ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବେ ୫ ଦିନିଆ ଓଡ଼ିଶା ଗସ୍ତରେ ରହିଛନ୍ତି। ଗୁରୁବାର ସେ ଭୁବନେଶ୍ଵରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର (ଓୟୁଏଟି) ୪୦ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ କୃଷି କାର୍ଯ୍ୟରେ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରିବାକୁ ଆହ୍ଵାନ ଦେଇଛନ୍ତି।

“ଆମ ସଂସ୍କୃତି, ପରମ୍ପରା ଚାଷ ଉପରେ ଆଧାରିତ। ଚାଷୀ ଓ ଚାଷ ବିନା ଦେଶର ଉନ୍ନତି ସମ୍ଭବ ନୁହେଁ। କୃଷି କ୍ଷେତ୍ରରେ ବିକାଶର ବହୁତ ସୁଯୋଗ ଓ ସମ୍ଭବନା ରହିଛି। ଆମକୁ ଚାଷ କାମରେ ଅଧିକରୁ ଅଧିକ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରିବାକୁ ପଡ଼ିବ”, କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ସେ ଆହୁରି ମଧ୍ୟ କହିଛନ୍ତି, “ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ସାରା ବିଶ୍ଵ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହା କୃଷି ଉପରେ ବ୍ୟାପକ ପ୍ରଭାବ ପକାଉଛି। ଏହାର ସମାଧାନ କରାଯିବ ଜରୁରୀ। ଓୟୁଏଟି ଭଳି ଅନୁଷ୍ଠାନର ଏଥିରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିବ।”

ଏହି ଅବସରରେ ୪ ଜଣଙ୍କୁ ଡକ୍ଟରେଟ୍‌ ଉପାଧି ପ୍ରଦାନ କରିଥିଲେ ରାଷ୍ଟ୍ରପତି। ସେମାନଙ୍କ ମଧ୍ୟରେ ଆଦିବାସୀ ମହିଳା ଚାଷୀ ରାଇମତୀ ଘିଉରିଆଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଥିଲା। ମାଣ୍ଡିଆର ବିଭିନ୍ନ କିସମର ସଂରକ୍ଷଣ ଓ ପ୍ରଚାର ପ୍ରସାର ପାଇଁ ତାଙ୍କୁ ଏହି ଉପାଧି ଦିଆଯାଇଛି।

ସେହିପରି କାର୍ଯ୍ୟକ୍ରମରେ ଓୟୁଏଟିର ୭ ଜଣ ଛାତ୍ରଛାତ୍ରୀଙ୍କୁ ସ୍ଵର୍ଣ୍ଣ ପଦକ ମିଳିଥିଲା। ଏହାସହ ୧୧୮ ଜଣଙ୍କୁ ପିଏଚଡି ଡିଗ୍ରୀ ଏବଂ ୨,୭୦୫ ଜଣଙ୍କୁ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଓୟୁଏଟିର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ପ୍ରମୁଖ ଯୋଗ ଦେଇଥିଲେ।

Tags: #PresidentOfIndia #DroupadiMurmu #OdishaVisit #OUAT #ConvocationCeremony #Bhubaneswar

LEAVE A REPLY

Please enter your comment!
Please enter your name here