ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଓଡ଼ିଶା ଗସ୍ତର ଚତୁର୍ଥ ଦିନରେ ମୟୂରଭଞ୍ଜ ଯିବେ। ମୟୂରଭଞ୍ଜରେ ପହଞ୍ଚିବା ପରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ସେ ନିଜ ଜନ୍ମମାଟି ଉପରବେଡ଼ା ଗ୍ରାମକୁ ଯିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ହେବା ପରେ ଏହା ଦ୍ରୌପଦୀ ମୁର୍ମୁଙ୍କ ଚତୁର୍ଥ ମୟୂରଭଞ୍ଜ ଗସ୍ତ।

ଶୁକ୍ରବାର ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱର ବିମାନବନ୍ଦରରୁ ବାୟୁସେନାର ସ୍ଵତନ୍ତ୍ର ବିମାନ ଯୋଗେ ପଶ୍ଚିମବଙ୍ଗସ୍ଥିତ କଲେଇକୁଣ୍ଡା ଏୟାରବେସ ଅଭିମୁଖେ ଯାଇଛନ୍ତି। ସେଠାରୁ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ମୟୂରଭଞ୍ଜ ଜିଲ୍ଲାର ରଙ୍ଗାମାଟିଆରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ।

ରାଷ୍ଟ୍ରପତି ନିଜ ଜନ୍ମମାଟି ଉପରବେଡ଼ା ଗ୍ରାମକୁ ଯାଇ ସେଠାକାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ଭେଟିବେ। ଏହାସହ ଗ୍ରାମବାସୀଙ୍କ ସହ ସାକ୍ଷାତ କରିବେ। ଏହାପରେ ସେ ଉପରବେଡ଼ାରୁ ବାହାରି ରାଇରଙ୍ଗପୁରରେ ପହଞ୍ଚିବେ।

ଶୁକ୍ରବାର ଅପରାହ୍ଣରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ସେ ଅମ୍ବୁଲାନ୍ସ ସେବାର ଲୋକାର୍ପଣ କରିବେ। ଏହାପରେ ରାଇରଙ୍ଗପୁର ସ୍ଥିତ ମହିଳା ମହାବିଦ୍ୟାଳୟକୁ ଯାଇ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ। ସନ୍ଧ୍ୟାବେଳେ ରାଷ୍ଟ୍ରପତି ପୂର୍ଣ୍ଣେଶ୍ଵର ଶିବମନ୍ଦିର ଯାଇ ପୂଜାର୍ଚ୍ଚନା କରିବେ। ସେ ଶୁକ୍ରବାର ନିଜ ବାସଭବନରେ ରାତ୍ରିଯାପନ କରିବେ।

ଅନ୍ୟପଟେ ଶନିବାର ଓଡ଼ିଶା ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ରାଇରଙ୍ଗପୁରସ୍ଥିତ ନିଜ ବାସଭବନରୁ ବାହାରି ବାଙ୍ଗରିପୋଷିରେ ପହଞ୍ଚିବେ। ସେ ବାଙ୍ଗରିପୋଷିରେ ୩ଟି ନୂଆ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଅପରାହ୍ଣରେ ମୟୂରଭଞ୍ଜ ଜିଲ୍ଲା ଗସ୍ତ ସାରି ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି।

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ମୟୂରଭଞ୍ଜରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜିଲ୍ଲାରେ ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି।  

Tags: #PresidentofIndia #DroupadiMurmu #OdishaVisit #Mayurbhanj

LEAVE A REPLY

Please enter your comment!
Please enter your name here