ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଭାରତୀୟ ନୌସେନା ଦିବସ। ଦେଶର ନୌସୈନିକମାନେ ପୁରୀରେ ପରାକ୍ରମ ଦେଖାଇବେ। ସ୍ଥାନୀୟ ବ୍ଲୁ ଫ୍ଲାଗ ବେଳାଭୂମିରେ ଭାରତୀୟ ନୌସେନା ଦିବସ ସମାରୋହ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଏହି ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହାସହ ତିନି ସେନାବାହିନୀର ମୁଖ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ।
ନୌସେନା ଦିବସରେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ, ଫାଇଟର ଜେଟ୍ ଓ ମାର୍କୋସ୍ କମାଣ୍ଡୋମାନେ ସେମାନଙ୍କ ରଣକୌଶଳ ପ୍ରଦର୍ଶନ କରିବେ। ଏଥିରେ ନୌସେନାର ୧୫ଟି ଯୁଦ୍ଧ ଜାହାଜ ସମେତ ୪୦ଟି ଫାଇଟର ଜେଟ୍ ସାମିଲ ହେବେ। ପ୍ରଥମ ଥର ପାଇଁ ପୁରୀରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ ହେଉଛି।
ଏହି କାର୍ଯ୍ୟକ୍ରମରେ ଭାରତୀୟ ନୌସେନାର ଯୁଦ୍ଧପୋତ ଆଇଏନଏସ ଜଳସ୍ଵ, ମିଶାଇଲ୍ ଡେଷ୍ଟ୍ରୋୟର ଆଇଏନ୍ଏସ୍ ଦିଲ୍ଲୀ, ଆଇଏନ୍ଏସ୍ ଶକ୍ତି, ଆଇଏନ୍ଏସ୍ ସର୍ୟୁ, ଆଇଏନ୍ଏସ୍ ସାତପୁରା ପ୍ରମୁଖ ସାମିଲ ହେବାକୁ ଥିବାବେଳେ ଆକାଶରେ ନୌସେନାର ଫାଇଟର ଜେଟ୍ ମିଗ୍-୨୯ କେ, ପି-୮ ଆଇ ଏବଂ ଚେତକ, ସି କିଙ୍ଗ ଓ ଏମଏଚ-୬୦ ଭଳି ହେଲିକପ୍ଟର ଯୁଦ୍ଧ କଳା ପ୍ରଦର୍ଶନ କରିବେ।
ଉଭୟ ସମୁଦ୍ର ଓ ଆକାଶରେ ୨୦ ପ୍ରକାର ରଣକୌଶଳ ପ୍ରଦର୍ଶିତ ହେବ। ଏହାସହ ଏନ୍ସିସି କ୍ୟାଡେଟ୍ଙ୍କ ଡ୍ରିଲ୍, ନାଭାଲ୍ ମ୍ୟୁଜିକ୍ ବ୍ୟାଣ୍ଡ୍ ଏବଂ ମଞ୍ଚ ଉପରେ ନୌସୈନିକଙ୍କ ରୋମାଞ୍ଚକାରୀ ଡ୍ରିଲ୍ ପରିବେଷଣ ହେବ।
Tags: #IndianNavyDay #IndianNavy #Puri #BlueFlagBeach #Odisha