ଓଡ଼ିଶାଲାଇଭ୍ ବ୍ୟୁରୋ

ତେଜିଲାଣି ସଂସଦ ପରିସରର ଠେଲାପେଲା ରାଜନୀତି, ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ଓ ବିଜେପି

ସଂସଦ ଭବନ ପରିସରରେ ଠେଲାପେଲା ସମୟରେ ରାହୁଲ ଗାନ୍ଧୀଙ୍କ ଧକ୍କାରେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ଗୁରୁତର ଆହତ ହୋଇଥିବା ଅଭିଯୋଗ ହେବା ପରେ ଏବେ ତେଜିବାରେ ଲାଗିଛି ସାରା ଦେଶରେ ରାଜନୀତି।

ଗୁରୁବାର ଦିନସାରା ଦିଲ୍ଲୀରେ ଦେଖିବାକୁ ମିଳିଛି ହାଇଡ୍ରାମା। ସଂସଦର ପ୍ରବେଶ ଦ୍ଵାରରେ ସାଂସଦଙ୍କ ମଧ୍ୟରେ ଠେଲାପେଲା ବେଳେ ସିଡିରୁ ତଳେ ପଡ଼ି ଗୁରୁତର ଆହତ ହୋଇଥିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।

ଦିଲ୍ଲୀରେ କେମିତି ପଡ଼ିଗଲେ ପ୍ରତାପ ଷଡ଼ଙ୍ଗୀ?

ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଠେଲି ଦେବାରୁ ତଳେ ପଡ଼ି ଆହତ ହୋଇଥିବା ଅଭିଯୋଗ କରିଛନ୍ତି ଖୋଦ ପ୍ରତାପ ଷଡ଼ଙ୍ଗୀ।

ସେ କହିଛନ୍ତି, “ସଂସଦର ପ୍ରବେଶ ଦ୍ଵାରରେ ଆମେ ବିଜେପି ସାଂସଦମାନେ ଠିଆ ହୋଇଥିବାବେଳେ ରାହୁଲ ଗାନ୍ଧୀ ଆସି ବିଜେପିର ଅନ୍ୟ ଜଣେ ସାଂସଦଙ୍କୁ ଧକ୍କା ଦେଇଥିଲେ। ସେ ମୋ ଉପରେ ପଡ଼ିଯିବାରୁ ମୁଁ ସିଡିରୁ ତଳେ ପଡ଼ି ଯାଇଥିଲି। ମୋ ମୁଣ୍ଡରେ ଆଘାତ ଲାଗିଛି।”

ପ୍ରତାପ ଷଡ଼ଙ୍ଗୀଙ୍କୁ ତୁରନ୍ତ ଦିଲ୍ଲୀର ଆରଏମଏଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମୁଣ୍ଡରେ ୫ଟି ଷ୍ଟିଚ ପଡ଼ିଛି। ଏହି ଘଟଣାକୁ ବିଜେପି ପକ୍ଷରୁ କଡ଼ା ନିନ୍ଦା କରାଯାଇଛି। ଏପଟେ ଓଡ଼ିଶାରେ ଏହି ଘଟଣାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଛି।

ସଫେଇ ଦେଲେ ରାହୁଲ

ରାହୁଲ ଗାନ୍ଧୀଙ୍କ ଧକ୍କାରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହେବା ଘଟଣାକୁ ନେଇ ରାଜନୀତି ତେଜିବାରେ ଲାଗିଛି। ଏହି ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଉଥିବାବେଳେ ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ସଫେଇ ଦେଇଛନ୍ତି ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ।

ରାହୁଲ କହିଛନ୍ତି, “ମୁଁ ଆଜି ସକାଳେ ସଂସଦ ଭିତରକୁ ଯିବାବେଳେ ବିଜେପି ସାଂସଦମାନେ ମୋତେ ବିରୋଧ କରିଥିଲେ। ସେମାନେ ମୋତେ ବଳପୂର୍ବକ ରୋକିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା।”

ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଧକ୍କା ଦେଇଥିବା ଅଭିଯୋଗକୁ ରାହୁଲ ଗାନ୍ଧୀ ଖଣ୍ଡନ କରିବା ସହ ପାଲଟା ବିଜେପି ଉପରେ ଦୋଷ ଲଦିଛନ୍ତି। ସେ କହିଛନ୍ତି, “ସଂସଦ ପରିସରରେ ଉପୁଜିଥିବା ଅପ୍ରୀତିକର ସ୍ଥିତି ବିଜେପିର ଏକ ଚାଲ। ମୂଳ ପ୍ରସଂଗ ଉପରୁ ଦେଶବାସୀଙ୍କ ନଜର ହଟାଇବା ପାଇଁ ଏହା ଏକ ବଡ଼ ଷଡ଼ଯନ୍ତ୍ର। ବାବା ସାହେବ ଆମ୍ବେଦକରଙ୍କ ସ୍ମୃତି ଏବଂ ଅବଦାନକୁ ଲିଭାଇ ଦେବାକୁ ବିଜେପି ଚାହୁଁଛି।”

ରାହୁଲଙ୍କୁ ବିଜେପିର ତେରଛା ବାଣ

ରାହୁଲ ଗାନ୍ଧୀଙ୍କ ସଫେଇ ପରେ ସାମ୍ବାଦିକ ସମ୍ମିଳନୀ କରି କାଉଣ୍ଟର ଆଟାକ୍ କରିଛି ବିଜେପି। କେନ୍ଦ୍ରମନ୍ତ୍ରୀ ଶିବରାଜ ଚୌହ୍ଵାନ କହିଛନ୍ତି, “ରାହୁଲ ଗାନ୍ଧୀ ଆଜି ଯାହା କଲେ, ଗୋଟିଏ ସଭ୍ୟ ସମାଜ ପାଇଁ ଏହା ଗ୍ରହଣୀୟ ନୁହେଁ। ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେ ନିଜ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିବେ ବୋଲି ଆଶା ଥିଲା, କିନ୍ତୁ ସେମାନେ କ୍ଷମା ପ୍ରାର୍ଥନା ନକରି ନିଜର ଅହଙ୍କାର ଦେଖାଇଲେ।”  

ଶିବରାଜ ଚୌହ୍ଵାନ ଆହୁରି କହିଛନ୍ତି, ସୁରକ୍ଷାକର୍ମୀମାନେ ଅନ୍ୟ ରାସ୍ତା ଦେଇ ଭିତରକୁ ଯିବା ପାଇଁ ରାହୁଲଙ୍କୁ କହିଥିଲେ। କିନ୍ତୁ ସେ ଗୁଣ୍ଡାଗର୍ଦ୍ଦି କରିବା ଉଦ୍ଦେଶ୍ୟ ନେଇ ଆସିଥିଲେ। ବିଜେପି ସାଂସଦଙ୍କୁ ଧକ୍କା ମାରି ରାହୁଲ ଜାଣିଶୁଣି ହିଂସା ସୃଷ୍ଟି କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

ଘଟଣାକୁ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

ସାଂସଦ ପ୍ରତାପ ଷଡ଼ଙ୍ଗୀ ସଂସଦ ସିଡିରୁ ପଡ଼ି ଆହତ ହେବା ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ଦାୟିତ୍ଵହୀନ ଆଚରଣ ଅତ୍ୟନ୍ତ ଅଶୋଭାନୀୟ ଓ ନିନ୍ଦନୀୟ। ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ ବୋଲି ସେ କହିଛନ୍ତି।

ରାହୁଲଙ୍କ ବିରୋଧରେ ଥାନାରେ ଏତଲା

ସଂସଦ ପରିସରରେ ହୋଇଥିବା ଠେଲାପେଲାରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହେବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହାକୁ କେନ୍ଦ୍ର କରି ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଥାନାରେ ଏତଲା ଦେଇଛି ବିଜେପି। ଦିଲ୍ଲୀ ସଂସଦ ମାର୍ଗ ଥାନାରେ ରାହୁଲଙ୍କ ବିରୋଧରେ ଏତଲା ଦିଆଯାଇଛି।

ବାବାସାହେବ ଆମ୍ବେଦକରଙ୍କ ଉପରେ ରାଜ୍ୟସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନକୁ ନେଇ ଗୁରୁବାର ସକାଳେ କଂଗ୍ରେସ ସାଂସଦମାନେ ବିରୋଧ କରୁଥିଲେ। ଅନ୍ୟପଟେ ବିଜେପି ସାଂସଦମାନେ ମଧ୍ୟ କଂଗ୍ରେସ ମିଛ କହୁଥିବା ଅଭିଯୋଗ କରି ବିରୋଧ ଜାରି ରଖିଥିଲେ। ଏହି ସମୟରେ ସଂସଦର ପ୍ରବେଶ ଦ୍ଵାରରେ ଉଭୟ ପକ୍ଷର ସାଂସଦମାନଙ୍କ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।  

Tags: #Politics #IndiaPolitics #MPPratapSarangi #RahulGandhi #Parliament #NewDelhi

LEAVE A REPLY

Please enter your comment!
Please enter your name here