ଓଡ଼ିଶାଲାଇଭ୍ ବ୍ୟୁରୋ

କର୍ଣ୍ଣାଟକର ବେଙ୍ଗାଳୁରୁରେ ଏକ ଘରୋଇ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଅମାନବୀୟ ଦଣ୍ଡ।

ବିଦ୍ୟାର ମନ୍ଦିର ହେଉଛି ବିଦ୍ୟାଳୟ। ଏହିଠାରେ ହିଁ ପଡ଼ିଥାଏ ଜୀବନର ମୂଳଦୁଆ। ହେଲେ ବେଙ୍ଗାଳୁରୁର ମହୀଶୂର ରୋଡର ଏକ ଘରୋଇ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ମିଳିଛି ଅମାନବୀୟ ଦଣ୍ଡ। ଏଠାରେ ସ୍କୁଲ ଫି’ ଦେଇନଥିବା ଛାତ୍ରଛାତ୍ରୀଙ୍କୁ ଅନ୍ଧାର ଘରେ ବନ୍ଦ କରି ଦିଆଯାଉଥିବା ଅଭିଯୋଗ ହୋଇଛି।

ସ୍କୁଲ କର୍ତ୍ତୃପକ୍ଷଙ୍କ ଏପରି ଆଚରଣରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ଅଭିଭାବକ। ଏହା ଦ୍ୱାରା ଛୋଟ ଛୋଟ ପିଲାଙ୍କ ସ୍ୱାଭିମାନକୁ ଆଘାତ ପହଞ୍ଚିଛି ଏବଂ ସେମାନେ ମାନସିକ ଭାବେ ଭାଙ୍ଗି ପଡ଼ିଛନ୍ତି। ଏପରିକି ଏହା ପିଲାଙ୍କ ପାଠପଢ଼ାରେ ମଧ୍ୟ ବ୍ୟାଘାତ ସୃଷ୍ଟି କରୁଛି ବୋଲି ଅଭିଯୋଗ କରିଛନ୍ତି ଅଭିଭାବକ।

ଅଭିଭାବକଙ୍କ କହିବା ଅନୁଯାୟୀ, “ସ୍କୁଲରେ ପିଲାଙ୍କୁ ଏପରି ଦଣ୍ଡ ଗତ ଦୁଇ ସପ୍ତାହ ଧରି ଦିଆଯାଉଛି। ସ୍କୁଲ ଫି ଦେଇ ନଥିବା ୬ ଜଣ ପିଲାଙ୍କୁ ଦଣ୍ଡ ସ୍ୱରୂପ ଅନ୍ଧାର ଘରେ ବନ୍ଦ କରି ରଖାଯାଉଛି। ପୂରା ସ୍କୁଲ ସମୟ ପିଲାମାନେ ଶ୍ରେଣୀ ଗୃହରେ ନ ବସି ଏହି ଅନ୍ଧାର ଗୃହରେ କଟାଉଛନ୍ତି। ଏଠାରେ ପିଲାଙ୍କୁ ଲାଇଟ ବା ଅନ୍ୟ କୌଣସି ଅତ୍ୟାବଶ୍ୟକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଏଥିସହିତ ସେମାନଙ୍କୁ ଦୁର୍ବ୍ୟବହାର ମଧ୍ୟ କରାଯାଉଛି।”

ସେତିକି ନୁହେଁ, ଏ ନେଇ ଛାତ୍ରମାନେ କୌଣସି ଅଭିଯୋଗ କଲେ ପରିଣାମ ଆହୁରି ଭୟାବହ ହେବ ବୋଲି ସ୍କୁଲ ପକ୍ଷରୁ ସେମାନଙ୍କୁ ଚେତାବନୀ ଦିଆଯାଇଛି। ସବୁଠାରୁ ଚିନ୍ତାର କଥା, ଏହି ଗୋଟିଏ ସ୍କୁଲ ନୁହେଁ, ବେଙ୍ଗାଲୁରର ଅନେକ ସ୍କୁଲ ବିରୋଧରେ ଏପରି ଅଭିଯୋଗ ଆସିଛି।

ଏ ନେଇ କର୍ଣ୍ଣାଟକ ଶିକ୍ଷା ବିଭାଗ ଏବଂ ଶିଶୁ ସୁରକ୍ଷା ବିଭାଗରେ ଅଭିଯୋଗ କରାଯାଇଛି। ଏସବୁ ସ୍କୁଲର ଲାଇସେନ୍ସ ରଦ୍ଦ କରିବା ସହ ଏମାନଙ୍କୁ ବ୍ଲାକ ଲିଷ୍ଟେଡ କରିବା ପାଇଁ ଅଭିଭାବକ ସଂଘ ପକ୍ଷରୁ ଦାବି କରାଯାଇଛି। ଏଥିସହ ସ୍କଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

ଅଭିଯୋଗ ପାଇବା ପରେ ଶିକ୍ଷା ବିଭାଗ ପକ୍ଷରୁ ଘରୋଇ ସ୍କୁଲ ଗୁଡିକୁ ବକୈୟା ଫିସକୁ ନେଇ ଛାତ୍ରଛାତ୍ରୀଙ୍କୁ ଏପରି ନିର୍ଯାତନା ନଦେବାକୁ ଚେତାବନୀ ଦିଆଯାଇଛି। ଏପରି ଦଣ୍ଡ ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ ବିଦ୍ୟାଳୟର ପରିବେଶକୁ କ୍ଷତି ପହଞ୍ଚାଇବ। ଏ ନେଇ ପୋଲିସରେ ସୂଚନା ଦେବାକୁ ଶିକ୍ଷା ବିଭାଗ ପକ୍ଷରୁ ଅଭିବାବକଙ୍କୁ କୁହାଯିବା ସହ ଘଟଣାର ଯାଞ୍ଚ କରିବା ନେଇ ପ୍ରତିଶ୍ରୁତି ଦିଆଯାଇଛି।

Tags: #PrivateSchool #Punishment #Students #MysoreRoad #Karnataka

LEAVE A REPLY

Please enter your comment!
Please enter your name here