ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଭବ୍ୟ ଓ ବ୍ୟାପକ ଭାବେ ଅୟୋଜିତ ହେବାକୁ ଯାଉଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏଥର ଧନୁଯାତ୍ରା ଓଡ଼ିଆ ଅସ୍ମିତାର ପରିଚୟ ସାଜିବ ବୋଲି ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

“ବରଗଡ଼ ଧନୁଯାତ୍ରା ବିଶ୍ୱର ସର୍ବବୃହତ୍ ମୁକ୍ତାକାଶ ରଂଗମଞ୍ଚ ଭାବେ ପରିଚିତ। ଏହାକୁ ବେଶ୍ ଭବ୍ୟ ଭାବେ ଆୟୋଜନ କରିବା ପାଇଁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସଂସ୍କୃତି ବିଭାଗ ତରଫରୁ ଅନୁଦାନ ରାଶି ୧୦ ଲକ୍ଷରୁ ୧ କୋଟି ଟଙ୍କା ଯାଏଁ ବୃଦ୍ଧି କରାଯାଇଛି। ଏହାସହ ୧୭୦ ଜଣ କଳାକାରଙ୍କୁ ୧୦,୦୦୦ ଟଙ୍କା ଲେଖାଏଁ ସମ୍ମାନ ରାଶି ପ୍ରଦାନ କରାଯିବ”, କହିଛନ୍ତି ସୂର୍ଯ୍ୟବଂଶୀ ସୂରଜ।

ସେ ଆହୁରି ମଧ୍ୟ କହିଛନ୍ତି, “ଏଥର ବରଗଡ଼ ଧନୁଯାତ୍ରା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୫୦ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି। ନାସନାଲ ସ୍କୁଲ ଅଫ୍ ଡ୍ରାମା ପକ୍ଷରୁ ଏହି ଉତ୍ସବର ପ୍ରାମାଣିକ ଚିତ୍ର ପ୍ରସ୍ତୁତ କରାଯିବ।ଧନୁଯାତ୍ରାକୁ ‘ୟୁନେସ୍କୋ’ର ମାନ୍ୟତା ପ୍ରଦାନ ନିମନ୍ତେ ରାଜ୍ଯ ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଉଛି।”

ବରଗଡ଼ ସହ ବିଭିନ୍ନ ସହରରେ ଧନୁଯାତ୍ରାର ସିଧାପ୍ରସାରଣ କରାଯିବ। ଧନୁଯାତ୍ରାର ବହୁଳ ପ୍ରଚାର ପ୍ରସାର ତଥା ଜାତୀୟ ଓ ଆନ୍ତର୍ଜାତୀୟ ମାନ୍ୟତା ପାଇଁ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ଆସନ୍ତା ଜାନୁଆରି ୩ ତାରିଖରୁ ୧୧ ଦିନ ଧରି ଚାଲିବ ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଏଥର ଏହି ଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜ୍ୟର ବିଭିନ୍ନ ମନ୍ତ୍ରୀ, ସାଂସଦ ତଥା ବିଧାୟକମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ମଥୁରା ସାଂସଦ ହେମା ମାଳିନୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି।

Tags: #BargarhDhanuJatra #Culture #OdishaGovt #Bargarh #Odisha

LEAVE A REPLY

Please enter your comment!
Please enter your name here