ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ୪ଟି ରାଜ୍ୟର ୬ ରାଜ୍ୟସଭା ଆସନ ପାଇଁ ଡିସେମ୍ବର ୨୦ ତାରିଖରେ ହେବ ଉପନିର୍ବାଚନ। ଏନେଇ ମଙ୍ଗଳବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ ଓଡ଼ିଶାରେ ଖାଲି ପଡ଼ିଥିବା ଗୋଟିଏ ଆସନ ପାଇଁ ଉପନିର୍ବାଚନ ହେବ।

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଡିସେମ୍ବର ୧୦ ତାରିଖ ଯାଏଁ ଚାଲିବ। ଡିସେମ୍ବର ୧୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ଡିସେମ୍ବର ୧୩ ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ। ଏହାପରେ ଡିସେମ୍ବର ୨୦ ତାରିଖ ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ସେହି ଦିନ ସନ୍ଧ୍ୟାରେ ହିଁ ଫଳାଫଳ ବାହାରିବ।

ଓଡ଼ିଶାରେ ଗୋଟିଏ ରାଜ୍ୟସଭା ଆସନ ଖାଲି ପଡ଼ିଥିବାବେଳେ ଆନ୍ଧ୍ରପ୍ରଦେଶରେ ୩ଟି ଆସନ ଖାଲି ରହିଛି। ସେହିପରି ପଶ୍ଚିମବଙ୍ଗରେ ଗୋଟିଏ ଓ ହରିଆଣାରେ ଗୋଟିଏ ରାଜ୍ୟସଭା ଆସନ ଖାଲି ପଡ଼ିଛି।  

ଓଡ଼ିଶାରୁ ରାଜ୍ୟସଭା ସାଂସଦ ଥିବା ସୁଜିତ କୁମାର ୨୦୨୪ ସେପ୍ଟେମ୍ବର ୬ ତାରିଖରେ ନିଜ ପଦରୁ ଇସ୍ତଫା ଦେଇଥିଲେ। ବିଜେଡି ଟିକେଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ସୁଜିତ କୁମାର କାର୍ଯ୍ୟକାଳ ସରିବାର ୨ ବର୍ଷ ପୂର୍ବରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ବିଜେପିରେ ସାମିଲ ହୋଇଛନ୍ତି।

ଏହା ପୂର୍ବରୁ ଗତ ଜୁଲାଇ ୩୧ ତାରିଖରେ ରାଜ୍ୟସଭା ସାଂସଦ ପଦ ସହ ବିଜେଡିରୁ ମମତା ମହାନ୍ତ ଇସ୍ତଫା ଦେଇଥିଲେ। କାର୍ଯ୍ୟକାଳ ଶେଷ ହେବାର ୨୧ ମାସ ପୂର୍ବରୁ ସେ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ। ବିଜେଡିରୁ ଇସ୍ତଫା ଦେବା ପରେ ବିଜେପିରେ ସାମିଲ ହୋଇ ପୁଣି ରାଜ୍ୟସଭାକୁ ଯାଇଛନ୍ତି ମମତା।

ମମତା ମହାନ୍ତଙ୍କ ପରି ସୁଜିତ କୁମାରଙ୍କୁ ବିଜେପି ପୁଣି ରାଜ୍ୟସଭାକୁ ପଠାଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Tags: #RajyaSabhaByeElection #Rajyasabha #Politics #Odisha

Comment