ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ଵରରେ ବଢ଼ିଚାଲିଛି ଜନସଂଖ୍ୟା। ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସହରରେ ଏକାଧିକ ସଡ଼କ, ଫ୍ଲାଇଓଭର, ରେଲ୍ ଓଭର ବ୍ରିଜ ଓ ରିଙ୍ଗ ରୋଡ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର।
ଭୁବନେଶ୍ଵର ସହରରେ ଗାଡ଼ି ଚଳାଚଳ ଓ ଟ୍ରାଫିକ ସମସ୍ୟା ଦୂର କରିବା ଲାଗି ପୂର୍ତ୍ତ ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସହର ପାଇଁ ବିଭିନ୍ନ ସଡ଼କ ପ୍ରକଳ୍ପ ଯୋଜନା ଉପରେ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଏକ ଉପସ୍ଥାପନ ରଖାଯାଇଥିଲା।
ଭୁବନେଶ୍ଵରର ଜୟଦେବ ବିହାର-ନନ୍ଦନକାନନ ନୂତନ ରାସ୍ତା, ଦୟା ୱେଷ୍ଟ କେନାଲ ଉପରେ ପଟିଆ ଷ୍ଟେସନ ଛକଠାରୁ ଜାତୀୟ ରାଜପଥ-୧୬ ପର୍ଯ୍ୟନ୍ତ ରିଙ୍ଗରୋଡ, ସୁନ୍ଦରପଦା-ଜଟଣୀ ରାସ୍ତାର ଉନ୍ନତିକରଣ, ପିତାପଲ୍ଲୀ-ତ୍ରିଶୂଳିଆ ରାସ୍ତାର ଇନ୍ଷ୍ଟିଚ୍ୟୁଟ ଅଫ ମାଥମେଟିକ୍ସଠାରୁ ଏକାମ୍ର କାନନ ପର୍ଯ୍ୟନ୍ତ ନୂତନ ରାସ୍ତା, କଳ୍ପନା ଛକ-ମ୍ୟୁଜିୟମ-ରବି ଟକିଜ ନୂତନ ଫ୍ଲାଇ ଓଭର, ଶିଶୁଭବନ-ମାଉସୀମା ମଧ୍ୟରେ ଆଉ ଏକ ରୋଡ ଓଭର ବ୍ରିଜ, ତମାଣ୍ଡୋ-ଚନ୍ଦକା-ବାରଙ୍ଗ-ଧଉଳି-ତମାଣ୍ଡୋ ପର୍ଯ୍ୟନ୍ତ ରିଙ୍ଗ ରୋଡ ନିର୍ମାଣ ବିଷୟରେ ପୂର୍ତ୍ତ ବିଭାଗର ପକ୍ଷରୁ ପ୍ରସ୍ତାବିତ ତଥ୍ୟ ଉପସ୍ଥାପନ କରାଯାଇଥିଲା।
ସେହିପରି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଭୁବନେଶ୍ଵର-କଟକ-ପୁରୀ ଇକୋନୋମିକ୍ ରିଜିଅନ ଗଠନ ଏବଂ ଗ୍ରେଟର ଭୁବନେଶ୍ଵର ଗଠନ ସଂପର୍କିତ ବିସ୍ତୃତ ତଥ୍ୟ ଉପସ୍ଥାପନ କରାଯାଇଥିଲା।
ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା, ପୂର୍ତ୍ତ ଓ ଆଇନ ମନ୍ତ୍ରୀ ବିଭାଗ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଭି ଭି ଯାଦବ, ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
Tags: #RoadPlanning #OdishaGovt #CMOdisha #Bhubaneswar