ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ଵର): ବରଗଡ଼ ଧନୁଯାତ୍ରା କଳାକାରଙ୍କ ପାଇଁ ଖୁସି ଖବର। ପ୍ରମୁଖ ୧୭୦ ଜଣ କଳାକାରଙ୍କୁ ମିଳିବ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏହି ଘୋଷଣା କରିଛନ୍ତି।
ଆସନ୍ତା ୨୦୨୫ ମସିହା ଜାନୁଆରି ୩ରୁ ୧୩ ତାରିଖ ପର୍ଯ୍ୟନ୍ତ ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ତେଣୁ ଏହାର କିଛିଦିନ ପୂର୍ବରୁ କରାଯାଇଥିବା ଏହି ଘୋଷଣା ବେଶ୍ ଗୁରୁତ୍ଵପୂର୍ଣ୍ଣ।
ଏହା ସହିତ ରାଜ୍ୟ ସରକାର ପ୍ରତିବର୍ଷ ବରଗଡ଼ ଧନୁଯାତ୍ରା ପାଳନ ପାଇଁ ଦିଆଯାଉଥିବା ଅନୁଦାନ ରାଶି ୧୦ ଲକ୍ଷରୁ ୧ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ସେହିପରି ଧନୁଯାତ୍ରାର ସିଧା ପ୍ରସାରଣ ଏବଂ ବ୍ୟାପକ ପ୍ରଚାର ପ୍ରସାର ପାଇଁ ମଧ୍ୟ ଆନୁଷଙ୍ଗିକ ବ୍ୟୟବରାଦ କରାଯାଇଛି। ଶନିବାର ଦିନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାମାଜିକ ଗଣମାଧ୍ୟମ ଜରିଆରେ ଏହି ସୂଚନା ଦିଆଯାଇଛି।
ଆସନ୍ତା ଜାନୁଆରି ୩ ତାରିଖରୁ ୧୧ ଦିନ ଧରି ଚାଲିବ ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ବରଗଡ଼ ପାଲଟିବ ବିଶ୍ଵର ସବୁଠାରୁ ବଡ଼ ମୁକ୍ତାକାଶ ରଙ୍ଗମଞ୍ଚ। ଏଲଇଡି ପରଦା ମାଧ୍ୟମରେ ପ୍ରଥମ ଥର ପାଇଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଧନୁଯାତ୍ରାର ସିଧାପ୍ରସାରଣ କରାଯିବ।
ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ୟୁନେକ୍ସୋ (UNESCO) ଐତିହ୍ୟ ମାନ୍ୟତା ପ୍ରଦାନ ପାଇଁ କମିଟି ଗଠନ ହେବ। ଏଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହା ସହିତ ଧନୁଯାତ୍ରା ସମ୍ପର୍କିତ ସମସ୍ତ ତଥ୍ୟ ପ୍ରଦାନ କରିବା ଲାଗି ଓ୍ଵେବସାଇଟ ରହିବ।
ପୂର୍ବ ବର୍ଷମାନଙ୍କରେ ବରଗଡ଼ ଧନୁଯାତ୍ରାରେ ଅଂଶଗ୍ରହଣ କରିଥିବା କଳାକାର ଏବଂ ସେମାନଙ୍କ ପରିବାର ବର୍ଗଙ୍କୁ ସମ୍ମାନ ଓ ସମ୍ବର୍ଦ୍ଧନା ପ୍ରଦାନ ପାଇଁ ଯୋଜନା କରିଛନ୍ତି ରାଜ୍ୟ ସରକାର।
ବରଗଡ଼ ପାଲଟିବ ବିଶ୍ଵର ସବୁଠାରୁ ବଡ଼ ମୁକ୍ତାକାଶ ରଙ୍ଗମଞ୍ଚ। ବରଗଡ଼ ମଥୁରା ନଗରୀ ପାଲଟିବ ଏବଂ ଅମ୍ବାପଲ୍ଲୀ ହେବ ଗୋପପୁର। ସେହିଭଳି ଜିରା ନଦୀ ପାଲଟିବ ଯମୁନା। ସାରା ବରଗଡ଼ବାସୀ ହେବେ ଏହି ଖୋଲା ରଙ୍ଗମଞ୍ଚର ଜଣେ ଜଣେ କାଳାକାର।
ପୂରା ୧୧ ଦିନ ଧରି ବରଗଡ଼ରେ ଚାଲିବ ରାଜତନ୍ତ୍ର। ଦ୍ଵାପର ଯୁଗର ଖଳନାୟକ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ପାଲଟିବେ ମହାନାୟକ। ବରଗଡ଼ରେ ୧୧ ଦିନ ଧରି ଚାଲିବ ମହାରାଜା କଂସଙ୍କ ରାଜୁତି। କଂସ ମହାରାଜାଙ୍କ ସଂଳାପରେ ପ୍ରକମ୍ପିତ ହେବ ଗଗନ ପବନ।
୭୭ତମ ଧନୁଯାତ୍ରା ପାଳନ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଧନୁଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ବରଗଡ଼ ଜିଲ୍ଲାର ଗାଁଠୁ ସହର। ଆଲୋକମାଳାରେ ସଜେଇ ହୋଇଛି ବରଗଡ଼ ସହର। ଏହି ୧୧ ଦିନ ମଧ୍ୟରେ ଶ୍ରୀକୃଷ୍ଣଙ୍କ ଜନ୍ମ, ଲୀଳାଖେଳା ସହ କଂସ ବଦ୍ଧ ପର୍ଯ୍ୟନ୍ତ ଦେଖିବାକୁ ମିଳିବ।
ପ୍ରାୟ ୮ କିଲୋମିଟର ପରିଧି ମଧ୍ୟରେ ରାଜ ଦରବାର, ରଙ୍ଗମହଲ ଏବଂ ନନ୍ଦ ରାଜାଙ୍କ ଦରବାର ସହ ୧୦ଟି ସ୍ଥାନରେ ଧନୁଯାତ୍ରା ଅନୁଷ୍ଠିତ ହେବ।
ପ୍ରଥମ ଦିନରେ ଦେବକୀଙ୍କ ସହ ବସୁଦେବଙ୍କର ବିବାହ, ଦୈବବାଣୀ, ଉଗ୍ରସେନଙ୍କ ଗାଦିଚ୍ୟୁତ ସହ କଂସ ମହାରାଜାଙ୍କ ରାଜୁତି ଆରମ୍ଭ ହେବ। ୧୧ ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବ। ଧନୁଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ଲାଗି ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
Tags: #BargarhDhanuJatra #OdishaGovt #KansaMaharaj #Bargarh