ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଆୟୋଜିତ ଗୁରୁପ୍ରସାଦ ମହାନ୍ତି ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର ଉଦଯାପିତ ହୋଇଯାଇଛି।

ଭୁବନେଶ୍ଵର ସ୍ଥିତ ବୁଦ୍ଧମନ୍ଦିର ସଭାଗୃହରେ ଆୟୋଜିତ ଏହି ଆଲୋଚନାଚକ୍ରର ଦ୍ଵିତୀୟ ଦିନର ପ୍ରଥମ ଅଧିବେଶନରେ ସଭାମୁଖ୍ୟ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ଯୋଗ ଦେଇ ମେଜର ଗୁରୁପ୍ରସାଦଙ୍କ ଅଧ୍ୟାପନା କାଳର କଥା ବଖାଣି ଥିଲେ। ଗୁରୁପ୍ରସାଦଙ୍କ କବିତାର ବୈଶିଷ୍ଟ୍ୟ ଏବଂ ଆନ୍ତର୍ଜାତିକ କବିତା ସମ୍ପର୍କରେ ସେ ଆଲୋକପାତ କରିଥିଲେ।

ଏହି ଅଧିବେଶନରେ ପ୍ରବନ୍ଧ ଉପସ୍ଥାପନ ପୂର୍ବକ ଗୁରୁପ୍ରସାଦଙ୍କ କବିତାର ନୂତନତା ବିଷୟରେ ବର୍ଣ୍ଣନା କରିଥିଲେ ଅଜୟ ସ୍ୱାଇଁ। ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ପବିତ୍ର ମୋହନ କର ଅତିଥିମାନଙ୍କୁ ସ୍ୱାଗତ କରିଥିଲେ।

ଉଦଯାପନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ଦେବଦାସ ଛୋଟରାୟ ଯୋଗ ଦେଇଥିଲେ। ଗୁରୁପ୍ରସାଦ ମହାନ୍ତିଙ୍କ କବିତାରେ ନାରୀଚେତନା ଶୀର୍ଷକରେ ପ୍ରବନ୍ଧ ଉପସ୍ଥାପନ କରିଥିଲେ ବିଶିଷ୍ଟ କବି ଅପର୍ଣ୍ଣା ମହାନ୍ତି।

ଉଦଯାପନୀ ଅଧିବେଶନରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ସଭାପତିତ୍ୱ କରିଥିବା ବେଳେ ସାହିତ୍ୟ ଅକାଦେମିର କୋଲକାତା ଆଞ୍ଚଳିକ କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ କ୍ଷେତ୍ରବାସୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

ଏହାପରେ ଅନୁଷ୍ଠିତ କବିସନ୍ଧି କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ସାରସ୍ୱତ ଯାତ୍ରା ସମ୍ପର୍କରେ ଅଭିବ୍ୟକ୍ତି ପ୍ରଦାନ ବରିବା ସହ ସ୍ୱରଚିତ କବିତା ପାଠ କରିଥିଲେ ବିଶିଷ୍ଟ କବି ଶତ୍ରୁଘ୍ନ ପାଣ୍ଡବ। କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଗୌରହରି ଦାସ।

ଉଭୟ କାର୍ଯ୍ୟକ୍ରମରେ ବହୁସଂଖ୍ୟକ କବି, ଲେଖକ, ଗବେଷକ, ସାହିତ୍ୟପ୍ରେମୀ ଏବଂ ଛାତ୍ରଛାତ୍ରୀ ଯୋଗ ସାମିଲ ହୋଇଥିଲେ।

Tags: #SahityaAkademi #GuruprasadMohanty #Seminar #Bhubaneswar

Comment