ମିନତି ମିଶ୍ର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ସମ୍ବିଧାନ ଚର୍ଚ୍ଚାରେ ଭାଗ ନେଇ ନିଜର ବକ୍ତବ୍ୟ ରଖିଥିଲେ। ପ୍ରଧାନମନ୍ତ୍ରୀଙ୍କର ଏହି ଭାଷଣକୁ ନେଇ କଂଗ୍ରେସ କଡ଼ା ସମାଲୋଚନା କରିଛି। ବିଶେଷକରି ପ୍ରଥମ ଥର ପାଇଁ ସଂସଦକୁ ଆସିଥିବା କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ କଡ଼ା ପ୍ରତିକ୍ରିୟା ରଖିଛନ୍ତି।
ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, “ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ରଖାଯାଇଥିବା ୧୧ଟି ସଙ୍କଳ୍ପ ମୂଲ୍ୟହୀନ। ବିଜେପି ଭ୍ରଷ୍ଟାଚାରକୁ ବରଦାସ୍ତ କରୁନି ବୋଲି ପ୍ରଧାନମନ୍ତ୍ରୀ କହୁଛନ୍ତି, ତେବେ ଅଦାନୀ ମାମଲା ଉପରେ ସଂସଦରେ କାହିଁକି ଆଲୋଚନା କରୁନାହାନ୍ତି। ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣି ଲାଗୁଥିଲା ଯେମିତି ଆମେ ଗଣିତର ଡବଲ ପିରିୟଡରେ ବସିଛୁ।”
ସେ ଆହୁରି ମଧ୍ୟ କହିଛନ୍ତି, “ମୋତେ ଲାଗୁଥିଲା ପ୍ରଧାନମନ୍ତ୍ରୀ କିଛି ନୂଆ କଥା କହିବେ। ହେଲେ ସେ ନିଜେ ପୂର୍ବରୁ କହି ଆସୁଥିବା କଥାଗୁଡ଼ିକୁ ଏଠାରେ ଦୋହରାଇଥିଲେ। ତାଙ୍କ ଭାଷଣକୁ ବିଜେପିର ନେତାମାନେ ମଧ୍ୟ ଶୁଣୁ ନଥିବା ଦେଖିବାକୁ ମିଳିଥିଲା।”
କଂଗ୍ରେସ ନେତା କେସି ବେଣୁଗୋପାଳ କହିଥିଲେ, “ପ୍ରଧାନମନ୍ତ୍ରୀଙ୍କ ଭାଷଣରେ କିଛି ନୂଆ ନଥିଲା। କେବଳ କଂଗ୍ରେସ ବିରୋଧରେ ଆରୋପ ହିଁ ଥିଲା। ରାହୁଲ ଗାନ୍ଧୀଙ୍କ ଭାଷଣ ସମୟରେ ପ୍ରଧାନମନ୍ତ୍ରୀ ଗୃହରେ ନ ଥିଲେ କି ଗୃହମନ୍ତ୍ରୀ ବି ନ ଥିଲେ। ଏଥିରୁ ପ୍ରମାଣିତ ହେଉଛି ସେମାନେ ରାହୁଲ ଗାନ୍ଧୀଙ୍କୁ ଭୟ କରୁଛନ୍ତି କିମ୍ବା ବିରୋଧୀ ଦଳକୁ ବିଶ୍ୱାସ କରୁନାହାନ୍ତି।”
ଶନିବାର ଦିନ ଲୋକସଭାରେ ସମ୍ବିଧାନର ୭୫ ବର୍ଷର ଗୌରବଶାଳୀ ଯାତ୍ରା ଉପରେ ଚର୍ଚ୍ଚାର ବକ୍ତବ୍ୟ ରଖି ନେହରୁ-ଗାନ୍ଧୀ ପରିବାରକୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ। ଏହି ସମୟରେ ସେ ଇନ୍ଦିରା ଗାନ୍ଧୀଙ୍କ ସରକାର ସମୟରେ ଲାଗିଥିବା ଜରୁରୀକାଳୀନ ସ୍ଥିତିକୁ ନେଇ କଂଗ୍ରେସକୁ କଡ଼ା ସମାଲୋଚନା କରିଥିଲେ।
Tags: #PMNarendraModi #Loksabha #PriyankaGandhi #Congress #Politics #India