ଓଡ଼ିଶାଲାଇଭ୍ ବ୍ୟୁରୋ

୩ ବର୍ଷର ଅପେକ୍ଷାର ଅନ୍ତ ଘଟି ପରଦାକୁ ଆସିଛି ଫିଲ୍ମ ‘ପୁଷ୍ପା-୨’। ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ଉତ୍କଣ୍ଠା ଚରମ ସୀମାରେ ପହଞ୍ଚିଛି। ଫିଲ୍ମ ଦେଖିବାକୁ ଦକ୍ଷିଣ ଭାରତ ସମେତ ଦେଶର ଅଧିକାଂଶ ରାଜ୍ୟର ହଲରେ ସିନେପ୍ରେମୀଙ୍କ ସୁଅ ଛୁଟିଛି। ତେବେ ବୁଧବାର ରାତିରେ ହାଇଦ୍ରାବାଦର ଏକ ହଲରେ ‘ପୁଷ୍ପା-୨’ର ପ୍ରିମିୟର ସମୟରେ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି।

ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ବୁଧବାର ରାତିରେ ‘ପୁଷ୍ପା-୨’ର ପ୍ରିମିୟର ରଖାଯାଇଥିଲା। ପ୍ରିମିୟର ଦେଖିବା ପାଇଁ ଫ୍ୟାନ୍ସଙ୍କ ଭିଡ଼ ଜମିଥିଲା। ଫିଲ୍ମର ମୁଖ୍ୟ ଅଭିନେତା ଅଲ୍ଲୁ ଅର୍ଜୁନ ମଧ୍ୟ ପ୍ରିମିୟରରେ ପହଞ୍ଚିଥିଲେ। ଏକଥା ଜାଣିବା ପରେ ଭିଡ଼ ଆହୁରି ବଢ଼ି ଯାଇଥିଲା।

ଅଲ୍ଲୁ ଅର୍ଜୁନ ଯେତେବେଳେ ଫ୍ୟାନ୍ସଙ୍କ ସହ ମିଶିବାକୁ ଆସିଲେ ସେତେବେଳେ ଭିଡ ଅନିୟନ୍ତ୍ରଣ ହୋଇ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମୟରେ ମହିଳା ଜଣଙ୍କ ନିଜ ପୁଅ ସହ ତଳେ ପଡ଼ି ଯାଇଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ପୁଅ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

୫୦୦ କୋଟି ଟଙ୍କା ବଜେଟରେ ନିର୍ମିତ ‘ପୁଷ୍ପା-୨’ ଭାରତର ମହଙ୍ଗା ଫିଲ୍ମ ଶ୍ରେଣୀରେ ସାମିଲ ହୋଇଯାଇଛି। ଗୁରୁବାର ରିଲିଜର ପ୍ରଥମ ଦିନରେ ଏହା ବେଶ୍ ଧମାଲ କରିଛି।

ସିନେ ସମୀକ୍ଷକମାନେ ‘ପୁଷ୍ପା-୨’କୁ ଭଲ ରିଭ୍ୟୁ ଦେଇଛନ୍ତି। ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କ ସମେତ ରଶ୍ମିକା ମନ୍ଦାନା, ଫହାଦ ଫାସିଲ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁକୁମାର। ୨୦୨୧ରେ ଡିସେମ୍ବରରେ ‘ପୁଷ୍ପା’ର ପ୍ରଥମ ଭାଗ ରିଲିଜ୍ ହୋଇଥିଲା। ପ୍ରଥମ ଭାଗର ଲୋକପ୍ରିୟ ହେବାପରେ ଫିଲ୍ମର ଦ୍ଵିତୀୟ ପାର୍ଟକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍କଣ୍ଠା ରହିଥିଲା।

Tags: #Pushpa-2 #AlluArjun #Premiere #Stampede #Hyderabad

LEAVE A REPLY

Please enter your comment!
Please enter your name here