ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ପାଇଁ ଚଳଚଞ୍ଚଳ ବରଗଡ଼ ସହର। ମହାରାଜ କଂସଙ୍କ ଶାସନ ଏବଂ ଗୋପପୁରରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଦର୍ଶକଙ୍କୁ ପ୍ରଫୁଲ୍ଲିତ କରୁଛି। ପ୍ରତିଦିନ ଅନେକ ସଂଖ୍ୟାରେ ଲୋକ ଧନୁଯାତ୍ରାକୁ ଉପଭୋଗ କରିବାକୁ ଆସୁଛନ୍ତି। କଂସ ମହାରାଜଙ୍କ ଚିତ୍ତାକର୍ଷକ ଦୃଶ୍ୟାଭିନୟ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରୁଛି।

ରବିବାର ବରଗଡ଼ ଧନୁଯାତ୍ରାର ତୃତୀୟ ଦିନରେ ଶ୍ରୀକୃଷ୍ଣଙ୍କ ଜନ୍ମକୁ ନେଇ ଗୋପପୁର ଉତ୍ସବମୁଖର ହୋଇ ଉଠିଥିବା ଦେଖିବାକୁ ମିଳିଥିଲା। ଶ୍ରୀକୃଷ୍ଣଙ୍କ ଜନ୍ମ ଆତ୍ମବିଭୋର ହୋଇ ପଡ଼ିଛନ୍ତି ନନ୍ଦରାଜା ଓ ରାଣୀ ଯଶୋଦା। ଏଥିପାଇଁ ଗୋପପୁରରେ ଉତ୍ସବ ଆୟୋଜନ କରିଥିଲେ ନନ୍ଦରାଜା।

ନନ୍ଦ ଭବନରୁ ଏକ ବିରାଟ ଶୋଭାଯାତ୍ରାରେ ନନ୍ଦ ଓ ଯଶୋଦା ଗୋପ ବାଳକ ଓ ଗୋପୀମାନଙ୍କ ଗହଣରେ ଶ୍ରୀକୃଷ୍ଣଙ୍କୁ ନେଇ ଗାଁ ମଝିରେ ଥିବା ମଣ୍ଡପରେ ଏକ ଝୁଲାରେ ଝୁଲାଇଥିଲେ। ସଂକୀର୍ତ୍ତନ ଓ ବିଭିନ୍ନ ଲୋକନୃତ୍ୟରେ ଗୋପଦାଣ୍ଡରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଏହି ନିଆରା କାର୍ଯ୍ୟକ୍ରମ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା।  

ଶ୍ରୀକୃଷ୍ଣ ଜନ୍ମକୁ ନେଇ ଗୋପପୁରରେ ଉତ୍ସବର ପରିବେଶ ଥିବାବେଳେ ଏପଟେ ମଥୁରା ନଗରୀରେ ଚାଲିଛି ମହାରାଜ କଂସଙ୍କ ରାଜୁତି। ଧନୁଯାତ୍ରାର ତୃତୀୟ ଦିନରେ ମଥୁରା ନରେଶ କଂସ ଶ୍ୟାମାକଳୀ ମନ୍ଦିରରେ ଶ୍ୟାମେଶ୍ୱର ମହାଦେବଙ୍କ ପୂଜାର୍ଚ୍ଚନା କରିବା ସହ ହାତୀପିଠିରେ ବସି ନଗର ପରିକ୍ରମା କରିଥିଲେ। ଏହି ଦୃଶ୍ୟକୁ ଦେଖିବା ପାଇଁ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକଙ୍କ ଭିତରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା।

ମହାରାଜ କଂସ ତାଙ୍କ ପାରିଷଦବର୍ଗଙ୍କୁ ସାଙ୍ଗରେ ଧରି ସ୍ଥାନୀୟ ଡିଡି ଗୋୟଲ ଧର୍ମଶାଳା ନିକଟରୁ ବାହାରି ଲେଙ୍ଗୁ ମିଶ୍ର ଛକ ଦେଇ ହାଟପଦା ଯାଇଥିଲେ। ସେଠାରୁ ଦୀପାଳି ଟକିଜ୍ ରାସ୍ତା ଓ ପଞ୍ଚାୟତ କଲେଜ ରୋଡ୍ ଦେଇ ଶ୍ୟାମାକାଳୀ ମନ୍ଦିରକୁ ଆସିଥିଲେ। ଶ୍ୟାମେଶ୍ୱରଙ୍କ ପୂଜାର୍ଚ୍ଚନା ସାରିବା ପରେ ରଙ୍ଗମହଲକୁ ଆସିଥିଲେ ମହାରାଜ କଂସ।

ଏହି ଅବସରରେ ରାଜଦରବାରକୁ ନିମନ୍ତ୍ରିତ ହୋଇ ଆସିଥିଲେ ଓଡ଼ିଶା ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ, ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ବିଭାଗର ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏବଂ ବରିଷ୍ଠ ଡାକ୍ତର ମନୋଜ ସାହୁ। ଚଳିତ ବର୍ଷ ଧନୁଯାତ୍ରାର ଭବ୍ୟ ଆୟୋଜନ ଦେଖି ଅତିଥିମାନେ ପ୍ରଶଂସା କରିଥିଲେ। ରାଜଅତିଥିମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ମହାରାଜ କଂସ।

ଅନ୍ୟପଟେ ବରଗଡ଼ ଧନୁଯାତ୍ରା ମହୋତ୍ସବର ତୃତୀୟ ଦିନରେ ଗୋପପୁରରେ ନନ୍ଦ ଦରବାରର ଶୁଭାରମ୍ଭ ହୋଇଥିଲା। ଏହାକୁ ବରଗଡ଼ର ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାଇ ମୀନା ଉଦଘାଟନ କରିଥିଲେ। ପରେ ପରେ ନନ୍ଦରାଜା ତାଙ୍କ ପାତ୍ର ମନ୍ତ୍ରୀମାନଙ୍କୁ ଧରି ପ୍ରଜାମାନଙ୍କ ହାଲଚାଲ ବିଷୟରେ ଆଲୋଚନା କରିଥିଲେ। ଏହି ମଞ୍ଚରେ କୃଷ୍ଣଙ୍କ ସ୍ୱତନ୍ତ୍ର ମାସ୍କ ଓ ଟି-ସାର୍ଟ ଲୋକାର୍ପଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବରଗଡ଼ର ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ, ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ, ପୌରପାଳିକାର ଅଧ୍ୟକ୍ଷା କଳ୍ପନା ମାଝୀ ଏବଂ ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ।

Tags: #BargarhDhanuJatra #MaharajKansa #SriKrishna #Culture #OdishaGovt #Bargarh

LEAVE A REPLY

Please enter your comment!
Please enter your name here