ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆଜି, ଶନିବାର ହେଉଛି ଦ୍ଵିତୀୟ ଦିନ। ମଥୁରା ନଗରୀ ପାଲଟିଥିବା ବରଗଡ଼ ସହରସ୍ଥିତ ନିଶାମଣି ହାଇସ୍କୁଲ ପଡ଼ିଆଠାରେ ଶନିବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି ମହାରାଜା କଂସଙ୍କ ରଙ୍ଗମହଲ। ମଥୁରା ନରେଶ ମହାରାଜା କଂସ ଏବଂ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଉପସ୍ଥିତିରେ ରଙ୍ଗମହଲକୁ ଉଦଘାଟନ କରିଥିଲେ ଜିଲ୍ଲାପାଳ ତଥା ଧୁନଯାତ୍ରା ମହୋତ୍ସବ ସମିତିର ସଭାପତି ଆଦିତ୍ୟ ଗୋୟଲ।
ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ ଏବଂ ରଙ୍ଗମହଲର ମୁଖ୍ୟ ସଂଯୋଜକ ଅକ୍ରୂର ମଲ୍ଲିକ ପ୍ରମୁଖ ଥିଲେ।
ରଙ୍ଗମହଲର ଉଦଘାଟନୀ ଅବସରରେ ଆକର୍ଷଣୀୟ ଆତସବାଜି ପ୍ରଦର୍ଶନ କରାଯାଇଥିଲା। ଏହା ସହ ଶତାଧିକ ବେଲୁନ ଆକାଶକୁ ଛଡ଼ାଯାଇଥିଲା।
ବରଗଡ଼ ଧନୁଯାତ୍ରାର ଅନ୍ୟତମ ପ୍ରମୁଖ ଆକର୍ଷଣ ହେଉଛି ‘ରଙ୍ଗମହଲ’। ଏଠାରେ ମହାରାଜା କଂସ ନୃତ୍ୟ, ସଙ୍ଗୀତକୁ ଉପଭୋଗ କରିଥାନ୍ତି। ରାଜ୍ୟ ତଥା ବାହାରର ବହୁ କଳାକାର ଏହି ମଞ୍ଚରେ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇଥାନ୍ତି।
ଜାନୁଆରି ୩ ତାରିଖରୁ ଆରମ୍ଭ ହୋଇଥିବା ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ପାଇଁ ଉତ୍ସବମୁଖର ହୋଇ ଉଠିଛି ବରଗଡ଼ ସହର। ଏହା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ୧୧ ଦିନ ଧରି ବିଶ୍ଵର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିବ ମହାରାଜା କଂସଙ୍କ ରାଜୁତି।
ବରଗଡ଼ ପାଲଟିଛି ମଥୁରି ନଗରୀ ଏବଂ ଅମ୍ବାପଲ୍ଲୀ ସାଜିଛି ଗୋପପୁର। ଜିରା ନଦୀ ପାଲଟିଛି ଯମୁନା। ଏହି ୧୧ ଦିନ ମଧ୍ୟରେ ଶ୍ରୀକୃଷ୍ଣଙ୍କ ଜନ୍ମ, ଲୀଳାଖେଳା ସହ କଂସ ବଦ୍ଧ ପର୍ଯ୍ୟନ୍ତ ଦେଖିବାକୁ ମିଳିବ। ସାରା ବରଗଡ଼ବାସୀ ହେବେ ଏହି ଖୋଲା ରଙ୍ଗମଞ୍ଚର ଜଣେ ଜଣେ କାଳାକାର।
Tags: #BargarhDhanuJatra #Rangamahal #MaharajKansa #InaugurationCeremony #OdishaGovt #Bargarh