ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠାରୁ ଆରମ୍ଭ ହେଉଛି ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ମଥୁରା ନଗରୀ ପାଲଟିଥିବା ବରଗଡ଼ରେ ୧୧ ଦିନ ଧରି ଚାଲିବ କଂସ ମହାରାଜାଙ୍କ ରାଜୁତି। ଦ୍ଵାପର ଯୁଗର ଖଳନାୟକ ବରଗଡ଼ ଧନୁଯାତ୍ରାରେ ପାଲଟିବେ ମହାନାୟକ।

ଶୁକ୍ରବାରଠାରୁ ବରଗଡ଼ ପାଲଟିବ ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ। ଏଠାରେ ୧୧ ଦିନ ଧରି ଚାଲିବ ରାଜତନ୍ତ୍ର। ମହାରାଜା କଂସଙ୍କ ଅଟହାସ୍ୟରେ ପ୍ରକମ୍ପିତ ହେବ ମଥୁରା ନଗରୀ।

ଧନୁଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ବରଗଡ଼ ଜିଲ୍ଲାର ଗାଁଠୁ ସହର। ଆଲୋକମାଳାରେ ସଜ୍ଜେଇ ହୋଇଛି ବରଗଡ଼ ସହର। ଏହି ୧୧ ଦିନ ମଧ୍ୟରେ ଶ୍ରୀକୃଷ୍ଣଙ୍କ ଜନ୍ମ, ଲୀଳାଖେଳା ସହ କଂସ ବଦ୍ଧ ପର୍ଯ୍ୟନ୍ତ ଦେଖିବାକୁ ମିଳିବ।

ଚଳିତ ବର୍ଷ ୭୭ ତମ ଧନୁଯାତ୍ରା ପାଳନ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ଏଥର ଧନୁଯାତ୍ରାକୁ ସ୍ମରଣୀୟ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି।

କଳାକାର ଚୟନଠାରୁ ଆରମ୍ଭ କରି ନୂତନ ସାଂସ୍କୃତିକ ଦଳଗୁଡ଼ିକୁ ମଞ୍ଚରେ କଳା ପ୍ରଦର୍ଶନ ପାଇଁ  ବ୍ୟବସ୍ଥା ହୋଇଛି।

ଧନୁଯାତ୍ରା ଆରମ୍ଭ ହେବା ପୂର୍ବରୁ ଗୁରୁବାର ଦିନ ମଥୁରାର ରାଜପଥରେ ଏକ ସୁଦୃଶ୍ୟ ତୋରଣକୁ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ  ଉଦଘାଟନ କରିଛନ୍ତି। ଚଳିତ ଥର ରାଜମହଲ, ରଙ୍ଗମହଲ ଆଦିରେ  ବ୍ୟାପକ ପରିବର୍ତ୍ତନ କରାଯିବା ସହ ସାଜସଜ୍ଜାକୁ ଆକର୍ଷଣୀୟ କରାଯାଇଛି।

ପ୍ରାୟ ୮ କିଲୋମିଟର ପରିଧି ମଧ୍ୟରେ ରାଜ ଦରବାର, ରଙ୍ଗମହଲ ଏବଂ ନନ୍ଦ ରାଜାଙ୍କ ଦରବାର ସହ ୧୦ଟି ସ୍ଥାନରେ ଧନୁଯାତ୍ରା ଅନୁଷ୍ଠିତ ହେବ। ବରଗଡ଼ ମଥୁରା ନଗରୀ ପାଲଟିବ ଏବଂ ଅମ୍ବାପଲ୍ଲୀ ହେବ ଗୋପପୁର। ସେହିଭଳି ଜିରା ନଦୀ ପାଲଟିବ ଯମୁନା। ସାରା ବରଗଡ଼ବାସୀ ହେବେ ଏହି ଖୋଲା ରଙ୍ଗମଞ୍ଚର ଜଣେ ଜଣେ କାଳାକାର।

ପ୍ରଥମ ଦିନରେ ଦେବକୀଙ୍କ ସହ ବସୁଦେବଙ୍କର ବିବାହ, ଦୈବବାଣୀ, ଉଗ୍ରସେନଙ୍କ ଗାଦିଚ୍ୟୁତ ସହ କଂସ ମହାରାଜାଙ୍କ ରାଜୁତି ଆରମ୍ଭ ହେବ। ୧୧ ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବ। ଧନୁଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ଲାଗି ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Tags: #BargarhDhanuJatra #OdishaGovt #KansaMaharaj #Bargarh

LEAVE A REPLY

Please enter your comment!
Please enter your name here