ଓଡ଼ିଶାଲାଇଭ୍ ବ୍ୟୁରୋ

ଏକ ବର୍ଣ୍ଣାଢ୍ୟ ସାଂସ୍କୃତିକ ଶୋଭାଯାତ୍ରା ସହ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହୋଇଛି। ଧନୁଯାତ୍ରାକୁ ଶୁକ୍ରବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ। ଉଦଘାଟନୀ ଉତ୍ସବରେ ବରଗଡ଼ ବିଧାୟକ ଅଶ୍ଵିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବିଜେପୁର ବିଧାୟକ ସନତ କୁମାର ଗୁର୍ତ୍ତିଆ, ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ବରଗଡ଼ ଏସପି ପ୍ରହ୍ଲାଦ ଏସ ମୀନା ପ୍ରମୁଖ ଯୋଗ ଦେଇଥିଲେ।

ଜାନୁଆରି ୩ ତାରିଖରୁ ଆରମ୍ଭ ହୋଇଥିବା ଧନୁଯାତ୍ରା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ୧୧ ଦିନ ଧରି ୨୨ଟି ମଞ୍ଚରେ ଚାଲିବ ମହାରାଜା କଂସଙ୍କ ରାଜୁତି। ବରଗଡ଼ ପାଲଟିଛି ମଥୁରି ନଗରୀ ଏବଂ ଅମ୍ବାପଲ୍ଲୀ ସାଜିଛି ଗୋପପୁର।

ଶୁକ୍ରବାର ଅପରାହ୍ଣରେ ବରଗଡ଼ ସହରର ଗାନ୍ଧୀଛକଠାରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ସମ୍ବଲପୁରୀ ନୃତ୍ୟ ସହ ସୁନ୍ଦରଗଡ଼ର ସଂକୀର୍ତ୍ତନ, ବୌଦ୍ଧର ମୟୂର ନୃତ୍ୟ, ପୁରୀର ପ୍ରସିଦ୍ଧ ନାଗା ନୃତ୍ୟ ଓ ଘଣ୍ଟ ପରଭା ନାଚ, ଗଞ୍ଜାମର ଯୋଡ଼ିଶଙ୍ଖ, କନ୍ଧମାଳର ଆଦିବାସୀ ନୃତ୍ୟ, କୋରାପୁଟର ଦୁରୁଆ ନୃତ୍ୟ ଏବଂ ଘଣ୍ଟବାଦ୍ୟ ସହିତ ମୋଟ ୧୭ଟି ସାଂସ୍କୃତିକ ଦଳ ଏହି ଶୋଭାଯାତ୍ରାରେ ଭାଗ ନେଇଥିଲେ।

ପ୍ରାୟ ୮ କିଲୋମିଟର ପରିଧି ମଧ୍ୟରେ ରାଜ ଦରବାର, ରଙ୍ଗମହଲ ଏବଂ ନନ୍ଦ ରାଜାଙ୍କ ଦରବାର ସହ ୧୦ଟି ସ୍ଥାନରେ ଧନୁଯାତ୍ରା ଅନୁଷ୍ଠିତ ହେବ। ବରଗଡ଼ ମଥୁରା ନଗରୀ ପାଲଟିବ ଏବଂ ଅମ୍ବାପଲ୍ଲୀ ହେବ ଗୋପପୁର। ସେହିଭଳି ଜିରା ନଦୀ ପାଲଟିଛି ଯମୁନା। ଏହି ୧୧ ଦିନ ମଧ୍ୟରେ ଶ୍ରୀକୃଷ୍ଣଙ୍କ ଜନ୍ମ, ଲୀଳାଖେଳା ସହ କଂସ ବଦ୍ଧ ପର୍ଯ୍ୟନ୍ତ ଦେଖିବାକୁ ମିଳିବ। ସାରା ବରଗଡ଼ବାସୀ ହେବେ ଏହି ଖୋଲା ରଙ୍ଗମଞ୍ଚର ଜଣେ ଜଣେ କାଳାକାର।

ପ୍ରଥମ ଦିନରେ ଦେବକୀଙ୍କ ସହ ବସୁଦେବଙ୍କର ବିବାହ, ଦୈବବାଣୀ, ଉଗ୍ରସେନଙ୍କ ଗାଦିଚ୍ୟୁତ ସହ କଂସ ମହାରାଜାଙ୍କ ରାଜୁତି ଆରମ୍ଭ ହେବ। ୧୧ ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବ। ଧନୁଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ଲାଗି ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Tags: #BargarhDhanuJatra #InaugurationCeremony #OdishaGovt #Bargarh

Comment