ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ତଥା ବାଲେଶ୍ଵର ଜିଲ୍ଲାର ଜନପ୍ରିୟ ବ୍ୟକ୍ତିତ୍ୱ ରବି ନାରାୟଣଙ୍କ ସ୍ମୃତିରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ଦ୍ଵାରା ଚତୁର୍ଥ କିର୍ତ୍ତୀଧାରା ସ୍ମାରକୀ ବତ୍କୃତା ଆୟୋଜିତ ହୋଇଯାଇଛି।
ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ପୌରୋହିତ୍ୟରେ ଏକ ପ୍ରଧ୍ୟାପନା ଓ ସ୍ମୃତିଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟବକ୍ତା ଭାବେ ଦିଲ୍ଲୀ ସ୍ଥିତ ଜେଏନୟୁ, ଏସଆଇଏସର ଡିନ୍ ପ୍ରଫେସର ଶ୍ରୀକାନ୍ତ କୋନ୍ଦାପଲ୍ଲୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ପ୍ରସଙ୍ଗ ‘ଚୀନ୍ର ଆଣବିକ ବିକାଶ’ ସମ୍ପର୍କରେ ସେ ବିଭିନ୍ନ ତଥ୍ୟ ପ୍ରଦାନ କରିବା ସହ ରବି ନାରାୟଣଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଏହାସହ ଚୀନ ସହ ଭାରତର ସମ୍ପର୍କ, ଆଣବିକ ଶକ୍ତିର ଉପଯୋଗ ସମ୍ବନ୍ଧରେ ଆଲୋଚନା କରିଥିଲେ।
ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷଣର ଆବଶ୍ୟକତା ତଥା ପ୍ରୟୋଗାତ୍ମକ ଜ୍ଞାନକୌଶଳର ବିକାଶ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଏହି ଅବସରରେ କୁଳପତି ପ୍ରଫେସର ତ୍ରିପାଠୀ ନିଜ ବକ୍ତବ୍ୟରେ ଓଡ଼ିଶାର ବିକାଶମୂଳକ କାମରେ ରବି ନାରାୟଣଙ୍କ ଯୋଗଦାନ ସମ୍ପର୍କରେ ବର୍ଣ୍ଣନା କରିଥିଲେ।
କାର୍ଯ୍ୟକ୍ରମରେ ଅନ୍ୟ ଆମନ୍ତ୍ରିତ ଅତିଥି ଭାବେ ଡକ୍ଟର ରୂପ ନାରାୟଣ ଦାସ ଯୋଗ ଦେଇଥିଲେ। ଏହି ଅବସରରେ ରବି ନାରାୟଣଙ୍କ ଉପରେ ଏକ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା।
ଏହି ସଭାକୁ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଡକ୍ଟର ଦେବାଶିଷ ପାତ୍ର ପରିଚାଳନା କରିଥିଲେ। ସାମାଜିକ ବିଜ୍ଞାନ ବିଭାଗ ମୁଖ୍ୟ ଡକ୍ଟର ପବିତ୍ର ମୋହନ ନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
Tags: #RabiNarayanMemorialLecture #FakirMohanUniversity #Kirtidhara #Balasore