ଓଡ଼ିଶାଲାଇଭ୍ ବ୍ୟୁରୋ
- ବିଜେଡି ପାଳିଲା ୨୮ତମ ପ୍ରତିଷ୍ଠା ଦିବସ
- ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ସେବା କରିଚାଲିବ ବିଜେଡି – ନବୀନ ପଟ୍ଟନାୟକ
- “ଓଡ଼ିଶାର ସ୍ୱାର୍ଥର ସୁରକ୍ଷା ପାଇଁ ସବୁବେଳେ ଲଢ଼ିବ ବିଜେଡି”
- ମିଛ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଛି ବିଜେପି – ନବୀନ
(ଭୁବନେଶ୍ୱର): ବିଜୁ ଜନତା ଦଳ (ବିଜେଡି) ପାଳନ କରିଛି ୨୮ତମ ପ୍ରତିଷ୍ଠା ଦିବସ। ଡିସେମ୍ବର ୨୬ ତାରିଖ, ଗୁରୁବାର ଦିନ ବିଜେଡିର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନଠାରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ। ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଦଳର ପ୍ରତିଷ୍ଠା ଦିବସ ପାଳନ କରାଯାଉଛି।
ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, “ବିଜେଡି ପ୍ରତି ଲୋକଙ୍କର ଭରସା ଏବଂ ଭଲପାଇବା ରହିଆସିଛି। ଏହା ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କ ସେବା କରିବା ଲାଗି ବିଜୁ ଜନତା ଦଳକୁ ଉତ୍ସାହିତ କରିବ।”
ନବୀନ ପଟ୍ଟନାୟକ ଆହୁରି କହିଛନ୍ତି ଯେ, ପୂର୍ବଭଳି ଓଡ଼ିଶାର ସ୍ୱାର୍ଥ ଆମ ପାଇଁ ସର୍ବାଗ୍ରେ ରହିବ। ଏକ ଦୃଢ଼ ଆଞ୍ଚଳିକ ଦଳ ଭାବରେ ରାଜ୍ୟର ସ୍ୱାର୍ଥ ସୁରକ୍ଷା ତଥା କେନ୍ଦ୍ର ଅବିଚାର ବିରୋଧରେ ବିଜେଡିର ଲଢ଼େଇ ଜାରି ରହିବ ବୋଲି ସେ କହିଛନ୍ତି।
ଦଳର ପ୍ରତିଷ୍ଠା ମୁହୂର୍ତ୍ତକୁ ମନେପକାଇ ନବୀନ କହିଥିଲେ, “୧୯୯୭ ଡିସେମ୍ବର ୨୬ ତାରିଖ ଆଜିର ଦିନରେ ବିଜୁ ଜନତା ଦଳ ଜନ୍ମ ନେଇଥିଲା। ବିଜୁ ବାବୁଙ୍କ ଆଦର୍ଶ ଓ ପ୍ରେରଣାକୁ ସାଥିରେ ଧରି ବିଜୁ ପ୍ରେମୀମାନେ ଏକାଠି ହୋଇ ଦଳ ଗଠନ କରିଥିଲେ। ସେତେବେଳେ ବହୁ ଲୋକ କହୁଥିଲେ ଏ ଦଳ ବଞ୍ଚିବ ନାହିଁ। କିଛି ଲୋକ କହୁଥିଲେ ଏ ଦଳ ଆଗକୁ ବଢ଼ି ପାରିବନାହିଁ। ଏ ଦଳ କେବେ ସଫଳ ହେବ ନାହିଁ। ମୋତେ ମଧ୍ୟ କହୁଥିଲେ ମୁଁ ରାଜନୀତି ଜାଣେ ନାହିଁ। ହେଲେ ଦଳର ନେତା ଓ କର୍ମୀଙ୍କ ପରିଶ୍ରମ ତଥା ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ବିଜୁ ଜନତା ଦଳ ପାଞ୍ଚ ପାଞ୍ଚ ଥର ନିର୍ବାଚନ ଜିତି ଓଡ଼ିଶାବାସୀଙ୍କ ସେବା କରିବାର ସୁଯୋଗ ପାଇଛି।”
ସେ ଆହୁରି କହିଛନ୍ତି, ଗତ ୨୪ ବର୍ଷ ଭିତରେ ବିଜେଡି ସରକାର ଓଡ଼ିଶାକୁ ଏକ ସଶକ୍ତ ଓ ସମୃଦ୍ଧ ରାଜ୍ୟର ପରିଚୟ ଦେଇପାରିଛନ୍ତି। ଦିନେ ଅନ୍ୟ ରାଜ୍ୟର ଖାଦ୍ୟ ଶସ୍ୟ ଉପରେ ନିର୍ଭର କରୁଥିବା ଓଡ଼ିଶା ଆଜି ବାହାର ରାଜ୍ୟକୁ ଖାଦ୍ୟ ଯୋଗାଉଛି। ଓଡ଼ିଶାରେ ଗରିବୀ କମିଛି, ମୁଣ୍ଡ ପିଛା ଆୟ ବଢ଼ିଛି ଓ ପୁଞ୍ଜି ବିନିଯୋଗ ବଢ଼ିଛି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଆଦର୍ଶ ରାଜ୍ୟ ହୋଇପାରିଛି।
ମହିଳା ସଶକ୍ତିକରଣ ଓ ଆର୍ଥିକ ଶୃଙ୍ଖଳା କ୍ଷେତ୍ରରେ ଓଡ଼ିଶା ଏକ ଆଗୁଆ ରାଜ୍ୟ। ସାରା ବିଶ୍ୱରେ ଓଡ଼ିଶା ସ୍ପୋର୍ଟସ କ୍ୟାପିଟାଲର ପରିଚୟ ପାଇଛି ବୋଲି ସେ କହିଛନ୍ତି।
ନିର୍ବାଚନ ପରାଜୟର କାରଣ କହିଲେ ନବୀନ
ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ଧରି ଶାସନ କରିବା ପରେ ୨୦୨୪ ନିର୍ବାଚନରେ ବିଜେଡିର ପରାଜୟକୁ ନେଇ ସମସ୍ତଙ୍କ ମନରେ ଏବେ ବି ନାନା ପ୍ରଶ୍ନ ଉଙ୍କି ମାରୁଛି। ପରାଜୟର କାରଣ ଜାଣିବାକୁ ସମସ୍ତର ଉତ୍କଣ୍ଠା ରହିଛି। ଆଜି ବିଜେଡିର ପ୍ରତିଷ୍ଠା ଦିବସ ଅବସରରେ ନବୀନ ପଟ୍ଟନାୟକ ଏହି ପରାଜୟର କାରଣ କହିଛନ୍ତି।
“ଆମେ ହାରିନାହୁଁ କି ଲୋକଙ୍କ ବିଶ୍ୱାସ ମଧ୍ୟ ହରାଇ ନାହୁଁ। ବିଜେପି ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଛି। ଆମର ଭୁଲ୍ ହେଲା ଆମେ ସେମାନଙ୍କ ମିଛକୁ ଧରିପାରିଲୁ ନାହିଁ। ସୋସିଆଲ ମିଡିଆରେ ବିଜେପିର ମିଛ ପ୍ରଚାରର ଠିକ୍ ଭାବରେ ଜବାବ ଦେଇପାରିଲୁ ନାହିଁ”, କହିଛନ୍ତି ନବୀନ ପଟ୍ଟନାୟକ।
ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଚାଉଳଠାରୁ ଆରମ୍ଭ କରି ପନିପରିବା ଦର ଆକାଶ ଛୁଆଁ ହୋଇଛି। ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ଯୋଗୁଁ ଲୋକଙ୍କ ଚିନ୍ତା ବଢ଼ିଯାଇଛି। ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଗତ ଛଅ ମାସ ଭିତରେ ବିଜେପି ସରକାର ରାଜ୍ୟବାସୀଙ୍କୁ ଏମିତି ଉପହାର ହେଉଛନ୍ତି ବୋଲି ନବୀନ କଟାକ୍ଷା କରିଛନ୍ତି।
ରାଜ୍ୟସ୍ତରୀୟ ବିଜେଡି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ରାଉତ ସ୍ୱାଗତ ଭାଷଣ ଦେଇଥିବାବେଳେ ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର, ଅଶୋକ ପଣ୍ଡା, ମେୟର ସୁଲୋଚନା ଦାସ, ମନ୍ମଥ ରାଉତରାୟ ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।
Tags: #Politics #OdishaPolitics #BJDFoundationDayCelebration #NaveenPatnaik #Odisha