ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ ଆୟୋଜିତ ହେଉଛି ସର୍ବଭାରତୀୟ ଡିଜିପି ସମ୍ମିଳନୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩-ଦିନିଆ ଓଡ଼ିଶା ଗସ୍ତରେ ରହିଛନ୍ତି। ଏହାରି ମଧ୍ୟରେ ରାଜ୍ୟକୁ ମିଳୁଛି ଖାଲିସ୍ତାନୀ ଆତଙ୍କବାଦୀଙ୍କ ଧମକ। ଭୁବନେଶ୍ଵର ବିମାନବନ୍ଦରରେ ଆକ୍ରମଣ ନେଇ ଜଣେ ଓଡ଼ିଆ ସାମ୍ବାଦିକଙ୍କୁ ଧମକପୂର୍ଣ୍ଣ ଇମେଲ୍ ମିଳିଛି। ଶନିବାର ଖାଲିସ୍ତାନୀ ଆତଙ୍କବାଦୀ ସଂଗଠନ ‘ଶିଖ୍ ଫର ଜଷ୍ଟିସ’ର ମୁଖ୍ୟ ଗୁରୁପତୱନ୍ତ ପନ୍ନୁଙ୍କ ନାମରେ ଏହି ମେସଜ ଆସିଛି।

ଡିଜିପି ସମ୍ମିଳନୀକୁ ଟାର୍ଗେଟ କରି ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ନିକଟକୁ ଅଡିଓ ମେସେଜ୍ ଆସିଛି। ଡିସେମ୍ବର ୧ ତାରିଖରେ ଭୁବନେଶ୍ଵର ବିମାନବନ୍ଦରରେ ଆକ୍ରମଣ କରାଯିବ ବୋଲି ସେଥିରେ ଧମକ ଦିଆଯାଇଛି। ଏହାସହ ଲୋକସେବା ଭବନ ଉପରେ ଯିଏ ଖାଲିସ୍ତାନୀ ପତାକା ଉଡ଼ାଇବ, ତାକୁ ୨୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି କୁହାଯାଇଛି।

ଏନେଇ ଅକ୍ଷୟ ସାହୁ ପୋଲିସ କମିଶନରଙ୍କୁ ଜଣାଇଛନ୍ତି। ଏହାସହ ସେ ଥାନାରେ ଏତଲା ମଧ୍ୟ ଦେଇଛନ୍ତି। ଇମେଲରେ ମିଲିଥିବା ମେସେଜ୍ ଉଭୟ ଇଂରାଜୀ ଏବଂ ଓଡ଼ିଆରେ ଲେଖା ହୋଇଥିବା ସେ କହିଛନ୍ତି।

ଏହି ଚେତାବନୀକୁ ନେଇ ରାଜ୍ୟ ପୋଲିସ ଗୁରୁତର ସହ ନେଇଛି। ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବା ସହ ଭୁବନେଶ୍ଵର ବିମାନବନ୍ଦରରେ ଅତିରିକ୍ତ ସିଆଇଏସଏଫ ଯବାନଙ୍କୁ ନିୟୋଜିତ କରାଯାଇଛି।

Tags: #DGPConference #KhalistanTerrorist #Terrorism #Bhubaneswar #Odisha

LEAVE A REPLY

Please enter your comment!
Please enter your name here