ଓଡ଼ିଶାଲାଇଭ୍ ବ୍ୟୁରୋ
ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର। ଆସନ୍ତା ୨୦୨୫ରେ ‘ସୁଭଦ୍ରା’ ଯୋଜନାରେ ୩ ଥର ଟଙ୍କା ପାଇବେ ଯୋଗ୍ୟ ହିତାଧିକାରୀ। ଏ ନେଇ ସୋମବାର ଦିନ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ ଆସନ୍ତା ୨୦୨୫ ଜାନୁଆରି ମାସରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ। ଆସନ୍ତା ୨୦୨୫ ମାର୍ଚ୍ଚ ୮ ତାରିଖରେ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ଟଙ୍କା ପ୍ରଦାନ କରାଯିବ। ପରେ ରକ୍ଷା ବନ୍ଧନରେ ମିଳିବ ଦ୍ଵିତୀୟ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା।
“ଆସନ୍ତା ଜାନୁଆରି ପ୍ରଥମ ସପ୍ତାହରେ ସୁଭଦ୍ରା ଭେରିଫିକେସନ ରିପୋର୍ଟ ଆସିବ। ରିପୋର୍ଟ ଆଧାରରେ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ। ଯେମିତି କୌଣସି ଜଣେ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଗୁରୁତ୍ଵ ଦିଆଯାଉଛି”, କହିଛନ୍ତି ପ୍ରଭାତୀ ପରିଡ଼ା।
ବର୍ତ୍ତମାସ ସୁଦ୍ଧା ସୁଭଦ୍ରା ଯୋଜନାରେ ୮୦ ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରାଯାଇଛି। ଆସନ୍ତା ଜାନୁଆରି ମାସରେ ପ୍ରାୟ ୨୦ ଲକ୍ଷ ହିତାଧିକାରୀ ଯୋଜନାର ଲାଭ ପାଇବେ।
ଗତ ନଭେମ୍ବର ୨୪ ତାରିଖରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯାଇଥିଲା। ତୃତୀୟ ପର୍ଯ୍ୟାୟ ସୁଦ୍ଧା ରାଜ୍ୟର ମୋଟ ୮୦ ଲକ୍ଷରୁ ଅଧିକ ହିତାଧିକାରୀ ଯୋଜନାରୁ ଲାଭ ପାଇସାରିଛନ୍ତି।
ଡିସେମ୍ବର ୧ ତାରିଖ ସୁଦ୍ଧା ମୋଟ ୧ କୋଟି ୫ ଲକ୍ଷ ୩୬ ହଜାର ୬୧୨ ଜଣ ହିତାଧିକାରୀ ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି।
୨୦୨୪ ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶାରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ହଜାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫,୦୦୦ ଟଙ୍କା ଲେଖାଏଁ ଯାଇଥିଲା। ଏହାପରେ ଅକ୍ଟୋବର ୯ ତାରିଖରେ ଦ୍ଵିତୀୟ ପର୍ଯ୍ୟାୟରେ ୪୦ ଲକ୍ଷରୁ ଊର୍ଦ୍ଧ୍ଵ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା।
ଆସନ୍ତା ୨୦୨୫ ମାର୍ଚ୍ଚ ମାସ ପୂର୍ବରୁ ପ୍ରଥମ କିସ୍ତି ଟଙ୍କା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପଠାଇବା ଲାଗି ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି।
Tags: #SubhadraYojana #OdishaGovt # Pravati Parida #DBT #Odisha