ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟସଭା ଉପନିର୍ବାଚନ ପୂର୍ବରୁ ଓଡ଼ିଶାରୁ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହେଲେ ବିଜେପି ପ୍ରାର୍ଥୀ ସୁଜିତ କୁମାର। ରାଜ୍ୟସଭା ଉପନିର୍ବାଚନ ପାଇଁ ଏକମାତ୍ର ପାର୍ଥୀ ଭାବେ ସୋମବାର ଦିନ ପ୍ରାର୍ଥିପତ୍ର ଦାଖଲ କରିଥିଲେ ସୁଜିତ କୁମାର।

ସୁଜିତ କୁମାରଙ୍କ ଇସ୍ତଫା ପରେ ଓଡ଼ିଶାରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନ ଲାଗି ଆସନ୍ତା ଡିସେମ୍ବର ୨୦ ତାରିଖରେ ଉପନିର୍ବାଚନ ହେବାର ଥିଲା। ଏହି ଆସନ ଲାଗି ଏକ ମାତ୍ର ପ୍ରାର୍ଥୀ ଭାବେ ସୁଜିତ କୁମାର ପ୍ରାର୍ଥିପତ୍ର ଦାଖଲ କରିଥିବାରୁ ସେ ରାଜ୍ୟସଭାକୁ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି।

ଗତ ସେପ୍ଟେମ୍ବର ୬ ତାରିଖରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ସୁଜିତ କୁମାର। ବିଜେଡି ଟିକେଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ସୁଜିତ କୁମାର କାର୍ଯ୍ୟକାଳ ସରିବାର ୨ ବର୍ଷ ପୂର୍ବରୁ ଇସ୍ତଫା ଦେଇଥିଲେ। ପରେ ସେ ବିଜେପିରେ ଯୋଗ ଦେଇଥିଲେ।

ଏହା ପୂର୍ବରୁ ଗତ ଜୁଲାଇ ୩୧ ତାରିଖରେ ରାଜ୍ୟସଭା ସାଂସଦ ପଦ ସହ ବିଜେଡିରୁ ମମତା ମହାନ୍ତ ଇସ୍ତଫା ଦେଇଥିଲେ। କାର୍ଯ୍ୟକାଳ ଶେଷ ହେବାର ୨୧ ମାସ ପୂର୍ବରୁ ମମତା ମହାନ୍ତ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ। ବିଜେଡିରୁ ଇସ୍ତଫା ଦେବା ପରେ ବିଜେପିରେ ସାମିଲ ହୋଇ ପୁଣି ରାଜ୍ୟସଭାକୁ ଯାଇଛନ୍ତି ମମତା।

Tags: #Politics #OdishaPolitics #RajyaSabhaByeElection #SujitKumar #Odisha #ElectionCommissionOfIndia

Comment