ୍ଭ ହେବ। ୨୦୨୪ ଜାନୁଆରି ୧ ତାରିଖରେ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।
Tags: #BhubaneswarMetroProject #MetroRail #BMRC #Bhubaneswar