ମିନତି ମିଶ୍ର

ଇଣ୍ଡି ମେଣ୍ଟରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ଚାଲିଛି ଟଣାଓଟରା। ରାହୁଲ ଗାନ୍ଧୀଙ୍କୁ ହଟାଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହାତରେ କମାଣ ଦେବାକୁ ଦାବି କରିଛି ତୃଣମୂଳ କଂଗ୍ରେସ। ଏହାକୁ ନେଇ ଦେଶରେ ବିରୋଧୀ ଦଳଙ୍କ ମଧ୍ୟରେ ହଟଚମଟ ଦେଖିବାକୁ ମିଳିଛି।

ଯେତେଦିନ ଯାଏଁ ରାହୁଲ ଗାନ୍ଧୀଙ୍କ ହାତରେ ନେତୃତ୍ୱ ଥିବ ସେତେଦିନ ଯାଏଁ ଇଣ୍ଡି ମେଣ୍ଟ ନିର୍ବାଚନ ଜିତି ପାରିବ ନାହିଁ ବୋଲି ଟିଏମସି ନେତା ଖୋଲାଖୋଲି କହୁଛନ୍ତି। ତେଣୁ ମମତାଙ୍କୁ ମେଣ୍ଟର ନେତୃତ୍ଵ ଦିଆଯାଉ ବୋଲି ଦାବି କରିଛି ତୃଣମୂଳ କଂଗ୍ରେସ। ଏହି ଦାବିକୁ ଇଣ୍ଡି ମେଣ୍ଟର ଅଧିକାଂଶ ନେତା ସମର୍ଥନ କରୁଥିବା ଟିଏମସି ନେତାମାନେ କହିଛନ୍ତି।    

ଟିଏମସି ସାଂସଦ କୀର୍ତ୍ତି ଆଜାଦ କହିଛନ୍ତି, “କିଛି ଦଳ ଇଣ୍ଡି ମେଣ୍ଟର ବର୍ତ୍ତମାନର ନେତୃତ୍ଵ ସହ ଖୁସି ନାହାନ୍ତି। ସେମାନେ ଚାହାନ୍ତି ମମତା ବାନାର୍ଜୀ ଏବେ ମେଣ୍ଟର ଦାୟିତ୍ୱ ନିଅନ୍ତୁ। ବିଜେପି ସହ ମୁହାଁମୁହିଁ ଲଢ଼େଇ କରିବା ପାଇଁ ମମତା ବାନାର୍ଜୀ ସକ୍ଷମ। ବିଜେପି ବିରୋଧରେ କଂଗ୍ରେସର ଷ୍ଟ୍ରାଇକ ରେଟ ୧୦ ପ୍ରତିଶତ ଥିବାବେଳେ ମମତା ବାନାର୍ଜୀଙ୍କ ୭୦ ପ୍ରତିଶତ ଅଛି।”

ସେ ଆହୁରି ମଧ୍ୟ କହିଛନ୍ତି, “ଇଣ୍ଡି ମେଣ୍ଟର ସବୁ ଦଳ ଚାହୁଁଛନ୍ତି ମମତା ବାନାର୍ଜୀ ନେତୃତ୍ୱ ନେବା ଦରକାର। କଂଗ୍ରେସ ସମସ୍ତଙ୍କୁ ସାଥୀରେ ନେଇ ଚାଲି ପାରୁନି ବୋଲି ମେଣ୍ଟର ଅନେକ ନେତା କହୁଛନ୍ତି।”

ଅନ୍ୟପଟେ କଂଗ୍ରେସ ମଧ୍ୟ ଟିଏମସିକୁ କଡ଼ା ଜବାବ ଦେଇଛି। ଟିଏମସିକୁ ଅଙ୍କ ଗଣନା କରି ଆଇନା ଦେଖାଇଛି କଂଗ୍ରେସ। ଲୋକସଭାରେ ଇଣ୍ଡି ମେଣ୍ଟର ସଂଖ୍ୟା ୨୩୫ ଥିବାବେଳେ ସେଥିରୁ ୯୮ ଜଣ ସାଂସଦ କଂଗ୍ରେସର ଅଛନ୍ତି। ଅନ୍ୟପକ୍ଷେ ଟିଏମସି ସାଂସଦଙ୍କ ସଂଖ୍ୟା ମାତ୍ର ୨୮। ସେ ଦୃଷ୍ଟିରୁ ମେଣ୍ଟର ନେତୃତ୍ଵ ରାହୁଲ ଗାନ୍ଧୀଙ୍କ ହାତରେ ରହିବ ବୋଲି ଟିଏମସିକୁ ଚେତାଇ ଦେଇଛି କଂଗ୍ରେସ।

ତେବେ ଇଣ୍ଡି ମେଣ୍ଟର ଅନ୍ୟ ଦଳଙ୍କ ମଧ୍ୟରେ ଲାଲୁ ଯାଦବଙ୍କ ଆରଜେଡି ଓ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ମମତା ବାନାର୍ଜୀଙ୍କ ସପକ୍ଷରେ ରହିଛି। ଏହାସହ ମେଣ୍ଟର ପ୍ରଭାବଶାଳୀ ନେତା ଶରଦ ପୱାର ଏବଂ ଉଦ୍ଧବ ଠାକରେ ମଧ୍ୟ ଟିଏମସିର ଦାବିକୁ ସମର୍ଥନ କରୁଥିବା ଚର୍ଚ୍ଚା ହେଉଛି। 

୨୦୨୪ ଲୋକସଭା ନିର୍ବାଚନର କଂଗ୍ରେସ ନେତୃତ୍ଵରେ ଇଣ୍ଡି ମେଣ୍ଟ ପ୍ରଦର୍ଶନ କରିଥିଲା। ଲୋକସଭାରେ ବିରୋଧୀ ଦଳ ନେତା ଆସନରେ ବସିଥିଲେ ରାହୁଲ ଗାନ୍ଧୀ। ଏହା ଦଳକୁ ତଥା ଇଣ୍ଡି ମେଣ୍ଟକୁ ବେଶ ଉତ୍ସାହିତ କରିଥିଲା। ହେଲେ ଏହା ଭିତରେ ୪ଟି ବିଧାନସଭା ନିର୍ବାଚନ ହୋଇଯାଇଛି, ଯାହାର ଫଳାଫଳ ହତାଶ କରିଛି ମେଣ୍ଟକୁ।

ଜମ୍ମୁ କଶ୍ମୀରରେ ଇଣ୍ଡିମେଣ୍ଟ ଜିତିଥିଲା ହେଲେ କଂଗ୍ରେସର ପ୍ରଦର୍ଶନ ଖୁବ ଖରାପ ଥିଲା। ସେହିପରି ହରିୟାଣାରେ ମୁହାଁମୁହିଁ ଲଢେଇରେ କଂଗ୍ରେସ ବିଜେପିଠାରୁ ପରାଜିତ ହୋଇଥିଲା। ଝାଡ଼ଖଣ୍ଡରେ ଇଣ୍ଡି ମେଣ୍ଟ ଜିତିଲା ସତ ହେଲେ ଏହି ବିଜୟର ଶ୍ରେୟ ରାହୁଲ ଗାନ୍ଧୀଙ୍କ ବଦଳରେ ହେମନ୍ତ ସୋରେନଙ୍କ ପାଖକୁ ଯାଇଥିଲା।   

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ଇଣ୍ଡି ମେଣ୍ଟକୁ ଜବରଦସ୍ତ ଝଟକା ଲାଗିଥିଲା। ଏପରି ପରାଜୟ ଦଳକୁ ହତାଶ କରିବା ସହ ଏବେ ଇଣ୍ଡି ମେଣ୍ଟରେ ଫାଟ ସୃଷ୍ଟି କରିଥିବା ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।

Tags: #INDIAlliance #Congress #TMC #Opposition #Politics #India

LEAVE A REPLY

Please enter your comment!
Please enter your name here