ଓଡ଼ିଶାଲାଇଭ୍ ବ୍ୟୁରୋ

ଆକର୍ଷଣୀୟ ପରିବେଶ ଭିତରେ ଶୁକ୍ରବାରଠାରୁ ଶୁଭାରମ୍ଭ ହୋଇଛି ୭୭ତମ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଆରମ୍ଭ ହୋଇଛି ତ୍ରିପୁର ବିଜୟୀ ମହାରାଜ କଂସଙ୍କ ଶାସନ। କଂସଙ୍କ ଅଟ୍ଟହାସ୍ୟରେ ଥରହର ହେଉଛି ମଥୁରାନଗରୀ। ଏହି ପୌରାଣିକ କଥାବସ୍ତୁର ଜୀବନ୍ତ ଅଭିନୟ ଲୋକଙ୍କୁ ଫେରାଇ ନେଇଛି ଦ୍ୱାପର ଯୁଗକୁ। 

ଧନୁଯାତ୍ରାର ଉଦଘାଟନ ପୂର୍ବରୁ ଶୁକ୍ରବାର ଅପରାହ୍ଣରେ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହରିଥିଲା। ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ସମ୍ବଲପୁରୀ ନୃତ୍ୟ ସହ ସୁନ୍ଦରଗଡ଼ର ସଂକୀର୍ତ୍ତନ, ବୌଦ୍ଧର ମୟୂର ନୃତ୍ୟ, ପୁରୀର ପ୍ରସିଦ୍ଧ ନାଗା ନୃତ୍ୟ ଓ ଘଣ୍ଟ ପରଭା ନାଚ, ଗଞ୍ଜାମର ଯୋଡ଼ିଶଙ୍ଖ, କନ୍ଧମାଳର ଆଦିବାସୀ ନୃତ୍ୟ, କୋରାପୁଟର ଦୁରୁଆ ନୃତ୍ୟ, ଘଣ୍ଟବାଦ୍ୟ ଏବଂ ଘୋଡ଼ା ନାଚ ସହିତ ମୋଟ ୧୭ଟି ସାଂସ୍କୃତିକ ଦଳ ଏହି ଶୋଭାଯାତ୍ରାରେ ଭାଗ ନେଇଥିଲେ।

ଶୋଭାଯାତ୍ରା ନଗର ପରିକ୍ରମା କରି ମା’ ସମଲେଶ୍ୱରୀ ମନ୍ଦିରରେ ପହଞ୍ଚିଥିଲା ଏଠାରେ ମହାରାଜ ଉଗ୍ରସେନ ଓ ମନ୍ତ୍ରୀ ପରିଷଦ ବର୍ଗ ସମେତ ଅତିଥିମାନଙ୍କୁ ନେଇ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ସେମାନେ ରାଜ ଦରବାର ଅଭିମୁଖେ ଯାଇଥିଲେ।

ସନ୍ଧ୍ୟାରେ ଏକ ରାଜକୀୟ ଶୋଭାଯାତ୍ରାରେ ମଥୁରା ନଗରୀର ମହାରାଜ ଉଗ୍ରସେନ ହାତୀପିଠିରେ ବସି ହାଟପଦାସ୍ଥିତ ରାଜ ଦରବାରରେ ପହଞ୍ଚିଥିଲେ। ରାଜସଭାକୁ ବହୁ ଅତିଥି ନିମନ୍ତ୍ରିତ ହୋଇ ଆସିଥିଲେ। ଏହି କାର୍ଯ୍ୟକ୍ରମକୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଉଦଘାଟନ କରିଥିଲେ।  

ମଥୁରା ନଗରୀର ମହାରାଜା ଉଗ୍ରସେନ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଦରବାରରେ କଂସ ମହାରାଜଙ୍କ ସ୍ୱତନ୍ତ୍ର ମାସ୍କ ଓ ଟି-ସାର୍ଟ ଲୋକାର୍ପଣ କରାଯାଇଥିଲା। ପରେ ପରେ ଦରବାରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ବହୁ ସଂଖ୍ୟାରେ ସ୍ଥାନୀୟ ଦର୍ଶକ ଓ ପର୍ଯ୍ୟଟକ ପ୍ରଥମ ସନ୍ଧ୍ୟାର କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।

ବରଗଡ଼ ଧନୁଯାତ୍ରାର ପ୍ରଥମ ଦିନରୁ ହିଁ କାହାଣୀ ବେଶ ନାଟକୀୟ ମୋଡ଼ ନେଇଛି। ରାଜଦରବାରରେ ମହାରାଜ ଉଗ୍ରସେନଙ୍କ ଶାସନ ସହ ଦେବକୀ ଓ ବସୁଦେବଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଏହାପରେ ଦେବକୀଙ୍କ ଅଷ୍ଟମ ସନ୍ତାନ କଂସଙ୍କ ମୃତ୍ୟୁର କାରଣ ହେବ ବୋଲି ଶୂନ୍ୟବାଣୀ ହୋଇଥିଲା। ଏଥିରେ ବ୍ୟସ୍ତ ବିବ୍ରତ ହୋଇ ମହାରାଜା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି କଂସ ସିଂହାସନ ଆରୋହଣ କରିଥିଲେ। ରାଜା ହେବା ପରେ ସେ ଦେବକୀ ଓ ବସୁଦେବଙ୍କୁ କାରାଗାରରେ ବନ୍ଦୀ କରିଥିଲେ। ଏହିସବୁ ପୌରଣିକ ବିଷୟବସ୍ତୁକୁ ନିଖୁଣ ଭାବରେ ଫୁଟାଇଛନ୍ତି ଅଭିଜ୍ଞ ଅଭିନେତା ଓ ଅଭିନେତ୍ରୀମାନେ।

ଶନିବାର ଦ୍ୱିତୀୟ ଦିନରେ ନିଶାମଣୀ ହାଇସ୍କୁଲ ପଡ଼ିଆରେ ମହାରାଜ କଂସଙ୍କ ରଙ୍ଗମହଲ ଉଦ୍‌ଘାଟନ ହେବ। ଏହାସହ କାରାଗାରରେ ଶ୍ରୀକୃଷ୍ଣଙ୍କ ଜନ୍ମ, ଶ୍ରୀକୃଷ୍ଣଙ୍କ ଗୋପପୁର ଯାତ୍ରା, ଦୁର୍ମିଳା ରାକ୍ଷସ ବଧ, ଶ୍ରୀକୃଷ୍ଣଙ୍କୁ ନେଇ ବସୁଦେବଙ୍କ ଗୋପପୁର ପ୍ରବେଶ ଏବଂ କାରାଗାରରେ ବିଜୁଳି କନ୍ୟାର ନାଟ୍ୟାଭିନୟ ଦେଖିବାକୁ ମିଳିବ।

ପ୍ରଥମ ଦିନ ରାଜଦରବାର କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ, ବରଗଡ଼ ପୌରପାଳିକାର ଅଧ୍ୟକ୍ଷା କଳ୍ପନା ମାଝୀ, ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଏସପି ପ୍ରହଲ୍ଲାଦ ସହାଇ ମୀନା, ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ଓ ମଧୁଛନ୍ଦା ସାହୁ ଏବଂ ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ।

Tags: #BargarhDhanuJatra #Inauguration #MaharajKansa #Culture #OdishaGovt #Bargarh

LEAVE A REPLY

Please enter your comment!
Please enter your name here