ଓଡ଼ିଶାଲାଇଭ୍ ବ୍ୟୁରୋ
ଦରଦାମ ବୃଦ୍ଧି ପ୍ରତିବାଦରେ ସୋମବାର ଦିନ ରାଜଧାନୀ ଭୁବନେଶ୍ଵରରେ ବିଜେଡି ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ହଜାର ହଜାର ବିଜେଡି କର୍ମୀଙ୍କ ଗହଣରେ ବିଜେଡି ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଦରଦାମ ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମୋଲାଚନା କରିଥିଲେ।
“ଓଡ଼ିଶାରେ ବିଜେପି ସରକାର ଆସିବା ଦିନଠାରୁ ଦିନକୁ ଦିନ ଅତ୍ୟାବଶ୍ୟକ ସାମଗ୍ରୀର ଦରଦମ ଅସମ୍ଭବ ଭାବେ ବଢ଼ି ଚାଲିଛି। ଏହାର ପ୍ରଭାବ ସିଧାସଳଖ ସାଧାରଣ ଲୋକଙ୍କ ଉପରେ ପଡ଼ୁଛି। ଦର ବୃଦ୍ଧିକୁ ନେଇ ରାଜ୍ୟବାସୀ ଚିନ୍ତାରେ ରହିଥିଲେ ମଧ୍ୟ ଦର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ”, ଅଭିଯୋଗ କରିଛନ୍ତି ନବୀନ ପଟ୍ଟନାୟକ।
ବିରୋଧୀ ଦଳର ନେତା ଆହୁରି କହିଛନ୍ତି ଯେ, ବିଜେପି ସରକାର ନିଜକୁ ଲୋକଙ୍କ ସରକାର ବୋଲି କହିଆସୁଛନ୍ତି। କିନ୍ତୁ ଲୋକଙ୍କ ଦୁଃଖ ବୁଝିପାରୁ ନାହାନ୍ତି କି ଦେଖି ପାରୁନାହାନ୍ତି। ବିଜେପି ସରକାର ଲୋକଙ୍କ ସରକାର ନୁହେଁ ବରଂ ମହଙ୍ଗା ସରକାର ବୋଲି କଟାକ୍ଷ କରିଛନ୍ତି ନବୀନ।
ବିଜେଡିର ବରିଷ୍ଠ ନେତା ପ୍ରଫୁଲ କୁମାର ସାମଲ କହିଛନ୍ତି, ବିଜେପି ସରକାର ୬ ମାସ ମଧ୍ୟରେ ଲୋକଙ୍କ ସୁବିଧା ଅସୁବିଧା କଥା ନବୁଝି କେବଳ ରଙ୍ଗ ବଦଳାଇବା ଉପରେ ଗୁରୁତ୍ଵ ଦେଇଛନ୍ତି। ଡବଲ ଇଞ୍ଜିନ ସରକାର ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି।
ଏପଟେ ବିଜେଡିର ପ୍ରତିବାଦ ଆନ୍ଦୋଳନକୁ ସମାଲୋଚନା କରିଛି ବିଜେପି। ବିଜେପି ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି, ବିଜେଡି ସରକାରରେ ଥିବା ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ କେବେ କମ୍ ନଥିଲା। ଏବେ ରାଜ୍ୟରେ ସ୍ଥିତି ଧୀରେ ଧୀରେ ସୁଧୁରିବାକୁ ଲାଗିଛି। ଦରଦାମ ବୃଦ୍ଧିକୁ ନେଇ ପ୍ରତିବାଦ ଏକ ନାଟକ ବ୍ୟତୀତ କିଛି ନୁହେଁ। ବିଜେଡି ନିଜ ଅସ୍ଥିତ୍ଵକୁ ବଜାୟ ରଖିବା ପାଇଁ ଚେଷ୍ଟା ଜାରି ରଖିଛି ବୋଲି ସେ କହିଛନ୍ତି।
Tags: #Politics #OdishaPolitics #BJD #BJP #Protest #Bhubaneswar #Odisha