ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଆରମ୍ଭ ହୋଇଯାଇଛି ମୟୂରଭଞ୍ଜ ମହୋତ୍ସବ ୨୦୨୪। ମୟୂରଭଞ୍ଜ ଜିଲ୍ଲା ବାରିପଦାର ଐତିହାସିକ ଛଉ ପଡ଼ିଆଠାରେ ଆୟୋଜିତ ହୋଇଥିବା ଏହି ମହୋତ୍ସବ ୧୦ ଦିନ ଧରି ଚାଲିବ। ବାରିପଦା ସହରରେ ସାଂସ୍କୃତିକ ଶୋଭାଯାତ୍ରା ସହ ଆରମ୍ଭ ହୋଇଛି ମହୋତ୍ସବ। ପ୍ରତି ସନ୍ଧ୍ୟାରେ ଆୟୋଜିତ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ।
ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଜନଜାତି ସମ୍ପ୍ରଦାୟର ଲୋକଙ୍କ ପାରମ୍ପରିକ ନୃତ୍ୟ ଗୀତରେ ଦୁଲୁକୁଛି ପରିବେଷ। ପ୍ରଥମ ଦିନରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥିଲା ଯାଜପୁର ଜିଲ୍ଲା କଳାକାରମାନଙ୍କ ଅଘୋରୀ ନୃତ୍ୟ।
ମୟୂରଭଞ୍ଜ ଜିଲ୍ଲାର କଳା ଓ ସଂସ୍କୃତିର ଏକ ସ୍ଵତନ୍ତ୍ର ପରିଚୟ ରହିଛି। ସେହି କଳା ଓ ସଂସ୍କୃତିର ବିକାଶ ପାଇଁ ଏକ ଅଭିନବ ପ୍ରୟାସ ହେଉଛି ମୟୂରଭଞ୍ଜ ମହୋତ୍ସବ। ସପ୍ତମ ବର୍ଷରେ ପଦାର୍ପଣ କରିଛି ଏହି ମହୋତ୍ସବ। ଅନ୍ୟ ବର୍ଷଗୁଡ଼ିକ ପରି ଚଳିତ ବର୍ଷ ମଧ୍ୟ କିଛି ନୂତନ ପାରମ୍ପରିକ ନୃତ୍ୟ ଗୀତ ସହ ଖାଦ୍ୟ ସାମଗ୍ରୀର ଆସର ଜମିବ।
ଚଳିତ ବର୍ଷ ବାରୁଣେଶ୍ଵର ମହାଦେବ ମନ୍ଦିର ଆକୃତିର ତୋରଣ ମହୋତ୍ସବର ପ୍ରମୁଖ ମୁଖ୍ୟ ଆକର୍ଷଣ ପାଲଟି। ଡିସେମ୍ବର ୧୧ ତାରିଖ ଉଦଯାପନୀ ସନ୍ଧ୍ୟାରେ ବଲିଉଡ କଣ୍ଠଶିଳ୍ପୀ କବିତା କ୍ରିଷ୍ଣମୂର୍ତ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ପ୍ରତିଦିନ ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଆ ସିନେ ଜଗନତର ନାମୀଦାମୀ କଳାକାର ଉତ୍ସବର ଶୋଭା ବଢ଼ାଉଛନ୍ତି।
ଆଦିବାସୀ ପରମ୍ପରାକୁ ପ୍ରାଧାନ୍ୟ ଦେଇ ଚଳିତ ବର୍ଷ ତିନିଦିନ ସ୍ଵତନ୍ତ୍ର ଆଦିବାସୀ କାର୍ଯ୍ୟକ୍ରମ ପରିବେଷଣ ପାଇଁ ନିଷ୍ପତ୍ତି ନିଆଯାଇଛି। ତିନିଦିନ ଓଡ଼ିଆ କାର୍ଯ୍ୟକ୍ରମ ସାଙ୍ଗକୁ ଦୁଇଦିନ କୁଡୁମାଲି କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ହୋଇଛି।
ସୋମବାର ସନ୍ଧ୍ୟାରେ ଓଲିଉଡ କଣ୍ଠଶିଳ୍ପୀ କୁଲଦୀପ ଓ ଅନ୍ତରା ଚକ୍ରବର୍ତ୍ତୀଙ୍କ ସଂଗୀତର ତାଳେ ତାଳେ ଝୁମିଥିଲେ ଦର୍ଶକ। ସେହିପରି ମଙ୍ଗଳବାର ସନ୍ଧ୍ୟାରେ କଣ୍ଠଶିଳ୍ପୀ ଅଙ୍କିତା ଭଟ୍ଟାଚାର୍ଯ୍ୟ ଓ ଟିମ ମହୋତ୍ସବ ପରିବେଷକୁ ଦୁଇଗୁଣିତ କରିଥିଲେ।
ବୁଧବାର ସନ୍ଧ୍ୟାରେ କୁଡ଼ୁମାଲି ଗାୟିକା ଲିପିନି ଓ ରଞ୍ଜିତ ମହାନ୍ତ ଦର୍ଶକଙ୍କ ମନୋରଞ୍ଜନ କରିବାର କାର୍ଯ୍ୟକ୍ରମ ରହିଛି।
Tags: #MayurbhanjMahostav2024 #Tradition #Culture #Baripada #Mayurbhanj #Odisha