ଓଡ଼ିଶାଲାଇଭ୍ ବ୍ୟୁରୋ

ଉଦଘାଟିତ ହେଲା ରାଜ୍ୟସ୍ତରୀୟ କୃଷି ମହୋତ୍ସବ ‘କୃଷି ଓଡ଼ିଶା-୨୦୨୫’। ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ପଡ଼ିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଉଦଘାଟନ କରିଛନ୍ତି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇଥିଲେ। ଜାନୁଆରି ୩ରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଏହି ମେଳା ଚାଲିବ।
ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ କୃଷ ଓଡ଼ିଶା ୨୦୨୫’ର ଆୟୋଜନ କରାଯାଉଛି। ଚଳିତ ବର୍ଷ ଏହି ମେଳାର ବିଷୟବସ୍ତୁ ରହିଛି ‘ଚିରନ୍ତନ ଖାଦ୍ୟ ପ୍ରଣାଳୀ ପାଇଁ ଏକ ପ୍ରୟାସ’। ଏଥିରେ ରାଜ୍ୟର ୩୦ଟି ଜିଲ୍ଲାରୁ ଚାଷୀ ଭାଇ ଭଉଣୀଙ୍କ ସହିତ କୃଷି ଉଦ୍ୟୋଗୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ସାମିଲ ହୋଇଛନ୍ତି।
‘କୃଷି ଓଡ଼ିଶା-୨୦୨୫’ର ଉଦଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କୃଷି କ୍ଷେତ୍ରକୁ ନେଇ ଏକ ବିବରଣୀ ପ୍ରଦାନ କରିଥିଲେ। ଏଠାରେ ସେ ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିଥିଲେ। ଏଥିରେ ହୋଇଥିବା ଫସଲ ହାନି ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଚାଷୀଙ୍କୁ ସମସ୍ତ କ୍ଷତିପୂରଣ ଦିଆଯିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।
“ଓଡ଼ିଶାରେ ନିକଟରେ ହୋଇଥିବା ଅଦିନିଆ ବର୍ଷାରେ ୬ ଲକ୍ଷ ୬୬ ହଜାର ୭୦୦ ଚାଷୀ କ୍ଷତିଗ୍ରସ୍ତ ହୋଇଛି। ମୋଟ ୨ ଲକ୍ଷ ୨୬ ହଜାର ହେକ୍ଟର ଚାଷ ଜମିରେ ଫସଲ କ୍ଷୟକ୍ଷତି ହୋଇଛି। ଏହା ବାବଦରେ ଚାଷୀଙ୍କୁ ୨୯୧ କୋଟି ଟଙ୍କାର କ୍ଷତିପୂରଣ ରାଶି ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ କୃଷି କ୍ଷେତ୍ର ଓ ଚାଷୀଙ୍କୁ ଅବହେଳା କରାଯାଇଥିବା ଅଭିଯୋଗ କରି ପୂର୍ବ ସରକାରଙ୍କୁ ଟାର୍ଗେଟ କରିଥିଲେ। ଏହାସହ ବିଭିନ୍ନ ଖାଦ୍ୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବା ଲାଗି ସମସ୍ତଙ୍କୁ ମିଳିମିଶି କାମ କରିବା ପାଇଁ ଆହ୍ଵାନ ଦେଇଥିଲେ।
ଚାଷୀ ଭାଇ ଭଉଣୀମାନଙ୍କୁ ନୂଆ ନୂଆ କୃଷି ପଦ୍ଧତି, ବୈଜ୍ଞନିକ ଉପାୟରେ ଚାଷ କାମ, ଆଧୁନିକ ଜ୍ଞାନକୌଶଳ ଏବଂ ଆଧୁନିକ କୃଷି ଯନ୍ତ୍ରପାତିର ପ୍ରୟୋଗ ସମ୍ପର୍କରେ ଧାରଣା ଦେବା ପାଇଁ ଏହି ମେଗା କୃଷି ପ୍ରଦର୍ଶନୀ ଆୟୋଜନ କରାଯାଇଛି।
ଏହି ୩ ଦିନିଆ ପ୍ରଦର୍ଶନୀରେ ପାରମ୍ପରିକ କୃଷି ବ୍ୟତୀତ ନୂତନ ଜ୍ଞାନ କୌଶଳ ବ୍ୟବହାର କରି କିପରି ଚାଷ କରାଯିବ ସେ ସମ୍ପର୍କରେ ଆଲୋଚନା କରାଯିବ। ଏହାସହ ରାଜ୍ୟ ସରକାରଙ୍କ ବିଭିନ୍ନ କୃଷି କଲ୍ୟାଣ ଯୋଜନାର ସମୀକ୍ଷା ମଧ୍ୟ ଏହି କୃଷି ମହୋତ୍ସବରେ କରାଯିବ।
ଏହି ସମାରୋହରେ ବିଭିନ୍ନ ସରକାରୀ ବିଭାଗ, ଭାରତୀୟ କୃଷି ଗବେଷଣା ପରିଷଦ ଓ କିଛି ବେସରକାରୀ ସଂଗଠନଙ୍କ ସମନ୍ୱୟରେ ୧୩ଟି ବୈଷୟିକ ଅଧିବେଶନର ମଧ୍ୟ ଆୟୋଜନ କରାଯିବ। ଏହାସହ କୃଷକ-ବୈଜ୍ଞାନିକ ଆଲୋଚନା ଚକ୍ର ତଥା ସେମିନାର କାର୍ଯ୍ୟକ୍ରମ ମଧ୍ୟ ହେବ।
ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ, ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ, ରାଜ୍ୟ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ ଓ ରାଜ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ ପ୍ରମୁଖ ଯୋଗ ଦେଇଥିଲେ।
Tags: #KrushiOdisha2025 #Agriculture #Farmers #CMOOdisha #MohanCharanMajhi #Bhubaneswar #Odisha


















