ଓଡ଼ିଶାଲାଇଭ୍ ବ୍ୟୁରୋ
ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ରିଲିଜ୍ ହୋଇଛି ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା-୨’। ଫିଲ୍ମଟି ଦର୍ଶକଙ୍କ ଜବରଦସ୍ତ ମନୋରଞ୍ଜନ କରୁଛି। ଏହାକୁ ଦେଖିବାକୁ ଭାରତର ବିଭିନ୍ନ ରାଜ୍ୟର ହଲରେ ସିନେପ୍ରେମୀଙ୍କ ସୁଅ ଛୁଟିଛି। ପ୍ରଥମ ଦିନରେ ବକ୍ସ ଅଫିସ ରେକର୍ଡ ଭାଙ୍ଗିଛି ଏହି ଫିଲ୍ମ। ପୁଷ୍ପା-୨ କେବଳ ତେଲଗୁ ବକ୍ସ ଅଫିସ ନୁହେଁ, ହିନ୍ଦୀ ବକ୍ସ ଅଫିସରେ ରେକର୍ଡ କଲେକ୍ସନ କରିଛି। ଆରଆରଆର ଏବଂ କେଜିଏଫ-୨ ପରି ବ୍ଲକବଷ୍ଟର ଫିଲ୍ମର ଓପେନିଂ କଲେକ୍ସନକୁ ବି ପଛରେ ପକାଇ ଦେଇଛି ପୁଷ୍ପ-୨।
ଟ୍ରେଡ ଆନାଲିଟିକ୍ସଙ୍କ କହିବା ଅନୁଯାୟୀ ପୁଷ୍ପା-୨ ପ୍ରଥମ ଦିନ ଭାରତରେ ୧୭୫ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିଛି। କେବଳ ତେଲୁଗୁ ବକ୍ସ ଅଫିସରେ ଫିଲ୍ମଟି ପ୍ରଥମ ଦିନରେ ୯୫.୧ କୋଟି ଆୟ କରିଥିବା ଆକଳନ କରାଯାଇଛି। ସେହିପରି ହିନ୍ଦୀ ବକ୍ସ ଅଫିସରେ ଫିଲ୍ମ ୬୭ କୋଟି ଟଙ୍କା ଆୟ କରିଛି।
ପୁଷ୍ପା-୨ ତାମିଲନାଡୁରେ ପ୍ରଥମ ଦିନରେ ୭ କୋଟି ଟଙ୍କା ଆୟ କରିଥିବାବେଳେ କର୍ଣ୍ଣାଟକରେ ୧ କୋଟି ଟଙ୍କା, କେରଳରେ ୫ କୋଟି ଟଙ୍କାର ବ୍ୟବସାୟ କରିଛି। ପୁଷ୍ପା-୨ ଏମିତି ଏକ ଫିଲ୍ମ ହୋଇଛି ଯାହା ପ୍ରଥମ ଦିନ ତେଲୁଗୁ ଓ ହିନ୍ଦୀ ଦୁଇଟି ଭାଷାରେ ୫୦ କୋଟି ଟଙ୍କା ଉପରେ ବ୍ୟବସାୟ କରିଛି । ଆଗକୁ ଆସୁଥିବା ଦିନରେ ମଧ୍ୟ ଏହି ଧାରା ଜାରି ରହିବ ବୋଲି ଆଶା କରାଯାଉଛି।
ଫିଲ୍ମକୁ ନେଇ ସିନେ ସମୀକ୍ଷକଙ୍କ ତରଫରୁ ଢେର ପ୍ରଶଂସା ମିଳିଛି। ଅଧିକାଂଶ ସଂସ୍ଥା ଫିଲ୍ମକୁ ୪ରୁ ୫ ତାରକା ରେଡିଂ ଦେଇଛନ୍ତି। ଫିଲ୍ମରେ ଅଲ୍ଲୁଙ୍କ ବ୍ୟତୀତ ରଶ୍ମିକା ମନ୍ଦାନା, ଫହାଦ ଫାସିଲଙ୍କ ଭୂମିକା ବି ଖୁବ୍ ଭଲ ହୋଇଥିବା କୁହାଯାଉଛି।
ଅନ୍ୟପଟେ ଏତେ ସଫଳତା ପରେ ବି ଆରମ୍ଭରୁ ବିବାଦରେ ଫସି ଯାଇଛି ପୁଷ୍ପା-୨। ହାଇଦ୍ରାବାଦରେ ପ୍ରିମିୟର ସୋ’ରେ ହୋଇଥିବା ଦଳାଚକଟାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ତାଙ୍କର ୧୩ ବର୍ଷର ପୁଅ ଗୁରୁତର ହୋଇଛି। ଏହାକୁ ନେଇ ଅଲ୍ଳୁ ଅର୍ଜୁନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଅଲ୍ଳୁ ଅର୍ଜୁନ କାହାକୁ କିଛି ନ କହି ଥିଏଟରରେ ପହଞ୍ଚି ଯାଇଥିଲେ। ଏହି କାରଣରୁ ସେଠାରେ ଦଳାଚକଟା ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି।
Tags: #Pushpa-2 #BoxOffice #AlluArjun #Entertainment #India