ଓଡ଼ିଶାଲାଇଭ୍ ବ୍ୟୁରୋ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଶେଷ ଦିନ। ଶୁକ୍ରବାର ରାଷ୍ଟ୍ରପତି ମୟୂରଭଞ୍ଜର ବାଙ୍ଗିରିପୋଷିରେ ୩ଟି ରେଳ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ମଧ୍ୟ ଯୋଗ ଦେଇଥିଲେ। ମୟୂରଭଞ୍ଜରେ ବିଭିନ୍ନ କାର୍ଯ୍ୟକ୍ରମ ସାରି ସନ୍ଧ୍ୟାରେ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାଙ୍ଗିରିପୋଷିରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ବାଙ୍ଗିରିପୋଷି – ଗୋରୁମହିଷାଣୀ, ବୁଢ଼ାମରା – ଚାକୁଳିଆ ଏବଂ ବାଦାମପାହାଡ଼ – କେନ୍ଦୁଝର ରେଳ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏନେଇ ଶୁକ୍ରବାର ସକାଳେ ସେ ରାଇରଙ୍ଗପୁର ସ୍ଥିତ ନିଜ ବାସଭବନରୁ ବାହାରି ବାଙ୍ଗିରିପୋଷିରେ ପହଞ୍ଚିଥିଲେ।
ସେହିପରି ଉକ୍ତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଭିଡିଓ କନଫରେନ୍ସ ଜରିଆରେ ରାଇରଙ୍ଗପୁର ଆଦିବାସୀ ଗବେଷଣା କେନ୍ଦ୍ର, ଦାଣ୍ଡବୋଷ ଏୟାରଷ୍ଟ୍ରିପର ଉନ୍ନତିକରଣ ଓ ରାଇରଙ୍ଗପୁର ଡାକ୍ତରଖାନାକୁ ସୁପର ସ୍ପେଶାଲିଟି ହସ୍ପିଟାଲ କରିବା ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।
ବାଙ୍ଗିରିପୋଷିରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ନେଇ ରେଳବାଇ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।
Tags: #PresidentofIndia #DroupadiMurmu #OdishaVisit #Mayurbhanj