ପୁଷ୍ପମିତ୍ର ମହାନ୍ତି

ସମସ୍ୟାର ସମାଧାନ ପାଇଁ ଲାଗିଗଲା ଦୀର୍ଘ ୪୩ ବର୍ଷ। ଶେଷରେ ନ୍ୟାୟ ପାଇଲେ ବୀର ବାୟୁସେନା ଅଧିକାରୀଙ୍କ ପତ୍ନୀ।
ମୃତ୍ୟୁର ୪୩ ବର୍ଷ ପରେ ଭାରତୀୟ ବାୟୁସେନା ପୁଣି ଥରେ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଚନ୍ଦ୍ରଶେଖରଙ୍କ ପତ୍ନୀଙ୍କ ସହ ଯୋଡ଼ି ହୋଇଛି। ୨୦୨୪ ନଭେମ୍ବର ୩୦ ତାରିଖ ଶନିବାର ଦିନ ତାଙ୍କ ଆକାଉଣ୍ଟକୁ ୧ କୋଟିରୁ ଅଧିକ ବକେୟା ପ୍ରଦାନ କରାଯାଇଛି। ଏହା ସହ ଦୀର୍ଘଦିନ ଧରି ଲାଗି ରହିଥିବା ପେନସନ ସମସ୍ୟାର ସମାଧାନ ହୋଇଛି।
୧୯୮୨ ମସିହାରେ ଚମ୍ବଲରେ ଟ୍ରେନ୍ ଡକାୟତି ସମୟରେ ସାହସିକତା ପାଇଁ ଫ୍ଲାଇଟ ଲେଫ୍ଟନାଣ୍ଟ ଚନ୍ଦ୍ରଶେଖରଙ୍କୁ ମରଣୋତ୍ତର କୀର୍ତ୍ତିଚକ୍ର ପ୍ରଦାନ କରାଯାଇଥିଲା। ୧୯୮୧ ମସିହା ନଭେମ୍ବର ୨୧ ତାରିଖରେ ଲକ୍ଷ୍ନୌରୁ ଚେନ୍ନାଇ ଯାଉଥିବା ବେଳେ ସାଥୀ ଯାତ୍ରୀଙ୍କ ସୁରକ୍ଷା ପାଇଁ ସେ ୪ ଜଣ ସଶସ୍ତ୍ର ଡକାୟତଙ୍କ ସହ ବୀରତ୍ଵର ସହ ଲଢ଼େଇ କରିଥିଲେ। ଲଢ଼େଇ ସମୟରେ, ଡକାୟକମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ତେବେ ତାଙ୍କର ଏହି ବୀରତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଟ୍ରେନ୍ରେ ଥିବା ଅନ୍ୟ ସମସ୍ତ ସହଯାତ୍ରୀ ସୂରକ୍ଷିତ ରହିପାରିଥିଲେ।
ଏହି ସମୟରେ ପତ୍ନୀ ଗର୍ଭବତୀ ଥିବାରୁ ଚନ୍ଦ୍ରଶେଖର ଛୁଟି ନେଇ ଘରକୁ ଯାଇଥିଲେ। ତେବେ ଚେନ୍ନାଇରେ ରହୁଥିବା ପତ୍ନୀଙ୍କୁ ଚେନ୍ଦ୍ରଶେଖରଙ୍କ ଦେହାନ୍ତ ପରେ ପେନସନ ସୁବିଧା ଦିଆଯାଇନଥିଲା। ପେନସନ ପାଇଁ ଭାରତୀୟ ବାୟୁସେନା ମୁଖ୍ୟାଳୟକୁ ବାରମ୍ବାର ଦୌଡ଼ିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଧୀରେ ଧୀରେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲେ ସେ।
୧୯୮୪ରେ ସ୍ଵର୍ଗତ ଚନ୍ଦ୍ରଶେଖରଙ୍କ ପତ୍ନୀ ଅଷ୍ଟ୍ରେଲିଆ ଚାଲିଯାଇଥିଲେ। ତଥାପି ତାଙ୍କ ସମସ୍ୟାର ସମାଧାନ ହୋଇପାରି ନଥିଲା। ପରେ ସେ ୨୦୦୨ରେ ପୁନଃବିବାହ କରିଥିଲେ। ଦସ୍ତାବିଜ ଏବଂ ନାମ ଅସଙ୍ଗତି ଯୋଗୁଁ ତାଙ୍କ ଅଧିକାରର ସମାଧାନରେ ଆହୁରି ବିଳମ୍ବର ହୋଇଥିଲା।
ଶୌର୍ଯ୍ୟ ଚକ୍ର ବିଜେତା କର୍ଣ୍ଣେଲ ଭେମ୍ବୁ ଶଙ୍କରଙ୍କ ନେତୃତ୍ୱରେ ପ୍ରୋଜେକ୍ଟ ସମ୍ବନ୍ଧ ଜରିଆରେ ସ୍ଵର୍ଗତ ଚନ୍ଦ୍ରଶେଖରଙ୍କ ପତ୍ନୀ ସହାୟତା ମିଳିପାରିଛି। ୨୦୧୭ ମସିହାରେ ଆରମ୍ଭ ହୋଇଥିବା ଏହି ଅଭିଯାନ ସହିଦ ଯବାନଙ୍କ ପରିବାରକୁ ସଶସ୍ତ୍ର ବାହିନୀ ସହ ପୁନର୍ବାର ଯୋଡ଼ିବାରେ ସହାୟକ ହେବ।
କର୍ଣ୍ଣେଲ ଶଙ୍କର କହିଛନ୍ତି, ଏହି ମାମଲାର ସମାଧାନ କରିବା ସହଜ ନଥିଲା। ଏଥିପାଇଁ ୧୦ରୁ ଅଧିକ ଏଜେନ୍ସି ସହ ସମନ୍ୱୟ ଏବଂ ନିୟମ ବିଷୟରେ ଗଭୀର ବୁଝାମଣା ଆବଶ୍ୟକ ଥିଲା।
ଆହ୍ଲାବାଦ ପେନସନ୍ ବିଭାଗ ୨୦୨୪ ସେପ୍ଟେମ୍ବର ମାସରେ ବକେୟା ଦେୟ ପ୍ରକ୍ରିୟା ଆରମ୍ଭ କରିଥିଲା। ଶେଷରେ ଶନିବାର ଦିନ ତାଙ୍କ ଆକାଉଣ୍ଟରେ ୧ କୋଟିରୁ ଅଧିକ ବକେୟା ପେନସନ୍ ଜମା ହୋଇଛି।
କର୍ଣ୍ଣେଲ ଶଙ୍କର କହିଛନ୍ତି ଯେ, ଏହି ପଦକ୍ଷେପ କେବଳ ଆର୍ଥିକ ସ୍ଥିତି ନୁହେଁ ବରଂ ବାୟୁସେନା ସହିତ ଭାବନାତ୍ମକ ବନ୍ଧନକୁ ପୁନରୁଦ୍ଧାର କରିଛି।
Tags: #IndianAirForce #AirForceOfficer #Bravery








