ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ଥର ଲାଗି ଆୟୋଜିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ ସମାରୋହ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଆସନ୍ତା ୨୦୨୫ ଜାନୁଆରି ୮ ତାରିଖରୁ ଆରମ୍ଭ ହେଉଥିବା ଏହି ସମାରୋହ ତିନିଦିନ ଧରି ଚାଲିବ।
ତିନିଦିନିଆ ପ୍ରବାସୀ ଭାରତୀୟ ଦିବସ ସମାରୋହ ପୂର୍ବରୁ ଆୟୋଜନର ସମୀକ୍ଷା କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର।
ମଙ୍ଗଳବାର ଦିନ ଗୃହ ନର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ବସିଥିଲ। ବୈଠକରେ ବିଏମସି କମିଶନର, ବିଧାୟକ, ଭୁବନେଶ୍ୱର ମେୟର ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ସମାରୋହକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ମନ୍ତ୍ରୀ।
ଆସନ୍ତା ୨୦୨୫ ଜାନୁଆରି ୮ ତାରିଖରେ ପ୍ରବାସୀ ଭାରତୀୟ ଦିବସ ସମାରୋହର ଶୁଭାରମ୍ଭ ହେବ। ଉଦଘାଟନୀ ଉତ୍ସବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଦ୍ୱିତୀୟ ଦିନରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ ଓ ଉଦଯାପନୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ପ୍ରବାସୀ ଭାରତୀୟ ଦିବସ ସମାରୋହ ଆୟୋଜନ ପୂର୍ବରୁ ସଜ୍ଜେଇ ହେଉଛି ରାଜଧାନୀ ଭୁବନେଶ୍ୱର। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓ ପର୍ଯ୍ୟଟନ ବିଭାଗ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ସମାରୋହ ଅବସରରେ କଟକ, ପୁରୀ, ଭୁବନେଶ୍ୱର ଓ କୋଣାର୍କ ପର୍ଯ୍ୟଟନ କ୍ଷେତ୍ରରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ। ୧୪୦ ଦେଶର ଅତିଥି ଓ ୭ ହଜାରର ଅଧିକ ପ୍ରବାସୀ ଭାରତୀୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ମନ୍ତ୍ରୀ କହିଛନ୍ତି।
ଅନ୍ୟ ଦେଶରୁ ଆସୁଥିବା ଅତିଥି ଓ ପ୍ରବାସୀ ଭାରତୀୟମାନଙ୍କ ପାଇଁ ହୋଟେଲ, ଆଇବି, ଗେଷ୍ଟ ହାଉସ ବୁକିଂ ଚାଲିଛି। ଯାତାୟତ ପାଇଁ କ୍ରୁଟ ପକ୍ଷରୁ ୫୦ଟି ନୂଆ ବସ ଓ ୫ଟି ଡବଲ ଡ୍ଡେକର ବସ ବ୍ୟବସ୍ଥା କରାଯାଇଛି। ସାମାରୋହର ତିନିଦିନ ସୁରକ୍ଷା ବଳୟ ମଧ୍ୟରେ ରହିବ ଭୁବନେଶ୍ୱର। ସହରର ୫୫ଟି ରାସ୍ତାର ସୌନ୍ଦର୍ଯ୍ୟକରଣ ଜାରି ରହିଛି। ଟ୍ରାଫିକ୍ ନିୟନ୍ତ୍ରଣ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଉଛି ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।
ବୈଠକ ପ୍ରାରମ୍ଭରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଭୁବନେଶ୍ୱର, କଟକ, ପୁରୀ ଏବଂ ଖୋର୍ଦ୍ଧାରେ ଚାଲିଥିବା ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।
ଖାରବେଳ ଭବନଠାରେ ଅନୁଷ୍ଠିତ ବୈଠକରେ ବିଧାୟକ ବାବୁ ସିଂ, ବିଧାୟିକା ସୋଫିଆ ଫିର୍ଦ୍ଦୋସ, ମେୟର ସୁଲୋଚନା ଦାସ, ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ, ବିଡିଏ ଭିସି ତିରୁମାଳା ନାଏକ, ପର୍ଯ୍ୟଟନ ନିର୍ଦ୍ଦେଶକ, ସଂସ୍କୃତି ବିଭାଗ ନିର୍ଦ୍ଦେଶକ, ଖୋର୍ଦ୍ଧା, ପୁରୀ ଓ କଟକ ଜିଲ୍ଲାର ଜିଲ୍ଲାପାଳଙ୍କ ସେମତ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିଲେ।
Tags: #ReviewMeeting #PravasiBharatiyaDivas #OdishaGovt #Bhubaneswar