ଓଡ଼ିଶାଲାଇଭ୍ ବ୍ୟୁରୋ
(କୃଷ୍ଣ କୁମାର ମହାନ୍ତି): ନୂଆଦିଲ୍ଲୀ ସ୍ଥିତ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ବିଷ୍ଣୁକାନ୍ତ ଶାସ୍ତ୍ରୀ ରଚନା ସଂଗ୍ରହର ଲୋକାର୍ପଣ ଉତ୍ସବ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ ବିଷ୍ଣୁକାନ୍ତ ଶାସ୍ତ୍ରୀ ରଚନା ସଂଗ୍ରହର ଲୋକାର୍ପଣ କରିବା ସହ ଏହାର ପ୍ରକାଶନ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀକୁ ଅଭିନନ୍ଦନ ଜଣାଇଥିଲେ।
“ପଣ୍ଡିତ ବିଷ୍ଣୁକାନ୍ତ ଶାସ୍ତ୍ରୀ ଜଣେ ସାରସ୍ୱତ ଗବେଷକ ତଥା ଜଣେ ସଂସ୍କୃତି ସମ୍ପନ୍ନ ରାଜନେତା। ଶାସ୍ତ୍ରୀଜୀ ଭାରତୀୟ ଦର୍ଶନ ଏବଂ କବିତାର ମହାନ ପରମ୍ପରାର ସାଧକ ଥିଲେ। ପ୍ରାଚୀନରୁ ଆଧୁନିକ ସାହିତ୍ୟ ତାଙ୍କ ଚିନ୍ତାଧାରା ଏବଂ ସମାଲୋଚନାର ବିଷୟ ପାଲଟିଥିଲା। ଏହି ବିଶେଷତା ଆଚାର୍ଯ୍ୟ ଶାସ୍ତ୍ରୀଙ୍କୁ ଉଭୟ ପରମ୍ପରା ଭିତ୍ତିକ ଚିନ୍ତାଧାରା ଏବଂ ନୂତନ ପିଢ଼ି ସହିତ ଯୋଡ଼ିଥାଏ”, କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
ସେ ଆହୁରି ମଧ୍ୟ କହିଛନ୍ତି, “ଭାରତୀୟ ସଂସ୍କୃତି, ଧର୍ମ, ଆଧ୍ୟାତ୍ମିକତା ଏବଂ ସାହିତ୍ୟକୁ ଅଗ୍ରଗତି କରିବାରେ ପଣ୍ଡିତ ବିଷ୍ଣୁକାନ୍ତ ଶାସ୍ତ୍ରୀ ବହୁତ ଅବଦାନ ଦେଇଛନ୍ତି। ସେ ସାହିତ୍ୟର ସମସ୍ତ ବିଭାଗ ମଧ୍ୟରେ କବିତାକୁ ବହୁତ ପସନ୍ଦ କରୁଥିଲେ। କବିତା ତାଙ୍କ ପାଇଁ ଏକ ସୁନ୍ଦର ଜୀବନ ଶକ୍ତି ଥିଲା। ପ୍ରେରଣାଦାୟକ ଭାଷଣ, ଚିନ୍ତାଶୀଳ ଲେଖା ଏବଂ ବକ୍ତୃତା ମାଧ୍ୟମରେ ଶାସ୍ତ୍ରୀ ଜୀ ଅନେକ ବ୍ୟକ୍ତି, ଅନୁଷ୍ଠାନ ଏବଂ ଦେଶକୁ ନୂତନ ଦର୍ଶନ ଦେଇଥିଲେ।”
କାର୍ଯ୍ୟକ୍ରମରେ କେନ୍ଦ୍ର ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ଶ୍ରୀନିବାସରାଓ ବିଷ୍ଣୁକାନ୍ତ ଶାସ୍ତ୍ରୀ ରଚନା ସଂଗ୍ରହ ବିଷୟରେ ସଂକ୍ଷେପରେ ସୂଚନା ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟର ସଚିବ ଅରୁନିଶ ଚାୱଲା, କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ମାଧବ କୌଶିକ, ଉପାଧ୍ୟକ୍ଷ କୁମୁଦ ଶର୍ମା ଓ ବିଷ୍ଣୁକାନ୍ତ ଶାସ୍ତ୍ରୀ ରଚନା ସଞ୍ଚୟନର ସମ୍ପାଦକ ଡକ୍ଟର ପ୍ରେମଶଙ୍କର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।
Tags: #PanditVishnukantSashtri #PoemCollection #Book #DharmendraPradhan #KendraSahityaAkademi #NewDelhi