ଓଡ଼ିଶାଲାଇଭ୍ ବ୍ୟୁରୋ
ଆରମ୍ଭ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାମ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ମଙ୍ଗଳବାରଠାରୁ ମରାମତି କାମ ଆରମ୍ଭ ହୋଇଛି। ଏଏସଆଇ, ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ଭଣ୍ଡାର ମେକାପଙ୍କ ଉପସ୍ଥିତିରେ ମରାମତି କାମ ଆରମ୍ଭ ହୋଇଛି।
ଜିପିଆର ସର୍ଭେ ରିପୋର୍ଟ ଆଧାରରେ ଏବଂ ରାଜ୍ୟ ସରକାରଙ୍କ ଏସଓପି ଅନୁସାରେ ରତ୍ନଭଣ୍ଡାର ମରାମତି କାମ କରାଯିବ। ପ୍ରଥମ ଦିନରେ ଭାରା ବନ୍ଧା କାମ ଶେଷ ହୋଇଛି। ପ୍ରଥମେ ଭିତର ଭଣ୍ଡାରର ମରାମତି କାମ ଶେଷ ହେବ ପରେ ବାହାର କାମ ଆରମ୍ଭ ହେବ। କାନ୍ଥ, ଛାତ ଏବଂ ଚଟାଣରୁ ପଲସ୍ତରା ଛଡ଼ାଯାଇ ନୂତନ ପଲସ୍ତରା କରାଯିବା। ସେହିପରି ପୁରୁଣା ଦୁଆର ବନ୍ଧ ଏବଂ କବାଟ ବଦଳା ଯିବ।
ମରାମତି ସମୟରେ ଯେମିତି ବଡ଼ଠାକୁରଙ୍କ ନୀତିକାନ୍ତିରେ କୌଣସି ବିଭ୍ରାଟ ନହୁଏ ସେଥିପ୍ରତି ବିଶେଷ ଗୁରୁତ୍ଵ ଦିଆଯାଇଛି।
୩ ମାସ ମଧ୍ୟରେ ରତ୍ନଭଣ୍ଡାର ମରାମତି କାମ ଶେଷ କରିବାକୁ ଏଏସଅଇ ଲକ୍ଷ୍ୟ ରଖିଛି। ତେବେ ଏହା ପୂର୍ବରୁ କାମ ସାରିବାକୁ ଚେଷ୍ଟା କରାଯିବ। ମରାମତି କାମ ସରିବା ପରେ ଅଳଙ୍କାର ସବୁ ରତ୍ନଭଣାରକୁ ସ୍ଥାନାନ୍ତର କରାଯିବ। ଏହାପରେ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ ବୋଲି କହିଛନ୍ତି ଆଇନ ବିଭାଗ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ।
ଦ୍ଵିପ୍ରହର ଧୂପ ଓ ଦ୍ଵିତୀୟ ଭୋଗ ମଣ୍ଡପ ଶେଷ ହେବା ପରେ ପ୍ରତିଦିନ ପ୍ରାୟ ଦିନ ୧ଟାରୁ କାମ ଆରମ୍ଭ ହେବ। ପ୍ରାୟ ୫ ଘଣ୍ଟା ମରାମତି କାମ ଚାଲିବ।
ରତ୍ନଭଣ୍ଡାରର ମରାମତି କାମ ଚାଲୁଥିବାବେଳେ ଭକ୍ତମାନେ ବାହାର କାଠ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଏନେଇ ଜଗମୋହନରେ ସ୍ଵତନ୍ତ୍ର ଭାବେ ବ୍ୟାରିକେଡ ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
Tags: #ShreeMandir #RatnaBhandar #RepairWork #ASI #Puri #Odisha